Unknown

 

 

 

 

 

 

 

 

 

 

ବିଷବାଣୀ

ରବୀନ୍ଦ୍ରନାଥ ସିଂହ

 

‘‘ବିଷ ମନୋହର, ବିଷ ସୁନ୍ଦର

ବିଷହିଁ ଭରସା, ଜୟ,

ବିଷ ମଣିଷର ମୁକ୍ତି-ମଶାଲ

ବିଷ ମହା ବରାଭୟ ।

ଜାଗରେ ତେଣୁ ମୋ ବିଷର ବନ୍ୟା

ଭସାଇ ନେ ଦୁଇକୂଳ,

ହାସ୍ୟମୁଖରେ ଭରିଦେ ଶସ୍ୟ

ରିକ୍ତର ଭଣ୍ଡାର !’’

ରବୀନ୍ଦ୍ରନାଥ ସିଂହ

 

[ଜ୍ୱାଳାର ମାଳା – ପୃ: ୧୯]

***

 

ଚରମପତ୍ର, ପଥ-ପ୍ରାନ୍ତର କବିତା, ଭ୍ରୂକୁଟି, ପାଦଟୀକା, କ୍ଷତ, ବିବିଧ, ଶିଥିଳ ବଲ୍‍ଗା, ଅପ୍ରୀତିକର କବିତା, ଲାଲ ପାଗୋଡ଼ାର ପ୍ରେତ, ବିଦୀର୍ଣ୍ଣ, ଜ୍ୱଳାର ମାଳା, ଓଡ଼ିଆ ସାହିତ୍ୟର ଧର୍ଷଣ, ପୂର୍ବକ୍ଷଣ, ଅନ୍ଧକାରର ସଂଗୀତ, ନାୟକ ଆମ ସମୟର, ପକ୍ଷିରାଜ ଓ ଅନ୍ୟାନ୍ୟ ଗଳ୍ପ, ବୋତଲର ଭୂତ, ବିରସ କାହାଣୀ, ତାରାସ୍ ବୁଲ୍‍ବା, ଆଲେଖ୍ୟ ପ୍ରଭୃତି ଗ୍ରନ୍ଥର ଲେଖକ ଓ ଅନୁବାଦକ—

 

ରବୀନ୍ଦ୍ରନାଥ ସିଂହ

***

 

।। ସଂକେତ ।।

 

ଉତ୍ସର୍ଗ ।। ଛ

ତଥାପି ।। ଝ

 

୧.

ଯୁଦ୍ଧ ସପକ୍ଷରେ

୨.

ଧ୍ୱଂସତଳେ ଶାନ୍ତିଡ଼ାକେ

୩.

ମୋ କଲମ ରକ୍ତବାନ୍ତି କରେ

୪.

ଜଡ଼ବାଦୀ

୫.

ନିଖିଳର କବି

୬.

ଲୋହିତ ବାର୍ତ୍ତା

୭.

ମକଦ୍ଦମା

୮.

ଜନ-ଉପାସନା

୯.

ଅଂଗୀକାର

୧୦.

ମିଳାଅ ହାତ

୧୧.

ଆଉ କେତେଦିନ

୧୨.

ହୁସିଆର ଆମେରିକା

୧୩.

ସେଦିନ ପାଇଁ

୧୪.

ନିମନ୍ତ୍ରଣ

୧୫.

ବିପ୍ଳବର ନିମନ୍ତ୍ରଣେ

୧୬.

ସେଦିନ

୧୭.

ସଂଧାନ

୧୮.

ତମେ ଅପରାଧୀ

୧୯.

ସିଂହାବଲୋକନ

୨୦.

ପୂଜାରିଣୀ

୨୧.

ହେ ଗୋଦାବରୀଶ

୨୨.

ଦର୍ଶକ

୨୩.

ହେ ଅଭାବ ଜ୍ୱାଳା

୨୪.

ଆସ

୨୫.

ବେରସିକ କବି

୨୬.

ମାନସୀ

୨୭.

କର ନମସ୍କାର

୨୮.

ବିଷକନ୍ୟାକୁ

୨୯.

ଗୋଟିଏ ଉଦ୍‍ବେଗ

୩୦.

ଇଏତ ମହା ତୀର୍ଥଭୂଇଁ

୩୧.

ପ୍ରହାର କାବ୍ୟ

୩୨.

ଅପେକ୍ଷା

୩୩.

ଜଳୁ ମୈତ୍ରୀର ଦୀପ

୩୪.

ମଥା ନତକର

୩୫.

କବିବନ୍ଧୁ ହେ

 

ଉତ୍ସର୍ଗ

 

ଓଡ଼ିଶାର ବାମପନ୍ଥୀ ଆନ୍ଦୋଳନର ଅକ୍ଲାନ୍ତ-ଅଗ୍ରବାହିନୀ ଓ ପ୍ରଗତିବାଦର ମଶାଲଧାରୀ ବିଶାଳ-ପୁରୁଷ ଶ୍ରୀଯୁକ୍ତ ନବକୃଷ୍ଣ ଚୌଧୁରୀ ଏବଂ ଓଡ଼ିଶାର ବିପ୍ଳବିଣୀ ନାରୀ ନେତ୍ରୀ ଶ୍ରୀମତୀ ମାଳତୀ ଚୌଧୁରୀ !!

 

ଆପଣ ଦୁହେଁ ଭଲକରି ଜାଣନ୍ତି, ଏ ସମାଜ-ବ୍ୟବସ୍ତା ମୋଠାରୁ ଛଡ଼ାଇ ନେଇଛି ସମସ୍ତ ମାନବିକ ଅଧିକାର, ଦୈହିକ ନିରାପତ୍ତା । ତା ବଦଳରେ ସେ ମୋତେ ‘ଉପହାର’ ଦେଇଛି ପୃଥିବୀର ସୁଦୀର୍ଘ ଅନ୍ତହୀନ ପଥ- ପ୍ରାନ୍ତ, ଦେଇଛି ଉତ୍କଟ ରିକ୍ତତା ଓ ଦାରିଦ୍ର୍ୟର ଛିନ୍ନକଂଥା, ମୋ କାବ୍ୟ-ସାଧନାର ଅଦୃଷ୍ଟରେ ଅଂକିତ କରିଛି ନିକୃଷ୍ଟ ଶ୍ରେଣୀର ଶାନ୍ତିଭଙ୍ଗ ଏବଂ ପରିଶେଷଷରେ ଅବଧାରିତ ଅକାଳ ମୃତ୍ୟୁ । ଆପଣ ଦୁହେଁ ମୋର ସ୍ୱର୍ଗତ ପିତାଙ୍କର ଭାରତୀୟ ଜାତୀୟ ସଂଗ୍ରାମର ସହଯୋଦ୍ଧା । ଆପଣମାନଙ୍କର ତ୍ୟାଗ ଓ ସଂଗ୍ରାମ ଏ ଆଧ୍ୟାତ୍ମିକ ତଥା ସାଂସ୍କୃତିକ-ପଙ୍ଗୁ ଜାତିକୁ ଦୀର୍ଘକାଳଧରି ମୁକ୍ତିର ଆଲୋକ ଦେବାକୁ ଯେଉଁ ପ୍ରଚେଷ୍ଟା କରିଛି ତାର ପଟାନ୍ତର ନାହିଁ । ସେଥିପାଇଁ ମୋର ଏହି ପ୍ରିୟ ‘ବିଷବାଣୀ’ ହିଁ ଆପଣମାନଙ୍କୁ ସାମାନ୍ୟ ଉପହାର ଓ ଅର୍ଘ ମାତ୍ର । ଆଶାକରେ ଏହା ଗୃହୀତ ହେବ । । ଇତି ।

 

 

୮, ଅକ୍ଟୋବର

ସ୍ନେହର

୧୯୬୯

ରବି

***

 

ତଥାପି

 

‘ବିଷବାଣୀ’ର ପରିଧି ଅନ୍ତର୍ଭୁକ୍ତ କବିତାଗୁଡ଼ିକର କାବ୍ୟଦର୍ଶନ ସଂପର୍କରେ ପାଠକମାନଙ୍କୁ ମୋର କିଛି କହିବାର ନାହିଁ ଏହି କାରଣରୁ, ଯିଏ ନିଜେ ନିଜର କଥକ, ତା ସଂପର୍କରେ ଅନ୍ୟଜଣେ ବା କ’ଣ କହିବ ?

 

ମୋ କାବ୍ୟସାଧନାର ଅଦୃଷ୍ଟରେ କ୍ରମାଗତ ନୀଚ ଧରଣର ଶାନ୍ତିଭଙ୍ଗ କେଉଁ ନିୟତି କେବେ ଲେଖିଥିଲା, ତାହା ମୁଁ ଜାଣେନା । ପୁରାଣ ଯୁଗରେ ସାଧକ ତଥା ମନୀଷୀମାନଙ୍କ ଯଜ୍ଞବେଦିକୁ କଳୁଷିତ କରିବାପାଇଁ ଦୈତ୍ୟଦାନବମାନଙ୍କର ନାରକୀୟ ଆକ୍ରମଣ ଓ ପ୍ରଚେଷ୍ଟାର କାହାଣୀ ପାଠକେ ପଢ଼ିଛନ୍ତି । କିନ୍ତୁ ଯେଉଁ ସ୍ଥାନରେ ବସି ମୁଁ ଏତକ ଲେଖୁଛି, ମୋର ମନେହୁଏ, ଏ ସ୍ଥାନଟି ସଭ୍ୟ କଟକ ସହରର ଅଂଶବିଶେଷ ନୁହେଁ, ଏହା ସେହି ପୁରାଣଯୁଗର କୌଣସି ଏକ ଭୀତିପ୍ରଦ ଅରଣ୍ୟ ଆଉ ମୁଁ ସେହି ଅରଣ୍ୟର ଗଭୀରତାରେ ଜଣେ ଅସହାୟ-କାବ୍ୟସାଧକ । ମୋର ଚତୁର୍ଦିଗରେ ଦୈତ୍ୟ-ଦାନବର ଅଟ୍ଟହାସ, କୁତ୍ସା, ଅପପ୍ରଚାର ମୋ ସାଧନାର ବେଦୀ ଉପରେ କ୍ରମାଗତ ସେମାନଙ୍କର ଶିଳାବୃଷ୍ଟି, ବିଭତ୍ସ ଅଶ୍ଳୀଳ ଚିତ୍କାର ଆଦି ମୋତେ ନେଇଯାଏ ସେହି ପୁରାଣ ବର୍ଣ୍ଣିତ ଆଦିମ ବନ୍ୟଯୁଗର ଅନ୍ଧକାର ଭିତରକୁ ।

 

ଅସତ୍ୟ, ଅମଙ୍ଗଳ ବିରୁଦ୍ଧରେ ମୋର କାବ୍ୟସ୍ୱର, ସମାଜର ସ୍ଥାନୀୟ ଦୁର୍ନୀତି ଓ ପାଶବିକତା ବିରୁଦ୍ଧରେ ମୋର ବେସାଲିସୀ-ବିଦ୍ରୋହ, ସାମାଜିକତାର ଦେବାଳିଆ ପରମ୍ପରା ଉପରେ ନାନାଦିଗରୁ ମୋର କ୍ରମାଗତ ବୌଦ୍ଧିକ-ଆକ୍ରମଣ ମୁଖ୍ୟତଃ ମୋ ସାଧନାର ଶାନ୍ତି ଭଙ୍ଗର କାରଣ । ସମାଜର ପଣ୍ଡା ତଥା ସାହିତ୍ୟର ‘ମୁକ୍ତି ମଣ୍ଡପ’ ତରଫରୁ ମୋ ଜୀବନନାଶର ଷଡ଼ଯନ୍ତ୍ର, ମୋ ବିରୁଦ୍ଧରେ ଗୁଣ୍ଡା ନିଯୁକ୍ତି, ମୋତେ ମୋର ବାସସ୍ଥଳୀରୁ ଉତ୍‍ଖାତ କରିବାର ପ୍ରଚେଷ୍ଟା, ପରିଶେଷରେ ମୋର ନିରୀହ ଶିଶୁପୁତ୍ର-କନ୍ୟା ଓ ସହଧର୍ମିଣୀଙ୍କୁ ମାଡ଼ଦ୍ୱାରା ରକ୍ତାକ୍ତ କରିବା ଆଦି ‘‘ବୀରତ୍ୱପୂର୍ଣ୍ଣ’’ କାର୍ଯ୍ୟମୂଳରେ ଗୋଟିଏ ମାତ୍ର ଉଦ୍ଦେଶ୍ୟ ସ୍ପଷ୍ଟ: ମୋତେ ସର୍ବଦା ଦୁଃଶ୍ଚିନ୍ତାଗ୍ରସ୍ତ କରାଇ ମୋର ସାରସ୍ୱତ-ସାଧନାକୁ ବିପର୍ଯ୍ୟନ୍ତ କରିବା । ୧୯୬୭ ମଇ ମାସଠାରୁ ଏହି ଧରଣର ଏକ ୩ୟ ଶ୍ରେଣୀର ଆକ୍ରମଣକୁ ମୁଁ ମୁକାବିଲା କରୁଛି ନୈତିକତା ଓ ମନୋବଳ ଦ୍ୱାରା; କାରଣ, ମୋର ଧନବଳ, ଜନବଳ, ଦୈହିତ ବଳ ନାହିଁ । ଏ ସୁଦୀର୍ଘ ଆକ୍ରମଣର କାହାଣୀ ଯେତିକି ନାରକୀୟ, ସେତିକି ନିରାନନ୍ଦ, ସେତିକି ସକରୁଣ, ସେତିକି ପାଶବିକ । ଏଥିପାଇଁ ମୋର ବୌଦ୍ଧିକ- ଶତ୍ରୁମାନଙ୍କ ଦ୍ୱାରା ଯେଉଁ ଶ୍ରେୀଣୀଟି ନିଯୁକ୍ତ ହୋଇଛନ୍ତି, କାଲ୍‍ମାର୍କ୍‍ସଙ୍କ ଭାଷାରେ ସେ ଶ୍ରେଣୀର ନାମ ହେଲା ‘‘ପ୍ରୋଲିଟାରୀଏଟ୍’’ ବା ‘‘ସର୍ବହରା’’ । ଏହି କଥାକଥିତ ‘‘ସର୍ବହରା’’ମାନଙ୍କର ଅଜାତ-ମାନ-ବିକଚରିତ୍ର, ଏମାନଙ୍କର ସାଂସ୍କୃତିକ-ପଙ୍ଗୁତା, ଏମାନଙ୍କର ପାତିତ୍ୟର ଜ୍ୱାଳା ଭୋଗି ଭୋଗି ଆଜି ମୋ ନିଜର ବାମପନ୍ଥୀତ୍ୱ ଉପରେ ଆସିଛି ଗୋଟାଏ ପ୍ରଚଣ୍ଡ ଧିକ୍କାର—ଏଇମାନଙ୍କ ଉପରେ ଭରସାକରି ମୋର କାବ୍ୟପୁରୁଷ ଭାରତବର୍ଷରେ ପୁଣି ଦେଖିଥିଲା ‘‘ସମାଜବାଦୀ ସଶସ୍ତ୍ର ଗଣବିପ୍ଲବର ସ୍ୱପ୍ନ !

 

ଯେଉଁ ଜଘନ୍ୟ ତଥା ଭୀତିପ୍ରଦ-ପରିବେଶ କୋଳରେ ବସି ‘ବିଷବାଣୀ’ର କବିତାଗୁଡ଼ିକୁ ଜନ୍ମ ଦେଇଛି ମୋର ଲେଖନୀ, ସେହି ପରିବେଶର କିଞ୍ଚିତ୍ ବର୍ଣ୍ଣନା ଦେବା ଉଦ୍ଦେଶ୍ୟରେ ଏ ସବୁର ସାମାନ୍ୟ ଅବତାରଣା ।

 

ନାନା ଆତ୍ମିକ-ଯନ୍ତ୍ରଣାର ଜଠର ଭିତରୁ ଅସଂଖ୍ୟ ଆଶାଭଙ୍ଗ ତଥା ବିଦ୍ରୋହର ମୁଦ୍ରାଙ୍କ ନେଇ ବାହାରିଛନ୍ତି ଏଥିର କବିତାମାନେ । ଏମାନେ ନୈତିକତାର ଶପଥରେ ଇସ୍ପାତ୍ ତୁଲ୍ୟ କଠିନ, ଭିଏତ୍‍ନାମର ଗରିଲା ବାହିନୀ ପରି ଅଜେୟ, ସୂର୍ଯ୍ୟ ପରି ଉଜ୍ଜ୍ୱଳ ଏବଂ ଅନାବୃତ ।

 

ପାଠକେ ଏମାନଙ୍କୁ ଆଶୀର୍ବାଦ କରିବେ—ଏ ଭରସା ମୋର ଅଛି ।

 

ରବୀନ୍ଦ୍ରନାଥ ସିଂହ

***

 

।। ଯୁଦ୍ଧ ସପକ୍ଷରେ ।।

 

କଲମ ମୁନ ମୋ ଚାହିଁଛି ନୀରବେ

ଈଶାଣ ସିଂହଦ୍ୱାରେ

କେବେ ବା ବାଜିବ ଝଡ଼ର ବେହେଲା

ମଣିଷର ଅନ୍ତରେ ?

 

କେବେ ପ୍ରମତ୍ତ-ଜନ-ସମୁଦ୍ରେ

ଜାଗିବ ଆନ୍ଦୋଳନ ?

ଭୂମିକମ୍ପର କେନ୍ଦ୍ରେ ଜାଗିବ

କେବେ ଅବା କମ୍ପନ ?

 

ମାନବ-ମନୀଷା ଆକାଶ ବିଦାରି

କେବେ ଅବା ଦେବ ଦେଖା,

ରାତ୍ରିର କଳା ଯବନିକା ତଳୁ

ରକ୍ତ-ମଶାଲ ଶିଖା ?

 

ଅଗଣିତ ଗଣମାନସର ଫଣା

କେତକୀ-ବିତାନ ତଳୁ—

 

 

କେବେ ବା ଜାଗିବ ବିଷ-ଫୁତ୍‍କାରେ

ଚିକିଟା ଅନ୍ଧକାରୁ ?

 

ରୁଦ୍ଧ-ପ୍ରାଣର ହ୍ରଦ, ପଲ୍ୱଳେ

କେବେ ଶୁଣାଯିବ ପୁଣି—

କ୍ରୁଦ୍ଧ ଜୁଆର, ଜଳ-କଲ୍ଲୋଳ

ମହାସାଗରର ବାଣୀ ?

 

ସବୁ ବନ୍ଧନ, କାରା-ଅର୍ଗଳ,

ଆଇନର ନାଗଫାଶ

ଶୋଷଣବାଦର ଦନ୍ତ ପେଷଣ

ଧନତନ୍ତ୍ରର ବିଷ—

 

ସବୁର ଊର୍ଦ୍ଧ୍ୱେ କେବେ ବା ଉଠିବ

ମାନବ ଉଚ୍ଚଶିର ?

ହତିଆର କେବେ ହେବ ଝକମକ

ମାନବିକ ଚେତନାର ?

 

କଣ୍ଠେ କଣ୍ଠେ ଜାଗରଣ ଗୀତି

କେବେ ବା ଉଠିବ ଧ୍ୱନି ?

 

 

ପ୍ରତିଟି ମନର ବାତାୟନ ପଥେ

ସକାଳର ଆବାହନୀ,

 

ଈଶାଣ ବେତାରକେନ୍ଦ୍ରେ ବା କେବେ

ଝଡ଼ର ମାଙ୍ଗଳିକ—

ବାଜିଉଠି କେବେ ନିଖିଳ ଜୀବନୁ

ପୋଛିବ ଦୁଃଖ ଶୋକ ?

 

ଜୀବନର ମହାସଙ୍ଗୀତ କେବେ

ଧରାରେ ପଡ଼ିବ ଝରି ?

ଶୋଷଣବାଦର ଉପକୂଳେ କେବେ

ଲାଗିବରେ ରଣତରୀ ?

 

କେବେ ବା ଜଳିବ ଯୁଦ୍ଧର ନିଆଁ

ପ୍ରାଣେ ପ୍ରାଣେ ଟେକି ଶିଖା ?

ଶାନ୍ତିର ଏକା ଅଗ୍ରବାହିନୀ

ଯୁଦ୍ଧ, ନଦେଲେ ଦେଖା;

 

ମାନବ କାମ୍ୟ ସାମ୍ୟ-ସମାଜ

ହେବନାହିଁ ଉଦ୍ଭବ

ଯୁଦ୍ଧ ଜଠରେ ରହିଛି ଶାନ୍ତି

ଧଂସ ଭିତରେ ଶିବ ।

 

କବିତ୍ୱ ମୋର କରେ ଅପେକ୍ଷା

ସେହି ଅନାଗତ ଦିନେ

ସୁପ୍ତ-ଝଡ଼ରେ ଚାବୁକ୍ ମାରେ ମୁଁ

ଈଶାଣ ଦିଗଙ୍ଗନେ ।

 

ଯୁଦ୍ଧର ମାନପତ୍ର ରଚନା

କରେ ଶାନ୍ତିର ଲାଗି

ଶାନ୍ତିକାମୀ ଯେ ହେବାକୁ ବାଧ୍ୟ

ଯୁଦ୍ଧର ଅନୁରାଗୀ ।

 

ତେଣୁ ଆଗେ ଲୋଡ଼ା ଯୁଦ୍ଧ,

ଯୁଦ୍ଧ କରିବ ସବୁ ସମାଧାନ

ସମାଜ ହୋଇବ ଶୁଦ୍ଧ ।

 

ମୀନାରୁ ଖସାଅ ଶାନ୍ତି ପତାକା

ଜାତିର ଯୁଆନ ଯେତେ,

ଦାଗ ଯୁଦ୍ଧର କ୍ରୁଦ୍ଧକମାଣ,

ଧର ରାଇଫେଲ୍ ହାତେ !

 

ଧ୍ୱଂସରୁ ବଳି ନାହିଁରେ ପୁଣ୍ୟ

ରୁଦ୍ର-ତାପସ ଦଳ,

ମାଫ୍ ନାହିଁ ଭାଇ, ସାଫ୍ କର ଯେତେ

ଶୋଷଣର ଜଞ୍ଜାଳ !

 

ମଇ ପହିଲା—୧୯୬୯

***

 

।। ଧ୍ୱଂସ ତଳେ ଶାନ୍ତି ଡାକେ ।।

 

ଶାନ୍ତି କାହିଁ ?

ଶାନ୍ତି କାହିଁ ?

କହରେ କହ

କ୍ରାନ୍ତିକାରୀ,

ଧ୍ୱଂସ ତଳେ

ଶାନ୍ତି ଡାକେ

ସର୍ବନାଶେ

ଶାନ୍ତି ବାରି ।

 

ଅଶାନ୍ତିର

ବୃନ୍ଦାବନ

ଆଜିର ଏଇ

ସମାଜ ରୀତି,

କାହିଁରେ କାହିଁ

ସାମ୍ୟ ଏଠି ?

କାମ୍ୟ ଖାଲି

ଧ୍ୱଂସ-ଗୀତି ।

 

ସତ୍ୟ ଏଠୁ

ନିର୍ବାସିତ

ସତ୍ୟସେବୀ

ଲକ୍ଷ୍ମୀଛଡ଼ା,

ଭଣ୍ଡ ଏଠି

ଦଣ୍ଡ ମାରେ

ପବିତ୍ରତା

ହୋଇଛି ଜଡ଼ା ।

 

ମଦ୍ୟପର

ନୃତ୍ୟଶାଳେ

ନଟିନୀ ଆଜି

ମହାଶ୍ୱେତା,

ଜୀବନ ଏଠି

ତପ୍ତ-ମରୁ

ଜଳୁଛି ଧରି

ରୁଦ୍ଧ-ବ୍ୟଥା ।

 

ମଣିଷ ଏଠି

ମଣିଷ ମାରେ

ଶାସକ ଏଠି

ସ୍ୱେଚ୍ଛାଚାରୀ,

‘ପୂଜ୍ୟ’ ଏଠି

ଯେତେକ ପାପୀ

ଦାଢ଼ିରେ ନିଜ

ଅତର ମାରି—

 

ଅଜାଡ଼େ ଖାଲି

ଭାଷଣ ମାଳା

ଶୋଷଣ କରି

ଦୁନିଆଟାକୁ,

ଚିହ୍ନିରଖ

କ୍ରାନ୍ତିକାରୀ,

ଏଇ ଯେ ସେହି

ଭଦ୍ର-ଡାକୁ !

 

* ଏ ଧାଡ଼ିଟି କାଜୀ ନଜ୍‍ରୁଲଙ୍କ ଗୋଟିଏ କବିତାରୁ ଆନୀତ ।

 

ଆପଣା ଗାଡ଼ି

ଆପେହିଁ ପେଲି

ଏମାନେ ସବୁ

କ୍ଲାନ୍ତ ଆଜି,

ଏମାନେ ସବୁ

ମୃତ୍ୟୁମୁଖୀ

ଜରଦ୍‍ଗବ

ବୃଦ୍ଧ ପାଜୀ ।

 

ସାରସ୍ୱତ-

ପୀଠରେ ପୁଣି

ଶିକ୍ଷା ଆଉ

ସଂସ୍କୃତିରେ—

ନିଜକୁ ନେଇ

ଛଂତି ଥୋଇ

ସତର୍କରେ

ଆସ୍ତେ, ଧୀରେ ।

 

ଶୋଷଣ ପୁଣି

ଦୂଷଣ ଯେତେ

ଅସାମ୍ୟ ଓ

ଅନୀତି ରାଶି

ସବୁର ମୂଳ

ଜନ୍ମଦାତା

ଏଇ ଯେ ଦଳେ

ଛଦ୍ମବେଶୀ !

 

ଅଶାନ୍ତିର

ବୃନ୍ଦାବନେ

ଏମାନେ ସବୁ

ବଂଶୀଧାରୀ

ଜଳାଅ ନିଆଁ,

ଜଳାଅ ନିଆଁ,

ଅଛରେ ଯେତେ

କ୍ରାନ୍ତିକାରୀ ।

 

ଶାନ୍ତି ପାଇଁ

ଧ୍ୱଂସ କର,

ଧ୍ୱଂସତଳେ

ଶାନ୍ତି ଡାକେ,

ଜାଗରେ ଜାଗ

ନୃତ୍ୟ ଭୋଳା

ଅଶାନ୍ତିର

ଏ ବୈଶାଖେ !

 

୮, ଅକ୍ଟୋବର—୧୯୬୮

***

 

।। ମୋ କଲମ ରକ୍ତବାନ୍ତି କରେ ।।

 

ମୋ କଲମ ରକ୍ତବାନ୍ତି କରେ,

ଏ ବିକୃତ ଦାନବୀୟ ଜରାସନ୍ଧ-ସମାଜ ଛାତିରେ ।

 

ସେ ରକ୍ତର ରଙ୍ଗନୁହେ ଲାଲ,

ସେ ରକ୍ତରେ ପାତାଳର ଚିକିଟା ଅନ୍ଧାର ।

 

ନିଖିଳର ଅଶ୍ରୁଧାର ତାହା,

ମୋ ବିଦ୍ରୋହୀ-ବ୍ୟକ୍ତିତ୍ୱର ପରିଚୟ ଯାହା,

ମୋ ମୁଣ୍ଡର ସ୍ନାୟୁ-ଶିରା ତାତିଉଠି ଯାହା ଚିନ୍ତାକରେ,

ସେ ଚିନ୍ତାର ବିଷକ୍ରିୟା

ମୋ ନିର୍ଜୀବ ଲେଖନୀ ଗର୍ଭରେ—

ଜମି ଜମି କଳାହୁଏ

ପୁଣି ହୁଏ ତା’ପରେ ତରଳ,

ଲେଖନୀ ଅସୁସ୍ଥ ହୁଏ ବହି ମୋର ଚିନ୍ତାର ଗରଳ ।

 

ତା’ପରେ ସେ ବାନ୍ତିକରେ

କଳା କଳା ରକ୍ତର ଲିପିକା,

ମୋ ଟେବୁଲ୍ କାଗଜର ଶୁଭ୍ର-ଉପତ୍ୟକା

ଶବ୍ଦଭିଡ଼େ ହୁଅଇ ମଣ୍ଡିତ,

ମୋ କାବ୍ୟିକ-ଯନ୍ତ୍ରଣାର କ୍ଷତ—

ଚେଇଁ ଉଠେ

ଧରି ଦେହେ ନିଖିଳର ନୀରବ ଯନ୍ତ୍ରଣା,

ମୋ ସହିତ ସମାଜର ଭୁଲ୍ ବୁଝାମଣା

ତୀବ୍ରତର ହୁଏ,

ଯାହା ମୋ କହିବା କଥା

ମୁଁ ତାହାକୁ ନିର୍ବିକାରେ କୁହେ ।

 

ମୋର ଏଇ ଆଦିମ ଓ ନିଃଶଂକ-ମୌନତା

ସାଧନାର ଯେଉଁ ନୀରବତା

ସମାଜର ସିଂହଦ୍ୱାରେ

ଆଉ ପୁଣି ମୋ ଶତ୍ରୁ ଶିବିରେ

ଆଣେ ଏକ ବୈଚଳିତ୍ୟ

ମୋ ବିରୁଦ୍ଧେ ସୃଷ୍ଟି ହୁଏ

ନୂଆ କୁତ୍ସା

ଯାହା ଅତି ତୁଚ୍ଛ ପୁଣି ବାଜେ,

ତଥାପି ମୋ ମୌନତାର ଆଦିମତା

ଯେହେତୁ ନ ଭାଜେ,

ସେହେତୁ ମୋ ବିରୋଧୀ ଶିବିର

କ୍ଷୀଣକଂଠେ ମୋର କବିତାର

ନାଂଦୀପାଠ କରେ,

ମୁଁ ସେବେ ଦୁଃଖିତ ହୁଏ

ପୌରୁଷର ଏ ଆତ୍ମହତ୍ୟାରେ ।

 

ମୋ ଚିନ୍ତାର ଦୁର୍ବାର ସେନାନୀ

ଦାଗେ ଗୋଳା

ମୋ କାବ୍ୟ-ଲୋକରୁ

ଅନ୍ତରେ ତା ସାମରିକ-ଉଦ୍‍ବେଗର ଝଡ଼...

ଭାଙ୍ଗିବାର ଶପଥ ନିବିଡ଼ ।

ସୃଜନର ଦୁରନ୍ତ ବେଦନା

ନୁହେଁ ଯାହା ଆତ୍ମପ୍ରବଂଚନା,

ମୁଁ ତାହାକୁ ଭଲପାଏ

ସତେ ସେ’ବା ମୋ ଗୋପନ-ପ୍ରିୟା,

ମୁଁ ତାହାକୁ ଦାନକରେ

ମୋ ଦୁର୍ବାର ପୌରୁଷର

ସେ ପବିତ୍ର ନିଆଁ ।

 

ରକ୍ତବାନ୍ତି କରେ ମୋ ଲେଖନୀ

ସେ ରକ୍ତେ ଧ୍ୱଂସର କୀଟ,

ସୃଜନର ନୂଆ ମଂଦାକିନୀ ।

ମୋ ମସ୍ତିଷ୍କ-ଆଗ୍ନେୟଗିରିରୁ

ବହିଆସେ ମସୀକୃଷ୍ଣ ଲାଭା,

ସମାଜର ଏଇ କୁରୁସଭା,

ଦୁଃଶାସନ ତପ୍ତରକ୍ତେ ବାନ୍ଧିବାକୁ ଗଭା

ମୋ କବିତା ନେଇଛି ଶପଥ,

ସାମାଜିକତାର ବୁକେ

ସୃଷ୍ଟିକରି ନୂଆ ନୂଆ କ୍ଷତ ।

 

ମୋ କଲମ ଜାଗି ଦିବାରାତି,

ଧଳାକାଗଜର ବୁକେ

ସ୍ୱପ୍ନ ଦେଖେ ନୂତନ ପାହାନ୍ତି ।

ମୋ କଲମ ମୁନ,

ଦଳିତର କଂଠଭାଷା, ନିଖିଳର ନିରୁଦ୍ଧ କ୍ରନ୍ଦନ ।

 

୧୫, ସେପ୍ଟେମ୍ୱର, ୧୯୬୮

***

 

।। ଜଡ଼ବାଦୀ ।।

 

ତ୍ରାସ, ପ୍ରେମ, କୃତଜ୍ଞତା

ଅନ୍ତରର ଏଇ ସବୁ ଅନୁଭୂତି ପରେ

‘ଦେବତ୍ୱ’ ଆରୋପ କରି

ମୁଁ କରିଛି ସୃଷ୍ଟି ‘ଭଗବାନେ’

ଏଇ ମୋ ଅନ୍ତର ଛଡ଼ା

ଅନ୍ୟ କିଛି ନାହିଁ ତାର ମାନେ ।

 

ଜଡ଼ହିଁ ମୋ ଆଗେ ମୁଖ୍ୟ

ଗୌଣ ଅନ୍ୟ ସବୁ,

ଜଡ଼ ଥିଲା, ଜଡ଼ ଅଛି,

ଚିରକାଳ ଥିବ ବିଦ୍ୟମାନ

ଜଡ଼ହିଁ ସ୍ୱୟଂଭୁ ।

 

ଜଡ଼ର କେ ସ୍ରଷ୍ଟା ନାହିଁ

ଜଡ଼ହିଁ ଅକ୍ଷୟ

ଜଡ଼ରୁ ଉତ୍ପତ୍ତି ସବୁ

ଜଡ଼ ସର୍ବମୟ ।

 

ଏ ଜଗତ, ଏ ବିଶ୍ୱବ୍ରହ୍ମାଣ୍ଡ—

ଥିଲା, ଅଛି ନିତ୍ୟକାଳ

ଥିବ ପୁଣି ରହି

ଈଶ୍ୱର, ଦେବତା, ବ୍ରହ୍ମା

କେହି ୟାକୁ ସୃଷ୍ଟି କରିନାହିଁ ।

 

ଜଗତ୍ ବିକାଶଶୀଳ, ଗତିବାନ୍

ଆପଣାର ନିଜସ୍ୱ ନିୟମେ

ବିଶ୍ୱର ବିକାଶ ଘଟେ

ବିପରୀତ-ସଂଘର୍ଷ ମାଧ୍ୟମେ...

ବିନା ‘ଭଗବାନେ’ ।

 

ସେ ସଂଘର୍ଷ ଛନ୍ଦୋମୟ

ମୋ ପାଖରେ ତାହା ଏକ

ବାସ୍ତବିକା ରୂପସୀ କବିତା,

ଏ ମୋର ଧମନୀ ପଥେ

ଶୋଣିତେ ଶୋଣିତେ

ଅହରହ ସେ ସଂଘର୍ଷ

କହେ ତାର କଥା ।

 

ଶୁଣ ଧର୍ମଗୁରୁ !

ସଂଘର୍ଷହିଁ ଧର୍ମ ମୋର

ସଂଘର୍ଷ ଭିତରୁ

ଜଗତକୁ ଦେଖେ ମୁହିଁ

ସଂଘର୍ଷର ସୁ ଉଚ୍ଚ ମୀନାରୁ

ବାସ୍ତବତା କୋଳୁ ।

 

‘ଧର୍ମ’ ମୋତେ ଦେଇନାହିଁ,

ଦେବନାହିଁ ସାମ୍ୟ ଆଉ ନ୍ୟାୟ

ସୁଖ, ଶାନ୍ତି, ଅଗ୍ରଗତି ଯାହା ମୋ ବିଜୟ

ସବୁ ମୋତେ ଅର୍ଜିବାକୁ

ହେବ ବାହୁବଳେ

ରୁଦ୍ଧ ବାତାୟନ କେଭେଁ

ଖୋଲେ ନାହିଁ ‘ତପସ୍ୟା’ର ଫଳେ ।

 

ବଂଚିବାହିଁ ଧର୍ମ ମୋର

କାମ୍ୟ ପୁଣି ଚିର ଶାନ୍ତି, ସାମ୍ୟ, ଯଶ, ମାନ

ବିଂଚିବାକୁ ହେବ ମୋତେ

ସୃଷ୍ଟିକରି ଅସାମ୍ୟର ବିଭତ୍ସ ଶ୍ମଶାନ ।

 

ଜଡ଼କୁ ଆଘାତ କଲେ

ତା ଦେହରେ ଥିବା ପରମାଣୁ

ଉତ୍ତେଜିତ ହୁଏ ଯେଉଁପରି

ଠିକ୍ ସେହିପରି

ସାମାଜିକ ଅବିଚାରେ

ଶାସନିକ-ସ୍ୱେଚ୍ଛାଚାରେ

ଉତ୍ତପ୍ତ ମୋ ପ୍ରତି ରକ୍ତକଣା,

ଧର୍ମ ମୋର ଜାଳିଦେବା

ନରସୃଷ୍ଟ-ନରକ-ଯନ୍ତ୍ରଣା ।

 

ମୋ ବିରାଟ ଧ୍ୱଂସକ୍ରିୟା ତଳେ

ସୃଜନର ଦୂରନ୍ତ ବେଦନା—

ଥିଲା, ଅଛି ସଦା ଲୁକ୍କାୟିତ

ମଣିଷର ପ୍ରଗତିର ପଥ

ତମେ ଯିଏ ରୁଦ୍ଧକର ଧର୍ମଧ୍ୱଜାଧାରୀ,

ସବୁ ଅନର୍ଥର ମୂଳ

ତମରି ସେ ଧର୍ମୀୟ-ଦେଉଳ

ତମେ ସବୁ ଜୀବନର କଳାକାରବାରୀ ।

 

 

 

‘ଧର୍ମ’ ଏକ ମରୁଭୂମି

‘ଭଗବାନ’ ତହିଁ ମରୀଚିକା,

ସଂଘର୍ଷ ମୋ ତରବାରି

ବୁଭୁକ୍ଷା ମୋ ଆଲୋକର ଶିଖା ।

 

ତମରି ‘ଈଶ୍ୱରୁ’ ବଳି

ସେ ବୁଭୁକ୍ଷା ମୋର ମହୀୟାନ

ମୁଁ ମଣିଷ ପୁଣ୍ୟଶ୍ଳୋକ

କର୍ମ ମୋର ନବ ନବ ସତ୍ୟର ସୃଜନ ।

ଏ ପୃଥିବୀ ମଣିଷର ପବିତ୍ର ମନ୍ଦିର

‘ଧର୍ମ’ ନାମେ ୟାକୁ ଯିଏ କଳୁଷିତ କର,

ସ୍ୱାର୍ଥ ଆଉ ମୁନାଫାର ଗଢ଼ ଯେ କଲୋନୀ,

‘ଧର୍ମ’ ଓ ‘ଈଶ୍ୱର’ ନାମେ

ଏ ମାଟିରେ ତମ ଶଇତାନୀ

ଉଦଗ୍ର ଚୈତନ୍ୟ ମୋର

ଏ ଅଭିଜ୍ଞ ଜଡ଼ବାଦୀ ଆଖି

ଦେଖି ଦେଖି

ମୋର ଏଇ ବୈଜ୍ଞାନିକ ମନ-ଉପତ୍ୟକା

ଜଳିଉଠେ ବେଳୁବେଳ

ଧରି ଏକ ଧ୍ୱଂସର ବୁଭୁକ୍ଷା ।

 

ଧ୍ୱଂସର ପ୍ରାଚୁର୍ଯ୍ୟ ତଳୁ

ସାମ୍ୟର ନୂତନ ସୂର୍ଯ୍ୟ

ଦେଖାଦେବ ହୋଇ ଲାଲେ ଲାଲ୍,

ପୀଡ଼ିତ-ଆତ୍ମାର ତେଜ

ତାହାହିଁ ତ ଅମଳିନ ହସର ମଶାଲ ।

ବଂଚିବାକୁ ଚାହେ ମୁହିଁ

ସବୁଜାଳି, ସବୁ ଦେଇ ପୋଡ଼ି

ଛିନ୍ନ କରି ଶୋଷଣର ବେଡ଼ି ।

ଜୀବନରୁ ସାରି ସବୁ ପୁଞ୍ଜିର ଜଞ୍ଜାଳ

ବସ୍ତୁବାଦୀ ମଣିଷ ମୁଁ

ଦ୍ୱନ୍ଦ୍ୱ ମୋର ପ୍ରିୟ ହତିଆର ।

 

୨୧, ଅକ୍ଟୋବର, ୧୯୬୯

 

[ଆକାଶବାଣୀ, କଟକ କେନ୍ଦ୍ରଙ୍କ ସୌଜନ୍ୟରୁ]

***

 

।। ନିଖିଳର କବି ।।

 

ନିଖିଳ ଜନ୍ମଲଭେ ମୋ ଭିତରେ

ମହାବିଦ୍ରୋହ ନେଇ,

ନିଖିଳର ବାଣୀ, ନିଖିଳର ଲୁହ

ଏ ମୋର କଲମ ଦେଇ—

 

କରେ ପ୍ରତିବାଦ ଅସମାନତାର

ସାମ୍ୟର କେତୁ ଟେକି,

ନିଖିଳର ମହା ନିର୍ଦ୍ଦେଶେ କବି

ବସେ ମୁଁ କବିତା ଲେଖି ।

 

ନିଖିଳର ଲୁହେ ଆର୍ଦ୍ର ଏ ମୋର

ନେତ୍ର-ନଦୀର ତଟ,

ମୁହିଁ ନିଖିଳର ଅଗ୍ରବାହିନୀ,

ମୁଁ ତାର ଚାରଣ, ଭାଟ ।

 

ନିଖିଳର କ୍ରୋଧ, ନିଖିଳର ଶୋକ

ନିଖିଳର ଅଭିମାନ—

 

 

ମୋହରି ଭିତରୁ ମୁଣ୍ଡ ଉଠାଏ

ମୁଁ ତାର ଧନୁର୍ବାଣ ।

 

ଭୀଷଣ ଦ୍ୱନ୍ଦ୍ୱ ରୂପେ ମୋ ଭିତରେ

ନିଖିଳ ଦିଅଇ ଦେଖା

ଅବିରତ ମୋର ମନ-ବନେ ଶୁଭେ

ନିଖିଳର କୁହୁ, କେକା ।

 

ଏ ମୋର ମହାନ କାବ୍ୟ-ସୌଧ

ନିଖିଳର ଦେବାଳୟ,

ଏ ମୋ ନିର୍ଜୀବ, ନୀରବ ଲେଖନୀ

ଗାଏ ନିଖିଳର ଜୟ ।

 

ଯେବେ ନିଖିଳର ମାନସଲୋକରେ

ଜାଗଇ ଅସନ୍ତୋଷ,

ତାହାରି ସୂଚନା ଜାଗେ ମୋ କଲମେ

ନୀରବେ ଅହର୍ନିଶ ।

 

ନିଖିଳ ହୃଦୟେ ବିଦ୍ରୋହାନଳ

ଯେତେବେଳେ ଟେକେ ଶିଖା

 

 

ଭୀଷଣ ସଂଗ୍ରାମିକ-ଉତ୍ତାପେ

ସେବେଳେ ଦିଏ ମୁଁ ଦେଖା ।

 

କାବ୍ୟଲୋକ ମୋ

ନିଖିଳର ରାଜଧାନୀ,

ନିଖିଳ ଆଖିର ଲୁହଧାର ମୋର

ବେଦବତୀ ସୁରଧୁନୀ ।

 

ମୁହିଁ ନିଖିଳର କବି,

ଆପଣା ଭିତରେ ନିତି ଦେଖେ ମୁହିଁ

ବିରାଟ ନିଖିଳ ଛବି ।

 

ନିଖିଳର, କଥା, ନିଖିଳର ବ୍ୟଥା-

ବାରିଧିର ଢେଉ ରାଜି

ଏ ମୋର କାବ୍ୟପୁରୁଷ ହୃଦୟେ

ଅବିରତ ପଡ଼େ ଭାଜି ।

 

ନିଖିଳ କହିଛି ମୋତେ:

‘‘ଗଢ଼ିବା ସ୍ୱପ୍ନ ଭୁଲିଯାଇ କବି,

 

 

ଭାଙ୍ଗ୍ ତୁ ପାରୁଛୁ ଯେତେ !

ଏଇ ଯେ ମନ୍ଦ ସମାଜ ବିରାଜେ

 

ମଣିଷର ଚାରିଧାରେ,

ଶୋଷଣବାଦର ବୃନ୍ଦାବନ ଏ,

ଏହାକୁ ଭାଙ୍ଗିବାରେ—

ହେଳା ତୁ ନ କର, ଉଠା ହତିଆର,

 

ଛୁଟା ଚିନ୍ତାର ସେନା,

ଧ୍ୱଂସରୁ ବଳି ନାହିଁରେ ପୁଣ୍ୟ,

ଧ୍ୱଂସର ତଳେ ଅନା,—

ନୂତନ ସୃଷ୍ଟି, ନୂତନ ଜୀବନ

ତୋତେ ଅପେକ୍ଷା କରେ

ଉଷାର ସୂର୍ଯ୍ୟ ପଦାଘାତ ହାଣେ

ରାତିର ତୋରଣଦ୍ୱାରେ ।

 

ଏଇ ଦାନବୀୟ-ସମାଜ-ସଉଧ

ନ ହୋଇଲେ ଧରାଶାୟୀ,

ସୁଖୀ ସମାଜର ପୁନାଦୀ ପଡ଼ିବା

ସମ୍ଭବ ହେବ ନାହିଁ ।’’

 

ତେଣୁ ଏ ସମାଜ ରୀତିର

ତ୍ରାସନ ତଳେ,

ନିଖିଳର ମହାନିର୍ଦ୍ଦେଶେ ମୋର

ଚିନ୍ତାର ନିଆଁ ଜଳେ ।

 

ଏ ନିଆଁ ଅନିର୍ବାଣ,

ନିଖିଳର ବ୍ୟଥା, ବିଦ୍ରୋହ, ଶୋକ

ଏ ନିଆଁର ଇନ୍ଧନ ।

 

୧୭, ସେପ୍ଟେମ୍ୱର, ୧୯୬୮

***

 

।। ଲୋହିତ ବାର୍ତ୍ତା ।।

 

ଏ କଳାବଜାର ବାତ୍ୟାପୀଡ଼ିତ ଅନ୍ଧାର ଜଳରାଶି

କେତେ ଦିନ ଧରି ସନ୍ତରିବୁ ତୁ ହେ ମୋ ପ୍ରିୟ ଦେଶବାସୀ ?

 

କେତେ ଦିନ ଆଉ ଆରେ ନିରନ୍ନ, ଶୂନ୍ୟ ଥାଳିକୁ ଚାହିଁ

ଆକାଶ ଦୋହଲା ଦୀର୍ଘଶୁଆସେ କରୁଥିବୁ ହାଇ ହାଇ ?

 

ଆରେ ହତଭାଗା, ଶୁଣୁଥିବୁ କେତେ ପୁରାଣ, ଧର୍ମ ବାଣୀ,

ନେତ୍ର-ତଟରୁ ଦେଉଥିବୁ ଏଣେ ଲୋତକର ରେଣୁ ବୁଣି ।

 

‘ପୁରାଣ’ ଦେଲାକି ପୋଛି ତୋର ବ୍ୟଥା, ଦୁଃଖ ବେଦନା ଯାହା ?

‘ଧର୍ମ’ ଦେଲାକି ସମ ଅଧିକାର, ଟାଣ ହେଲାକି ତୋ ବାହା ?

 

ବରଂ ହୋଇଲା ପ୍ରତିବନ୍ଧକ ଅନୀତିର ପ୍ରତିରୋଧେ

‘ପୁରାଣ’ ପୃଷ୍ଠା ପୂରଣ ହେଲାରେ ତୋହରି ଆର୍ତ୍ତନାଦେ !

 

ତେଣୁ ସେ ପୁରାଣ, ଧର୍ମଗ୍ରନ୍ଥ ସବୁ ଦେଏ ପୋଡ଼ି ଜାଳି,

ଧମନୀ ରୁଧିରେ ରଚନା କର୍ ତୁ ମଣିଷର ପଦାବଳୀ ।

 

 

 

ତୁହି କାରିଗର, ସବୁ ଧର୍ମୀୟଦେଉଳର ନିର୍ମାତା

ସବୁ ପୁରାଣର ଭାଷ୍ୟକାର ତୁ, ସବୁଠାରେ ତୋର ବ୍ୟଥା ।

 

କ୍ରୌଞ୍ଚ ବିରହେ ତୋ ବେନି ନୟନୁ ଦିନେ ଝରିଥିଲା ଲୁହ

ପୃଥିବୀ ବୁକୁରେ ତାହାହିଁ ତ ମହାକାବ୍ୟର ସମାରୋହ ।

 

ହେ ମଣିଷ ମହାକବି,

ଏଇ ଦେଖ, ଦେଖ, ସତ୍ୟର ଦୀପ ସକରୁଣେ ଯାଏ ନିଭି !

 

ଆଉ କେତେ କାଳ ‘ଭଗନାନ’ ପରି ମୂକ ହୋଇ ଥିବୁ ବସି ?

ଜନ ସମୁଦ୍ର ! ନୀଳ ନଭେ ତୋତେ ଡାକେ ପୂର୍ଣ୍ଣିମା ଶଶୀ ?

 

ଉପକୂଳୁଁ ଆସେ ତୋ ପାଇଁ ଡାକରା, ବେଳାଭୂମି ଅଛି ଚାହିଁ

ଅଧୀର ଆବେଗେ ପ୍ରିୟତମ, ତା’ରେ ଚୁମ୍ୱନ ଦେବୁ ନାହିଁ ?

 

ଆଣିବୁ ନାହିଁକି ପ୍ରଳୟ ଉଆଁସ ଆଗାମୀ ସକାଳ ଲାଗି ?

ପୂର୍ବାଶା ଭାଲେ ଶ୍ରମ-ସନ୍ନ୍ୟାସୀ ଉଠିବୁ ନାହିଁ କି ଜାଗି ?

 

ଆରେରେ ସର୍ବହରା,

ହରାଇବା ପାଇଁ କିଛି ନାହିଁ ତୋର ଦୁଃଖର ବେଡ଼ି ଛଡ଼ ।

 

ପୃଥ୍ୱୀମାତାର ଶୋକାଗ୍ନି-ଶିଖା ତୋହରି ପେଟର ଭୋକ

ସାତ ସାଗରର ଜଳ-କଲ୍ଲୋଳ ତୋର ଅନ୍ତର ଶୋକ ।

 

ଗ୍ରଗତିର ଗତି ତୁହି ‘କାରାଭାନ୍’ ଅଭାବର ମରୁଭୂମେ

ତୋହରି ଆଖିର ଶାଣିତ ଚାହାଣି ସୁଦୂର ବକ୍ଷ ଚୂମେ ।

 

ଶୋଷକ ଆଖିରେ ତୁ ଚିର ମୂର୍ଖ, କୀଟ ଆଉ ମଶା, ମାଛି,

ଚିର କ୍ଷୁଧାର୍ତ, ନାହିଁ ତୋ ଶିକ୍ଷା, ଭଦ୍ରତା ଯାହା କିଛି ।

 

ଏ କଥାକୁ ଆଜି କର ସିଉକାର, ଖୋଲି କୁହ ବାତାୟନ :

‘‘ତମରି ଶିକ୍ଷା ତମଠାରେ ଥାଉ, ଶୁଣ ଆମ ଗୁଞ୍ଜନ !

 

ମଶା ମାଛି ଯେବେ ଶିକ୍ଷିତ ହେବେ, ତମେ ସବୁ ଯିବ କାହିଁ ?

ଆମେ ସବୁ ମଶା-ମାଛିର ବାହିନୀ, ଶିକ୍ଷା ତ ଲୋଡ଼ା ନାହିଁ ।

 

ତମ ସମାଜର କ୍ଷତ ମୁଖେ ଦେବୁ ମୃତ୍ୟୁ ଜୀବାଣୁ ଛାଡ଼ି

ଆଖି ଆଗେ ତାର କଳୁଷିତ ଦେହ ଯାଉଥିବ ସଢ଼ି ସଢ଼ି ।

 

ତମରି ରୁଗ୍‍ଣ-ସଭ୍ୟତା-ଶବ-ବାହକର ଦଳ ଆମେ

ଶପଥ ଘେନୁଛୁ ତମରି ଧର୍ମ, ଗ୍ରନ୍ଥ, ପୁରାଣ ନାମେ ।

 

ତମ ରାତ୍ରିର କଳା ଯବନିକା ଟାଣି, ଖୋଲି ଦେବୁ ରୂପ

ତମ ଅନୀତିକା-ଦେବୀର ଦେଉଳେ ପକାଇବୁ ଆମେ ଛେପ ।

 

ଆମ ଭିତରର ଭଗବାନ ଏଇ ବିଦ୍ରୋହ କରିଉଠେ

ଭୀଷଣ ସଂଗ୍ରାମିକ-ଉତ୍ତାପେ ନିଃଶ୍ୱାସ ଆମ ଛୁଟେ ।

 

ମାଡ଼ରେ ଦେବତା ଯାଚିଦିଏ ବର ଏଇ କଥା ଆମେ ଜାଣୁ

ପ୍ରବଳ ଆଘାତେ ଜଡ଼ର ଜଠରେ ବାଜେ ଚେତନାର ବେଣୁ ।

 

ତମରି ଗୁଳିରେ ଆମେ ତ ମରିବୁ, ପୁଉଣି ଉଠିବୁ ଜୀଇ

ତମରି ଲୋତକବାଷ୍ପ ଆମର ପୁଷ୍ପମାଲ୍ୟ ଭାଇ !’’

 

ଏଇକଥା କହ ଆରେରେ ସର୍ବହରା,

ସବୁ ହରାଇଛୁ, ବାକି ଯାହା ଅଛି ତୁରନ୍ତ ସବୁ ହରା ?

 

ଯୁଗଯୁଗାନ୍ତ ଶୋଷଣ, କଷଣ, ରୋଗ, ଶୋକ, ଅନାଟନ,

ଲାଂଛନା ଯେତେ ମୁଷ୍ଟିମେୟର ଦୟାଦାନ, ଅପମାନ ।

 

ସୁପ୍ତ-ଝଡ଼ର ଅଗ୍ରବାହିନୀ, ମାର୍ଗ ତୋ କର ସାଫ୍,

ନାହିଁରେ ଯୁକ୍ତି, ନାହିଁରେ ତର୍କ, ଶୋଷକରେ ନାହିଁ ମାଫ୍ ।

 

ଉଦୟର ବ୍ୟଥା କଥା କହେ ଶୁଣ୍, ପ୍ରାଚୀ ଭାଲପଟେ ଏଇ,

ଅମିତବୀର୍ଯ୍ୟ ସୂର୍ଯ୍ୟ ଉଠୁଛି ଲୋହିତ ବାର୍ତ୍ତା ନେଇ ।

 

୨, ଜୁନ୍, ୧୯୬୯

***

 

।। ମକଦ୍ଦମା ।।

 

‘ଭାଗ୍ୟ’ ଆଉ ‘ଭଗବାନ

ବିରୁଦ୍ଧରେ

ଆଜନ୍ମରୁ ମୋର ମକଦ୍ଦମା,

ମୋ ଜୀବନ, ମୋ ସାହିତ୍ୟ

ତାର ଏକ ସରଳ ତର୍ଜମା ।

 

ମୋ ଗଦ୍ୟର ନିର୍ମ୍ମମ ହାତୁଡ଼ି

ସର୍ବଦା ଉଦ୍ୟତ ପୁଣି ସଚେତନ

ଚୂରିବାକୁ ‘ଭାଗ୍ୟ’ର ଖପୁରି ।

 

ମୋ କାବ୍ୟ-କବିତା

ତାର ଭାଷା, ତା କଥନ,

ତା ଅନ୍ତରର ଆବେଗ ଓ ବ୍ୟଥା,

ତା’ର ଛନ୍ଦ, ତା ଯମକ, ତାର ଅନୁପ୍ରାସ

ତା ଆତ୍ମବିଶ୍ୱାସ

ଯାହା ଚିର ଲେଲିହାନ

ଅଗ୍ନିସମ ସର୍ବଦା ଉଦ୍‍ଗ୍ରୀବ,

ଦେଖିବାକୁ ‘ଭଗବାନ’ ଶବ ।

 

ଜଡ଼ ମଧ୍ୟେ ଚୈତନ୍ୟ ଯେପରି,

ସେହିପରି ମୋ ଜୀବନ

ସତେ ଅବା ଉତ୍ତେଜିତ ପରମାଣୁରାଶି

ପ୍ରଚଣ୍ଡ ଆଘାତେ ସେହି

ଉଠେ ଚେଇଁ

ଉଠେ ଅଟ୍ଟହାସି ।

 

ଜୀବନ ମୋ ସାମରିକ-ଉଦ୍‍ବେଗର ଝଡ଼

ଭୀଷଣ ଦୁରନ୍ତ ପୁଣି ବେଗଗାମୀ, ଭାଷାବାହୀ

‘ଭଗବାନ’ ଠାରୁ ବଳି ବଡ଼ ।

 

‘ଭାଗ୍ୟ’ ଆଉ ‘ଭଗବାନ’

ଏଇ ଦୁହେଁ ଦୁଇଟି ଆସାମୀ

ମୋର ଅଭିଯୋଗେ

ମୁଁ ଦେଖିବି

ଏମାନଙ୍କ ପ୍ରାଣଦଣ୍ଡ

ମୋର ଆଖିଆଗେ ।

 

ତିଳେ ହେଲେ ନାହିଁତ ସଂଶୟ

ଏକଥା ନିଶ୍ଚିତ ଅତି

ବିଜୟ ବ୍ୟତୀତ ମୋର

ଅଭିଧାନେ ନାହିଁ ‘ପରାଜୟ’ ।

***

 

।। ଜନ-ଉପାସନା ।।

 

ଚାରିପାଖେ ମୋର ମନ୍ଦ ସମାଜ ଶନିର ମେଖଳା ଭଳି

ଘେରି ରହିଅଛି ବିଷର ବଳୟ, ତନୁ ମନ ଉଠେ ଜଳି ।

ଉଦ୍ଦାମ ଗଣ-ଗଂଗା ନୀରବ

କୂଳେ କୂଳେ ତାର ସତ୍ୟର ଶବ

ଦୈତ୍ୟ-ଭବନ ହାସ୍ୟମୁଖର ଦେଖୁଛି ମୁଁ ମୂକ ଭଳି !

 

ଶକ୍ତି ମାଗୁଛି ନିପୀଡ଼ିତ ଜନେ, ଚାଷୀରେ ମାଗୁଛି ଦାଆ

ଶ୍ରମିକେ ମାଗୁଛି ହାତୁଡ଼ି ଶାବଳ, ମାଗୁଛି ପେଶଳ ବାହା ।

ଅସନ୍ତୋଷର ନିଆଁରୁ ଟିକିଏ

ମାଗେ ମୁଁ ନୀରବେ ଗଣକବିଟିଏ

ଦଳିତ ଜୀବନ ମୋର ଭଗବାନ, ଦଳିତ ଶକ୍ତି ସାହା ।

 

ଛାତ୍ରରେ ମାଗେ ଉଦ୍ଦାମତା ମୁଁ, ଶିଳ୍ପୀରେ ମାଗେ ତୂଳି

କିରାଣୀରେ ମାଗେ ନୀରବ-ପ୍ରେରଣାଧରି ମୋ ଭିକ୍ଷାଥାଳି ।

ପତିତ, ପଙ୍ଗୁ ଜନତାରେ ମାଗେ

ଝଡ଼ର ଆଶିଷ ଘନ ଅନୁରାଗେ

ଜନସମୁଦ୍ର ! ଶିରେ ମୋର ଦିଅ ପ୍ରଳୟ-ଆଶିଷ ଢାଳି ।

 

ଏଇ ଏ ଜାତିର ବାରୁଦଗଦାରେ ଲାଗିବଟି ଯେଉଁ ନିଆଁ

ହେ ମୋର ଜାତିର ପ୍ରିୟ ଜନଗଣ, ତମଠାରେ ଅଛି ତାହା ।

ଲୋଡ଼ାନାହିଁ ମୋର ଗଳେ ଫୁଲମାଳ

ଦଳିତ–ଶକ୍ତି, ମିଳିତ ପ୍ରହାର

ତମରି ଗଳିତ କଂଥାଟି ମୋର ଲଳିତ-ଶଯ୍ୟା ଆହା !

 

ଅସୁନ୍ଦରର ଏଇ ରାଜଧାନୀ-ରାଜପଥଧାରେ ବସି

ଜନତା ! ତମକୁ ମାଗିଛି, ମାଗୁଛି ଶକ୍ତି ଅହର୍ନିଶି ।

ମନ-ମନ୍ଦିରେ ତମେ ମୋ ଦେବତା

ତମେ ମୋର ମହାକାବ୍ୟ-କବିତା

ତମେ ମନୋହର, ତମେ ସୁନ୍ଦର ସଂଗ୍ରାମୀ ଦିବାନିଶି ।

 

ଯେତେ ବଂଚିତ, ଯେତେ ପଦାନତ, ଦଳିତ, ଶୋଷିତ ଜନ

ସଂଗ୍ରାମ ତମ ମହାତପସ୍ୟା, ଧର୍ମ ଓ ଭଗବାନ ।

ମୋର କବିତାର ପ୍ରିତିଟି ଚରଣ

ତମରି ଛଂଦେ ସଦା ମହୀୟାନ

କବିତ୍ୱ ମୋର ସହିପାରେ ନାହିଁ ତମରି ଅସମ୍ମାନ ।

 

ଆହେ ହତଭାଗା ଜନସାଧାରଣ, ତମରି ରକ୍ତରାଗ,

ତମ ଛାତିତଳେ ଲୁକ୍କାୟିତ ଯେ ସାମରିକ-ଉଦ୍‍ବେଗ,

ସବୁରିର ମାନପତ୍ର ରଚନା—

କରିବାକୁ ମୋତେ ଦିଅହେ ପ୍ରେରଣା,

ହେ ମଶାଲଧାରୀ ବିଶାଳପୁରୁଷ, ତମେହିଁ ସୃଜନ ଯୋଗ !

 

ଦିଅ ଏ କବିରେ ତମରି ଛାତିର ଲୁହାର ଦାମ୍ଭୀକତା

ସେହି ଦମ୍ଭରେ କବିତ୍ୱ ମୋର ଗାଉ ଧ୍ୱଂସର ଗାଥା

ପୁରାତନତାର ଯେତେ ମେଦଭରା

ଅତୀତ ବୁକୁରେ ଦେବି ମୁଁ କବର

ରଚିବି ଆଗାମୀ ସୁଖୀ-ସମାଜର ସୁମହାନ ସଂହିତା ।

 

୧୯, ଫେବୃଆରୀ, ୧୯୬୯

।। ରାତି ୧୨ଟା ।।

***

 

।। ଅଂଗୀକାର ।।

 

ଦେବୀ ଭାରତୀ ଗୋ, ଦେଇଥିଲେ ଯେଉଁ ବୀଣା

ଏ କବି ହାତକୁ ବହୁଦିନ ତଳେ ଟେକି,

ବଜାଇ ପାରିନି ତାକୁ, ଏତ ଜଣାଶୁଣା

ଅପସୃଷ୍ଟିର ବିଭୀଷିକା ଦେଖି ଦେଖି ।

 

ପ୍ରତିବାଦ ଆଉ ବିଦ୍ରୋହ ଗୀତ ଗାଇ

ଅକଲ୍ୟାଣର ଗିରିସଂକଟ ପଥେ,—

ଚାଲିଛି, ଚାଲିବି, ଚାଲିବାର ଶେଷ ନାହିଁ

ରୁଦ୍ର-ଦତ୍ତ-ମଶାଲ ରହିଛି ହାତେ ।

 

ଛାତି ତଳେ ଅଛି ବ୍ୟଥା-ବାରିଧିର ଜଳ

ନିଖିଳର ଜଣେ ସାମାନ୍ୟ ପ୍ରତିନିଧି

ବହୁଦୂରେ ଶୁଭେ ଆଗାମୀର କୋଳାହଳ

ସେଥିପାଇଁ ମୁହିଁ ଆଗୁଆନ ନିରବଧି ।

 

ଦେଖିବିକି ନାହିଁ ସ୍ୱର୍ଣ୍ଣ-ଉଷାର ଛବି

କହିପାରିବିନି ! ସେକଥା ସମୟ ଜାଣେ,

 

 

ସାମାଜିକତାର ବିଷ-ଦଂଶନେ କବି

ନିତି ନୂଆ ନୂଆ କ୍ଷତ ଜାଗେ ମନେ, ପ୍ରାଣେ ।

 

ଚାରିଧାରେ ହସେ ଅଭାବର ମରୁବାଲି

ଜୀବନ ଫୁଲର ପାଖୁଡ଼ା ମଳିନ ହୁଏ,

ବହୁ ଦେଖିଲିଣି ବନ୍ଧ୍ୟା-ଆଗାମୀ କାଲି—

ନୀରବରେ ମୋର ପାଖଦେଇ ଚାଲିଯାଏ ।

 

ତଥାପି ଚାଲିଛି ବିରାଟ ସୁଦୂର ଦିଗେ

ପଦାଘାତେ ଚୂରି ଅମାବତାର ଘାଟି,

ଶୁଣେ, ଦୁନ୍ଦୁଭି ଆଘାତ କେବଳ ମାଗେ

ନିଶୀଥେ ପାଏ ମୁଁ ସୂର୍ଯ୍ୟୋଦୟର ଚିଠି ।

 

ପୀଡ଼ିତ ସତ୍ୟ ପୀଠେ ଯେ ଶପଥ ଦିନେ–

ନେଇଥିଲି ଦେବି, ପବିତ୍ରତାକୁ ଛୁଇଁ

ବେସାଲିସୀ ଭାବେ, ପ୍ରବଳ ଆକ୍ରମଣେ

ଝଡ଼ ବେଗେ ଯିବି ଜୀବନର ଗୀତ ଗାଇ ।

 

ମଶାଣି ମାଟିରେ ହାଡ଼ ମୋ କହିବ କଥା

ସମ୍ମୁଖ ଭାଗେ ଆପଣାର ଚିତା ଜାଳି,

 

 

ଲେଖିଦେଇ ଯିବି ଜୀବନର ଦାବି, ବ୍ୟଥା:

ସମାଜଟା ଥିଲା କିପରି ଅତ୍ୟାଚାରୀ ।

 

କିପରି ମଣିଷ ହୋଇଥିଲା ଏଠି ଜଡ଼

ସବୁ ଅନୀତିକୁ ନେଇଥିଲା ମଥାପାତି,

ଫୁଟିବା ଆଗରୁ ଝଡ଼ିଥିଲା ଫୁଲ କଢ଼

ଜଳିବା ଆଗରୁ ନିଭିଥିଲା ସବୁ ବତି ।

 

‘ଧର୍ମ’ ନାମରେ ଯେତେ ଦାଢ଼ିବାଲା ପାପୀ

‘କଳା’ ନାମେ ଖୋଲି ଦେଶରେ ବେଶ୍ୟାଳୟ,

ବିକୃତି ବୀଜ ମନ-ଅଂଗନେ ରୋପି

ପାଶବିକତାର ଗଢ଼ିଥିଲେ ଦେବାଳୟ ।

 

ପେଷଣ-ଯନ୍ତ୍ରେ ବିଦ୍ରୋହୀ ହାଡ଼ ଚୂରି

ବସାଇଥିଲେ ତ ସାର କାରଖାନା ଦେଶେ,

ଭିତରେ ଶୋଷଣ, ଦିବାରାତି ‘‘ହରି ହରି’’

ଗଦି ପରେ ମେଦ ନଦି ‘‘ଦାତାରାମ’’ ବେଶେ ।

 

ସମାଜ-ନିୟମ, ଧର୍ମ, ଶାସନ ଯାହା—

କିଛି ମୁଁ ମାନିନି, ଗଲାଣିତ ଯଉବନ,

ସାଲିସ୍ କରିବି ? ଦୁଃସମ୍ୱାଦ, ଆହା !

ଯେ କହିବ ମୋତେ, ହେଉ ସିଏ ଭଗବାନ ;

 

ପଦାଘାତେ ତାର ଶଙ୍ଖ, ଚକ୍ର, ଗଦା—

ଖସାଇବି ହାତୁଁ, ଧରିବି ତାହାର ଗଳା

ଧର୍ମୀୟ-ଅନୁଶାସନକୁ ତାର ବିଦା—

କରି ଭାଂଗିବି ଅନୀତିର ପାନଶାଳା ।

 

ପୁରୁଷୋତ୍ତମ ସତ୍ୟ ମୁଁ, ଜଣେ କବି

ଦେବୀ ଗୋ, ତୋ ପୀଠେ କରୁଛି ଅଂଗୀକାର,

ମାନବିକତାର ଆଉ ବିକୃତ ଛବି—

ଦେଖିପାରିବିନି ବିଦ୍ରୋହୀ-କଳାକାର ।

 

ତୋହରି ମରାଳ-ହ୍ରଦ ଶ୍ୱେତ-ଶତଦଳ

ହେଉ ଲାଲେ ଲାଲ୍ ମୋହରି ରୁଧିର ଧାରେ,

ମହା ଭୂଗୋଳରୁ ପଶୁର ଶାସନକଳ

ଧୂଳିସାତ୍ ହେଉ ସତ୍ୟର ହାହାକାରେ ।

 

୨୬ ଜୁନ୍, ୧୯୬୯

***

 

।। ମିଳାଅ ହାତ ।।

 

କଲମ ମୁନେ ପ୍ରଳୟ ଜାଗେ, ମଳୟ ବନେ ଝଂଜା ହସେ

କବିତା ହୁଏ ଉନ୍ମାଦିନୀ, କବିତ୍ୱ ମୋ ଅଟ୍ଟହାସେ ।

 

ବାଜଇ ମନେ ଅଗ୍ନିବୀଣା, ଚରଣ ତଳେ ଭୂକଂପନ

ବୀର୍ଯ୍ୟହୀନ ସୂର୍ଯ୍ୟ ହସେ, ଉର୍ଧ୍ୱାକାଶେ ନାହିଁ ତ ପ୍ରାଣ ।

 

ଛଦ୍ମତାର ପଦ୍ମବନେ ବସିଛି ମହା ଭଣ୍ଡ ସଭା

ମୁହୁର୍ମୁହୁଃ ଉଠୁଛି ଫୁଟି ନାରୀର କେତେ ଅଧର ଜବା !

 

ନୃତ୍ୟଶାଳେ ନୁପୂର ବାଜେ, ‘କଳା’ର ନାମେ ବେଶ୍ୟାଳୟ—

ଚାଲିଛି ଶୁଭ ଉଦଘାଟନ, ନାହିଁ ତ ବାଧା, ନାହିଁ ତ ଭୟ !

 

ଯେତେକ ସବୁ ଭଗ୍ନଜାନୁ, ଯେତେକ ଉପଦଂଶ ରୋଗୀ

ବୃଦ୍ଧ ଯେତେ ଜରଦ୍‍ଗବ, ସମାଜେ ଆଜି ‘‘ସିଦ୍ଧ ଯୋଗୀ’’ ।

 

ଅତରମରା ଅନେକ ଦାଢ଼ି, ଛଦ୍ମବେଶୀ ଧର୍ମଗଧ

‘‘ଦେଶ ପ୍ରେମ’’ ବର୍ମତଳୁ ଉଚ୍ଚାରଇ ମନ୍ତ୍ରବେଦ ।

 

 

 

ଭଣ୍ଡ ଯେତେ ଦଣ୍ଡ ମାରେ ଜୀବନ ବଡ଼ଦାଣ୍ଡ ପରେ

ନୀରବେ ବସି ସିଂହାସନେ ଜଗନ୍ନାଥ ମୁଣ୍ଡ ଘୂରେ ।

 

ନୈତିକତା ପଙ୍ଗୁ ଆଜି, ପବିତ୍ରତା ସଂଗହୀନ,

ସତ୍ୟ ଆଜି ଶଯ୍ୟାଶାୟୀ, ସତ୍ୟସେବୀ ରୁଗ୍‍ଣ ଦୀନ ।

 

ବ୍ୟୁରୋତ୍ରାସୀ ଅଟ୍ଟହାସେ, ଦାରିଦ୍ର୍ୟର ନଗ୍ନଛବି

ଉତ୍‍ଥାନର ସଂଭାବନା ଗୋଟିକି ଗୋଟି ଯାଉଛି ନିଭି ।

 

ଚତୁର୍ଦ୍ଦିଗେ ମୃତ୍ୟୁମାୟା, ଆତଂକର ଅନ୍ଧକାର

ହେ ମୋର ସମଧର୍ମୀ କବି ଅଛରେ କିଏ ଅଗ୍ନିଜାଳ !

 

ମସୀରେ ତମ ମିଶାଅ ବିଷ, ବଜାଅ ନିଜ ଅଗ୍ନିବୀଣା,

କାନ୍ଦେ ଶୁଣ ସରସ୍ୱତୀ, ଶୁଝିବ ନାହିଁ ତାହାରି ଦେ’ଣା ?

 

ଜଲ୍ଲାଦର ଲୋମଶହାତ ଅନ୍ଧକାରେ ବୁଲୁଛି ଆଜି—

‘‘କେଉଁଠି ଅଛି ଆଲୋକ ଶିଶୁ’’ ? ଦେଖରେ ଦେଖ ସବ୍ୟସାଚୀ !

 

ଗୋଟାକୁ ଗୋଟା କତଲ୍ ଗାହ୍ (୧) ଛଦ୍ମନାମେ ଟେକୁଛି ମଥା

ଆମେହିଁ ଦେବା ପୂର୍ବାଶାରେ ନୂତନ ଏକ ଉଦୟ-ବ୍ୟଥା ।

 

ଶୋଇଛି ଝଡ଼ ଈଶାଣେ ସାଥୀ, ଗୋଟିଏ ଖାଲି ଆଘାତ ଚାହେ

ତାପରେ ତାର ଫିଟିବ ଜଟା, ଛୁଟିବ ସିଏ ଆପଣା ଛାଏଁ ।

 

ଶ୍ମଶାନେ ଏଇ ଶୋଇଛି ଶିବ, ଭାଂଗିନାହିଁ ଭାଂଗନିଶା

ଅଷ୍ଟପାଟମହିଷୀ ମେଳେ ବିଶ୍ୱପିତା ଖେଳୁଛି ପଶା ।

 

ଅନୀତି ନିରାକରଣ ପାଇଁ ସମ୍ମୁଖେ ତା ଅର୍ଜିପେଶ୍—

ହୋଇବ ଯେବେ, ନଥିବ କିଛି, ଥିବ ତ ଖାଲି ସର୍ବଶେଷ୍ ।

 

ବଂଚିତର ମାନସଲୋକେ ଚେତନା-ସାପ ଶୋଇଛି ସୁଖେ

ଗାଇବା ଆସ ପଦ୍ମତୋଳା କେତକୀବନ-ବିତାନ ପାଖେ ।

 

ନରକ ଆମ ଶାନ୍ତିନୀଡ଼, ଚଣ୍ଡି ଆମ ସରସ୍ୱତୀ

ମରଣ ଆମ ମରମୀବଧୂ, ଭଗିନୀ ଆମ ଝଂଜାବତୀ ।

 

ଆମରି ରାୟ ସର୍ବଶେଷ, ଆମେରେ ସବୁ ବେପର୍ବାୟ

ସୃଷ୍ଟିସୁଖେ ଆମେ ହିଁ କରୁ ଜଗତଟାକୁ ଧ୍ୱଂସମୟ ।

 

(୧) କତଲ୍ ଗାହ୍—ବଧ୍ୟଭୂମି ।

 

 

 

ଯାହାଟା ଅଛି ଘୃଣ୍ୟ ତାହା, ବିକୃତିର ଜୀର୍ଣ୍ଣ ଛବି

ଆମେକି ଚାହୁଁ ‘‘ସ୍ୱୀକୃତି’’ ତା ଅଗ୍ରଯାୟୀ ବ୍ୟଗ୍ରକବି ?

 

ସମାଜ ଏକ ଜୀର୍ଣ୍ଣ-ଘଣା, ବଳଦ ତାର ଶାସକ ଯେତେ

ଜଳଦସ୍ୱରେ ଜରଦ୍‍ଗବ ଭାଷଣମାଳା ଅଜାଡ଼ୁ ଯେତେ;

 

ଶୁଣନା ଭାଇ, ଆସରେ ଆସ, ଲାଗିଛି ତେଣେ ସାଗରେ ଦୋଳା

ବିପ୍ଳବର ନିମନ୍ତ୍ରଣ ଗ୍ରହଣ କର ନୃତ୍ୟଭୋଳା !

 

ଜୀବନ ପାଇଁ ମୃତ୍ୟୁ ଆଣ, ସୃଷ୍ଟି ପାଇଁ ଧ୍ୱଂସକର,

ଆଘାତେ ଜଡ଼ ଚେତନା ଲଭୁ, ବାଲ୍ମିକୀର ବଂଶଧର,

 

ମିଳାଅ ହାତ, ମୈତ୍ରୀ ଆମ ହେଉରେ ହେଉ ଦୀର୍ଘଜୀବୀ,

ଦ୍ୱନ୍ଦ୍ୱ ଆମ କାବ୍ୟ-ପୋଥି, ଆଂକ ନୂଆ ଜୀବନ ଛବି !

***

 

।। କିଏ ? ।।

 

ତମକୁ ଦେଖିବି ବୋଲି,

ଅନାଇଁଲି ମୋର ଏଇ ଏ କ୍ଲାନ୍ତ ଆଖିପଲ୍ଲବ ମେଲି ।

 

ପାତିଲି ଶ୍ରବଣ, ତମକୁ ଶୁଣିବି, ତମେ ଗଲନାହିଁ ଶୁଣା,

ଧରିବାକୁ ଗଲି, ଧରା ଦେଲନାହିଁ, ବାଜିଲା ବ୍ୟର୍ଥ-ବୀଣା ।

 

କେ ତମେ ବ୍ୟାପ୍ତ, କିଏ ଏକାକାର, ସବୁଥିରେ ଅଛ ମିଶି ?

ତମକୁ ଭାବେ ମୁଁ ଏଇ ମୋ ନୀରବ ବାତାୟନ ପାଶେ ବସି ।

 

ଅନୁଭବେ ମୁହିଁ ତମରି ଉଦୟ ନୁହେ ତ ଆଲୋକମୟ

ତମରି ଅସ୍ତ ଆଣେନାହିଁ ମନେ ଅନ୍ଧକାରର ଭୟ ।

 

ତମରି ବ୍ୟାପ୍ତି, ତମ ବିସ୍ତୃତି କଳ୍ପନାତୀତ ମୋର

ଶୂନ୍ୟରୁ ଆସ, ଶୂନ୍ୟରେ ମିଶ, ଶୂନ୍ୟତା ପାଶେ ଫେର !

 

ଆକାରହୀନକୁ ରୂପଦେବା ଯାହା—ଠିକ୍ ସେହିପରି କଥା

ଶୂନ୍ୟତା ବୁକେ ଛାୟାର ସୃଷ୍ଟି, ତମକୁ ପାଇବା ବ୍ୟଥା ।

 

 

 

କଟକ

ତା ୧୧, ମାର୍ଚ୍ଚ, ୧୯୬୯

।। ରାତି ୧୨ଟା ।।

***

 

।। ଆଉ କେତେଦିନ ।।

 

ହେ ଅପମାନିତ, ପ୍ରତାରିତ ମୋର ଅନାବିଳ ଯଉବନ

ମାନସଲୋକୁ ମୋ କେବେ ବା ନିଭିବ ଦୁଃଖର ହୁତାଶନ ?

 

ପାଷାଣ ଦେହରେ ପ୍ରାଣସଂଚାର ଯାଇଥିଲି କରିବାକୁ

ପାଷାଣ ଆଘାତେ ମଧ୍ୟ ଜୀବନେ ଚୂନା ହେଲା ମୋର ବୁକୁ !

 

ଜଳିଗଲା ମୋର ପ୍ରତିଭା, ଶାନ୍ତି, ସାଧନାର ତପୋବନ

ଅନ୍ତର ତଳେ କାନ୍ଦେ ଭାରତୀ, କାନ୍ଦେ ମୋ ଭଗବାନ ।

 

କାହିଁଗଲା ମୋର ପ୍ରଦୀପର ଶିଖା, କେଉଁଠାରେ ମନୋହର ?

କେଉଁ ମାୟାବିନୀ ଲୁଂଠନ କଲା ମୋ ପ୍ରୀତିର ଭଣ୍ଡାର ?

 

ବ୍ୟର୍ଥ ହେଲା ମୋ ତ୍ୟାଗ, ତପସ୍ୟା, ଲୁହର ଦରିଆ କୂଳେ—

ଉଦାସୀନ ମୋର ଉନ୍‍ମନ-ମନ ଅନୁଶୋଚନାରେ ଭାଳେ । —

 

ପାଷାଣୀରେ ଦେଇ ପ୍ରୀତିର ଭାଷଣ, ଗଣିକାରେ କରି ‘ବଧୂ’

କାହିଁକି ଚାଖିଲି ନିଷ୍ଫଳତାର ଭୀଷଣ ତିକ୍ତ-ମଧୁ ?

 

 

 

ରକ୍ତ ଢାଳିଲି, ମନ ଅରପିଲି, ହୃଦୟକୁ ଦେଲି ଟେକି

ଯା’ରେ ବାନ୍ଧିଲି ଭୁଜ-ବନ୍ଧନେ, ସେ ହେଲା ଉଲ୍‍କାମୁଖୀ !

 

ପ୍ରାଣଧାରକ ମୋ ତନ୍ତ୍ରୀ ଦେହରୁ ଜୀବନର ସବୁ ରସ—

ଶୋଷିନେଇ ସିଏ, ଉପଭୋଗ କରି, ଢାଳି ତା ଉଗ୍ର ବିଷ—

 

ଯାଇଛି ଫଣିନୀ ସୁଖ-ସଂଧାନେ ନିଜହାତେ କାଟି ଜିଭ

ତଥାପି ଆଜି ମୋ ମନ-ଉପବନେ ତାର ସ୍ମୃତି-ସୌରଭ—

 

କାନ୍ଦୁଛି ଦିବା-ନିଶି,

ଆଉ କେତେଦିନ ସେହି କ୍ରନ୍ଦନ ଶୁଣିବି ନୀରବେ ବସି ?

 

୧, ନଭେମ୍ୱର, ୧୯୬୮

ରାତି ୧୦ଟା ।

***

 

।। ହୁସିଆର୍ ଆମେରିକା ।।

 

ପୃଥିବୀ ଗ୍ରହଟି ଅତି ସୁନ୍ଦର ଚନ୍ଦ୍ରଲୋକରୁ ଦିଶେ

କେତୋଟି ଆଲୋକଚିତ୍ର ଦେଖାଇ ବିଶ୍ୱବାସୀର ପାଶେ ।

 

ଆଜି ବିଜ୍ଞାନ-ବିଜୟ କେତନ ତଳରେ ସମରବାଦୀ,—

ଠିଆ ହୋଇ ଭାବ ଢାଙ୍କିବ ନରହତ୍ୟାର କାରସାଦି !

 

ପୃଥ୍ୱୀଗ୍ରହରେ ଯେ ପାପ କରିଛି, କେଉଁଠି ଧୋଇବ ତାକୁ ?

ଆରେ ଶାନ୍ତିର ଚିର ଦୁସ୍ମନ, ମହାଭୂଗୋଳର ଡାକୁ !

 

ନାଗାସକୀ-ହିରୋସୀମାର ଦଗ୍ଧ-ଜଠରେ ଆଜି ବି ଜଳେ—

ଲକ୍ଷ ମଡ଼ା ପୋଡ଼ାର ବିକଟଗନ୍ଧେ ଘୃଣାର ଭ୍ରୂକୁଟି ଜାଗେ

ସାରା ଧରଣୀର ମଣିଷ ଯେବେଳେ ତାର କଇଫତ ମାଗେ ।

 

ଓଠରୁ ଶିଶୁର ରକ୍ତ ପୋଛିରେ, ସାଜି ‘ଶାନ୍ତିର ଦୂତ’ !

ଚନ୍ଦ୍ର-ପୃଷ୍ଠେ ହୋଇଛି ହାଜର, ଅଦ୍ଭୁତ, ଅଦ୍ଭୁତ !

 

ଗୋଟିଏ ହାତରେ ବିଜ୍ଞାନେ ଦେଇ ଅମାପ ଡଲାର ଭେଟି,

ଅନ୍ୟ ହାତରେ କାଟୁଛ ଆଜିବି ସାମ୍ୟ, ଶାନ୍ତି ତୋଟି !

 

ମଣିଷ ଜାତିର କ୍ଷୁଧା, ଦାରିଦ୍ର୍ୟ ସୁଯୋଗ ନେଇ ହେ ବ୍ୟାଧ,

ଆଜି ବି ଚଳାଅ ଧରାପୃଷ୍ଠରେ ନାରକୀୟ ଅପରାଧ !

 

ନିଭିବା ଆଗରୁ ଜଳେ ଦୀପଶିଖା ପ୍ରବଳ ତେଜରେ ଜଣା

ନଥାଏ ସଲିତା, ଥାଏତ ପାଉଁଶ, କାଳ ନିର୍ଦ୍ଦେଶନାମା ।

 

ସେହିପରି ଧନତନ୍ତ୍ରର ରାତି ପାହିଆସେ ପୃଥିବୀରେ

ତମେ ତାର ଶେଷ-କଳଙ୍କଟିକା, ତମେ ତା’ର ଛବିଟିରେ ।

 

ପୁଞ୍ଜିବାଦର ଚରମ ବିକାର ତମେ ଦେଇଅଛ ଦେଖା

ସେଇଥିପାଇଁକି ଯେଉଁଠି ଦେଖୁଛ ସାମ୍ୟ, ମୁକ୍ତି ଶିଖା—

 

ତାକୁ ନିଭାଇବା ଲାଗି,

ମାନବବାଦର ଅନୁଶାସନକୁ ଲଂଘିଉଠୁଛ ଜାଗି ।

 

ତମରି ଡଲାର ମୂଲ୍ୟହୀନରେ, ଅଚଳାମୁଦ୍ରା ପରି

ଏଇକଥା କହେ ଭିଏତ୍‍ନାମର ସଂଗ୍ରାମୀ ନରନାରୀ ।

 

ତମରି ସେ ବିଷ-ବାଷ୍ପ ପାରିନି ପ୍ରାଣ ସଂକେତ ପୋଛି

ତମରି ଦୈତ୍ୟପୁରୀରେ ମଣିଷ ତମକୁ କରୁଛି ଛି ଛି ।

 

ବହ୍ନି ଯାହାକୁ ନପାରିଛି ଦହି, ଶସ୍ତ୍ର ପାରିନି ଛେଦି

ଅମୀତବୀର୍ଯ୍ୟ, ଇସ୍ପାତ ସମ ଯେ ଜାତିର ବୁନିଆଦି;

 

ମୁକ୍ତି-ଦେବୀର ମନ୍ଦିର ଦ୍ୱାରେ ସେ ଜାତିଟା ଶିଳାଲେଖ

ତାହାରି ବିମାନଧ୍ୱଂସୀ-କମାଣ ଏଇ ଯେ ଉର୍ଧ୍ୱମୁଖ !

 

ଭିଏତ୍‍ନାମାର ଘନ-ବେତବନେ ତମେ ଆତତାୟୀ ଯୀଶୁ

ପୋଡ଼ା-ବାରୁଦର ମେଘତଳେ ପୁଣି, ପାଠଶାଳା ତଳେ ଶିଶୁ ।

 

ଘୃଣାକରେ ବସି ବିଷ୍ଠାତୁଲ୍ୟ ତମକୁ ତାହାରି ମନେ

ଚାରିଦିଗେ ତେଣେ ମାତିଛି ଗରିଲା, ଗୋଳାଫାଟେ ‘ସାଇଗନେ’ ।

 

ତମରି ବୋମାର କଳା ମେଘମାଳା ଆଜି ନିଖିଳର ହୃଦେ

ଶାନ୍ତିକାମୀକୁ ଠିଆକରେ ନେଇ ବିଦ୍ରୋହ-ସରହଦେ ।

 

ରାଜ୍ୟଲୋଭର ମୃତ୍ୟୁଘୋଷଣା ଉଠେ ଇସ୍ପାତ-ରୋଳେ,—

ଗଗନେ, ପବନେ, ପ୍ରଶାନ୍ତ ମହାସାଗରର କଲ୍ଲୋଳେ ।

 

ସାରାଧରଣୀର ଦଗ୍ଧଜଠରୁ ଉଠେ ଯେଉଁ ସାମଗାନ,

ତାକୁକି ଲୁପ୍ତ କରିପାରେ ତମ ଚନ୍ଦ୍ରର ଅଭିଯାନ ?

 

ଭିଏତ୍‍ନାମରେ ତମରି ରକେଟ୍ ଖୋଳରେ ବଂଶୀ ବାଜେ

ଦକ୍ଷିଣ-ପୂର୍ବ-ଏସିଆ ମାଟିରୁ ଯେତେ ତମ ଘାଟି ଭାଜେ ।

 

ପୁଞ୍ଜିବାଦର ରାତି ପାହିଆସେ, ସରିଆସେ ତମ ନାଟ,

ସେଥିପାଇଁ ତୁମେ ପଳାଇବ ବୋଲି ଖୋଜୁଛ ସୁବିଧା ବାଟ !

 

ମରଣ କାଳେକି ନିଦ୍ରା ଗଲେରେ ଯମ କେଭେଁ ଦେବ ଛାଡ଼ି ?

କେଉଁଆଡ଼େ ଯିବ ? କାହିଁ ପଳାଇବ ? ଆରେରେ ହତ୍ୟାକାରୀ !

 

ସାଇଗନ୍—ତଥାକଥିତ ଦକ୍ଷିଣ ଭିଏତ୍‍ନାମର ରାଜଧାନୀ ।

 

ସାରାଧରଣୀର ଇତିହାସେ ତୁମେ ନାଟର ଗୋବର୍ଧନ ।

ଆଉ ବାକି ନାହିଁ ତମ ପରିଚିତି, ସାବଧାନ, ସାବଧାନ !

 

ତମରି ଦସ୍ୟୁବୃତ୍ତିର ନଥି ମହଜୁତ୍ ଅଛି ଭାଇ,

ଚନ୍ଦ୍ରକୁ ଛାଡ଼ି ସୂର୍ଯେ ଚଢ଼ିଲେ ଲୁପ୍ତ ତା ହେବନାହିଁ ।

 

ଦୁଇ ଅର୍ବୁଦ ଡଲାରର ବିନିମୟେ—

କୋଡ଼ିଏ ପାଉଣ୍ଡ୍ ବାଲି ଓ ପଥର ଚନ୍ଦ୍ରୁ ପାଇଛ ହାୟ !

 

 

 

ଚନ୍ଦ୍ରୁ ପୃଥିବୀ ଦିଶିପାରେ ଭଲ, କିନ୍ତୁ ତା ବୁକେ କେତେ—

ଅନୀତି, କୁନୀତି, ଶୋଷଣ, କଷଣ ଦେଶେ ଦେଶେ, ପଥେ ପଥେ !

 

କେତେ ଅସାମ୍ୟ, ରାଜ୍ୟଲୋଭର ହୀନ ନାରକୀୟ ଛବି—

ଅଛି ଅଂକିତ, ଶଂକିତ ନିତି କେତେ ପ୍ରାଣଯାଏ ନିଭି !

 

ତାହାରି ଆଲୋକଚିତ୍ର ତ ଆଜି ଅତି ଦରକାରୀ ଆମ

ଚନ୍ଦ୍ରୁ ପୃଥିବୀ ଦିଶୁଥାଉ ଯେତେ ସୁନ୍ଦର, ମନୋରମ ।

 

ସେଥିରେ ଆମର ଯାଏଆସେ ନାହିଁ, ଚାହୁନା ତ ଆମେ ସ୍ୱର୍ଗ,

ଆମେ ଚାହୁ ଚିରଶାନ୍ତି, ସାମ୍ୟ, ସୁଖୀ ଜୀବନର ମାର୍ଗ ।

 

ଏ ଧରଣୀ ଆମ ପ୍ରିୟ ବାସଭୂମି, ଏଠି ସମ ଅଧିକାର—

ନାହିଁ ଯେତେବେଳେ, ସେତେବେଳେ କିଆଁ ଯାତ୍ରା ଗ୍ରହାନ୍ତର ?

 

ଆମେ ଚାହୁଁ ଆଜି ବିଜ୍ଞାନ ହେଉ ଆମରି ଆଜ୍ଞାବାହ,

କିନ୍ତୁ ତା ଯେବେ ମଣିଷ ଜୀବନେ ଆଣିବ ମୃତ୍ୟୁଭୟ ।

 

ଦୈତ୍ୟ ହାତରେ ବିଜ୍ଞାନ ଯେବେ ହେବ ଏକ ତରବାରୀ

ବିଶ୍ୱମାନବ ସେ ତରବାରୀକୁ, ପଦାଘାତେ ଦେବୁ ଚୂରି ।

 

ହୁସିଆର ଆମେରିକା,

ବିଜ୍ଞାନ ତଳେ ଲୁଚାଅନା ନିଜ ଚାଜ୍ୟଲୋଭର ମୁଖା ।

 

୨୪, ଜୁଲାଇ, ୧୯୬୯

।। ବାହୁଡ଼ା ଦଶମୀ ।

***

 

।। ସେଦିନ ପାଇଁ ।।

 

।। କ ।।

 

ଆଜି ବି କୁଟୀରେ ପଡ଼ିଛି ତମର ହାତର ଦି’ପଟ ଚୂଡ଼ି

ବିଗତ ଅକ୍ଟୋବରେ କିଣିଥିଲି ତମପାଇଁ ଯେଉଁ ଶାଢ଼ି;

 

ରଙ୍ଗ ତାହାର ରାତିଠାରୁ କଳା, ସିଏବି ପଡ଼ିଛି ଏଠି

ତମରି ଗୋଲାପୀ ହାତ ଲେଖିଥିଲା ଯେଉଁ ସବୁ ପ୍ରେମ ଚିଠି,

 

ଅତୀତର ସବୁ ଦାନ-ପ୍ରତିଦାନ ଆଜି ବି ଜୀବିତ ଅଛି

ସେଦିନର ସ୍ମୃତି ମନେଧରି ଯେବେ ଲେଖିବାକୁ ବସେ କିଛି;

 

ଅନ୍ତରେ ମୋର କାନ୍ଦିଉଠଇ ବେଦନାର ବୀଣାପାଣି

ତରୁଣ ଶିବ ମୋ ଶିରେ ଅବତରେ ଲୋତକର ସୁରଧୁନୀ ।

***

 

।। ଖ ।।

 

ପ୍ରୀତି-କବିତାରୁ ଦୂରେଥିଲି ନାରୀ, ନିରାନନ୍ଦ ଏ ପ୍ରାଣ

ଫୁଟିବା ଆଗରୁ ଝଡ଼ିଥିଲା ଫୁଲ, ଜଳିଥିଲା ତପୋବନ ।

 

ଦୀପାଲୋକ ପରି ଜଳି ନୀରବରେ କରୁଥିଲି ମୋର ତପ

ଠିକ୍ ସେତେବେଳେ ତମେ ଦେଖାଦେଲ ଧରି କମନୀୟ ରୂପ ।

 

ଭାଙ୍ଗିଲା ତପ, ଦେଖି ତବ ରୂପ, ସାଧନା ରହିଲା ଅଧା

ତମେ ଦିଶିଥିଲ ସେଦିନ ସରଳା, ବହୁତ ନିରପରାଧା ।

 

ତମେ ଥିଲ କୀଟ-ଦଂଶିତ-ଫୁଲ, କିଶୋରୀ ମୌନାବତୀ

ଜଳୁଥିଲା ସିନା ତବ ରୂପାଲୋକ, ଭିତରେ ବହଳ ରାତି—

 

ଜମି ରହିଥିଲା ପାତାଳପୁରୀର ଚିକିଟା ଅନ୍ଧକାର

ତମେ ଥିଲ ଯା’ର ପ୍ରଥମେ ଶୀକାର, ବୃଦ୍ଧ ସେ ଜାନୁଆର–

 

ରକ୍ତେ ତମର ଭରିଦେଇଥିଲା ବିକୃତ ରୁଚି ନିଶା

ସେ ନିଶା ଭିତରୁ ଜନ୍ମିଲା ତମ ବହୁତ ବ୍ୟର୍ଥ-ଆଶା ।

 

 

 

ସେହି ନିଶାଧରି ଆସିଲ ମୋ ପାଶେ ଆର୍ତ-ଆକୁତି କରି

ମାନବିକତାର ତାଡ଼ନାରେ ସେବେ ନେଲି ମୁଁ ତମକୁ ବରି ।

***

 

।। ଗ ।।

 

ତମ ବେଣୀ ପରି ଦୋଳା-ଚଂଚଳ ହେଲା ମୋର ଯଉବନ,

ତମକୁ ପାଇ ମୁଁ ଭୁଲିଗଲି କ୍ଷତ, ଅନାଦର, ଅପମାନ ।

 

ବିଗତ ଦିନର ଲଳିତ-ଲଗନେ ତମକୁ ଯାଇଥିଲି କହି :

ରାଜପଥ ପରେ ନିଜକୁ ଯେବେ ଗୋ ଫିଙ୍ଗିବ ତମେ ନେଇ,

 

ପଶୁ ପଥିକର ନିର୍ମ୍ମମପଦ ଦଳିଦେଇ ଯିବ ହସି

ସାମାଜିକତାର ପେଷଣଯନ୍ତ୍ରେ ତମେ ହୋଇଯିବ ପେଷି ।

 

କେହି କେବେ ଦିନେ ଭୁଲେ

ଗୋଟାଇ ନେବନି ତୁମକୁ ପଥରୁ ମାନବିକ-ତାଡ଼ନାରେ ।

 

କିନ୍ତୁ ମୋ ଉପଦେଶ—

ପବନର ଢେଉ ଭିତରେ ମିଶିଲା, ଆସିଲା ସର୍ବନାଶ ।

 

କାମ-ବିକୃତ ଜୀବାଣୁ ତମର ରକ୍ତେ ଛାଡ଼ିଲା ହୁରି

ଡାକିଲା ଅଳୀକ ସୁଖ-ସମ୍ଭୋଗ, ଡାକଦେଲେ ପାପାଚାରୀ ।

 

 

 

ଅତି ଲୋଭ ତମ, ତମକୁ ଧାଣିଲା ନରକ-ଅନ୍ଧକାରେ

ସବୁ ତପସ୍ୟା ବ୍ୟର୍ଥକରି ମୋ, ଭାଙ୍ଗି ହୃଦୟଟିରେ ।

 

ତମେ ଯାଇଅଛ, ଚାଲିଯାଇନାହିଁ ତମ ଦେଇଥିବା ବ୍ୟଥା

ଏଇ ମୋ ଛାତିରେ ତମେ ଜାଳିଦେଇ ଯାଇଛ ନିଜର ଚିତା ।

***

 

।। ଘ ।।

 

ଦୁନିଆର ମଧୁ ଚଖା ସରିନାହିଁ, ଯେଦିନ ସରିବ ଚଖା

ସେଦିନ ପଡ଼ିବ ମନେ, ଅଂକିତ ମୋର ସିନ୍ଦୁର ରେଖା ।

 

ଜୀବନର ମୋଡ଼ି ବୁଲି—

ଯେଦିନ ଫେରିବ ଅନୁତାପ-ତାପେ ନିଜ ଅନ୍ତର ଜାଳି,

 

ମୁଁ ସେବେ ନଥିବି, ଥିବ ଏଇ ଲେଖା, ତମେ ଆସ ହେବ ଠିଆ,

ପଡ଼ୁଥିବ ମନେ ଦୂର-ଅତୀତର ସ୍ମୃତି ଗୋଟି ଗୋଟି ଯାହା ।

 

ଯଦିବା ମୁଁ ଥାଏ, ଦେଖିବି ନୀରବେ ଖାଲି ମୋର ବାତାୟନ :

ତମ ଜୀବନ୍ତ-ଧ୍ୱଂସାବଶେଷ ଥିବ ଦଣ୍ଡାୟମାନ ।

 

ସେହି ସେ ଧ୍ୱଂସାବଶେଷ ଭିତରୁ ଉଠୁଥିବ ଖାଲି ସ୍ୱର;

‘‘ଦିଅ ଆଶ୍ରୟ ଆଉଥରେ ପ୍ରିୟ, କ୍ଷମାକର, କ୍ଷମାକର !’’

 

କିନ୍ତୁ ନଥିବ ଉପାୟ ମୋ କିଛି, ନୀରବେ ଆସିବି ଫେରି

ଗଭୀର ଦୁଃଖେ ବାତାୟନ ପାଶୁଁ ପ୍ରେତ ସମ ଥରି ଥରି ।

 

 

 

ଗଣିବାକୁ ଆଣି ସିନା ଗୃହବଧୂ କରାଯିବା ସମ୍ଭବ

ଗୃହବଧୂକୁ ଗୋ ଗଣିକା ହେବାକୁ ଦେବାଟା ଅସମ୍ଭବ ।

 

ଏଇ ବୋଧ ନେଇ ତମକୁ ସେଦିନ ନିରାଶ କରିବି ନାରୀ,

ଆପଣା ହାତରେ କାଟିଅଛ ଜିଭ, ନିଜକୁ ଦେଇଛ ସାରି ।

 

ଫେବୃଆରୀ

୧୯୬୮ ।

***

 

।। ନିମନ୍ତ୍ରଣ ।।

 

।। ୧ ।।

 

ହେ ମୋର କ୍ଷତ-ବିକ୍ଷତ ରକ୍ତାକ୍ତ ଅତୀତ !

ହେ ମୋର ଅବଲୁପ୍ତ ଅଶ୍ରୂଳ ଶୈଶବ !

ହେ ମୋର ଅଗ୍ନିମୟ ସଂଗ୍ରାମୀ ଯୌବନ !

ସାଧନାର ଗଭୀର ମୌନତା ଭିତରେ

ମୁଁ ଦେଖି ପାରୁଛି

ତମ ସମସ୍ତଙ୍କୁ ।

ସୌନ୍ଦର୍ଯ୍ୟର ସମସ୍ତ ଆଲୋକମାଳା

ଅତି କରୁଣ ଭାବରେ

ନିଭିଯାଇଛି ମୋ ଜୀବନରୁ,

କେବଳ

ବିଭତ୍ସ ଆଉ ନିରନ୍ଧ୍ର-ଅନ୍ଧକାରହିଁ

ମୋର ଭରସା ବର୍ତ୍ତମାନ ।

ତା’ରି ଭିତରେ ମୁଁ ସ୍ୱପ୍ନ ଦେଖେ

ଭାଙ୍ଗେ ଆଉ ଗଢ଼େ,

ଉନ୍ମାଦ ହୁଏ ।

 

।। ୨ ।।

 

ଆଜି ମୋର ଉଦ୍ୟାନରେ

ଗୋଟିଏ ବନ୍ୟ-ଗୋଲାପର

ଅକସ୍ମାତ୍ ସୁରଭିର ଇସାରା,

ଏକ ବନ୍ୟ-ହରିଣୀର

ଅକସ୍ମାତ୍ ଆଦିମ-ଚାହାଣି !

 

ତେଣୁ

ହେ ମୋର ଉଦାସୀନ-ଏକାକୀତ୍ୱ,

ତମେ ଆତ୍ମହତ୍ୟା କର !

ହେ ମୋର ଅବଲୁପ୍ତ ଶାନ୍ତି

ଏବଂ ଭସ୍ମୀଭୂତ ଆନନ୍ଦ,

ଆସ !

ତମ ସହିତ ମୁଁ କରମର୍ଦନ କରେଁ ।

 

୨୧ ମଇ, ୧୯୬୭

***

 

।। ବିପ୍ଳବର ନିମନ୍ତ୍ରଣେ ।।

 

ଭୟ ନାହିଁ, ନାହିଁ ଭୟ

ଏଇକଥା କହେ ବାଜିରାଉତର ରକ୍ତ-ଉତ୍ତରୀୟ ।

 

ବାଜିରାଉତର ବାଣୀ,

ସାରା ଓଡ଼ିଶାର ଛାତ୍ର-ଛାତିରେ ତୋଳିଛି ପ୍ରତିଧ୍ୱନି ।

 

ଅତୀତର ସେହି ଯେତେକ ଜୀର୍ଣ୍ଣ ରାଜକୀୟ-କାଠଲାଠି—

ଧରି ସାମନ୍ତବାଦ-ପ୍ରେତାତ୍ମା କବରୁ ଆସିଛି ଉଠ ।

 

ଏଯେ ଭୌତିକ-ଉତ୍ପାତ ଏକ, ଗୁଣିଆ ଅଛରେ କାହିଁ ?

ପଢ଼ରେ ମନ୍ତ୍ର, ଧରରେ ଚାବୁକ୍, ନରକର ପ୍ରେତ ପାଇଁ ।

 

ବାଜିରାଉତର ଦେଶେ

ଅତ୍ୟାଚାରୀ ସେ ରାଜକୀୟ-ପ୍ରେତ ଆଜି ‘ସ୍ୱତନ୍ତ୍ର’ ବେଶେ— ।

 

କରିବସିଅଛି କ୍ଷମତା ଦଖଲ ଅତୀବ ଲଜ୍ଜାକର

ହେ ମୋର ଜାତିର ଅଗ୍ରପଥିକ, ତରୁଣ, ଛାତ୍ରଦଳ,

 

 

 

ମୁକ୍ତି-ସମରେ ତମେଇତ ସେନାପତି,

ତମେ ଫାଲଗୁନୀ, ତମେରେ ଦଧିଚୀ, ତମେ ଶହୀଦ୍‍ର ଜାତି ।

 

ସବୁ ଅନୀତିର ତମେ ବିଚାରକ ଧରଣୀରେ ଯୁଗେ ଯୁଗେ

ତମେ ଯଉବନ-ରକ୍ତ-ଅଶ୍ୱ ତମରି ଅଗ୍ରଭାଗେ—

 

ଭାଂଗି ଚୂରମାର୍ ହୁଏ ବାରବାର ଅକଲ୍ୟାଣର ସେତୁ

ତମେ ଦୁରନ୍ତ, ତମେ ତ ସତ୍ୟ, ଧ୍ରୂବ ପୁଣି ଧୂମକେତୁ ।

 

ଏକୂଳ ଭସାଇ ସେ କୂଳରେ କର ସଞ୍ଚାର ନୂଆ ମାଟି

ତମେ ତଟିନୀର ବଂକିମ-ବାହୁ, ପ୍ରୀତିର ସବୁଜ ଚିଠି ।

 

ତମରି ‘‘ଭୁଲ୍’’, ରେ ସବୁ ‘‘ଠିକ୍’’ ହୁଏ, ଜଡ଼ଠାରେ ଫୁଟେ ଭାଷା

ତମରି ପ୍ରହାରେ ଶାସକ ହରାଏ କ୍ଷମତା-ମଦର ନିଶା ।

 

ସ୍ୱେଚ୍ଛାଚାରର ଉପକୂଳେ ତମେ ଭାସମାନ ରଣତରୀ

ତମେ ଧରଣୀର ବିଶାଳପୁରୁଷ ମୁକ୍ତି-ମଶାଲଧାରୀ ।

 

ହେ ଚିର ଭୀଷଣ, କଲ୍ୟାଣକର, ଦୂରନ୍ତ ଯୁବଶକ୍ତି,

ଲାଠି, ଗୁଳି, ଗ୍ୟାସ୍ ତମକୁ ଶିଖାଇ ପାରିବକି ‘ରାଜଭକ୍ତି’ ?

 

ତମ ଆଖି ଆଗେ ହାୟ,

ମାତା-ଭଗିନୀର ଚୁଡ଼ି ଚୂନାକରେ ଦସ୍ୟୁ ବେପର୍ବାୟ !

 

ନୀରବ-ନିଶୀଥେ ଅବୋଧଶିଶୁର ଖପୁରିରେ ବେସେ ଲାଠି

ଏଇ ରାଜକୀୟ-ଲାଠି କରିଥିଲା କୁଜା ମଣିଷର ପିଠି ।

 

ବହୁଦିନ ପରେ ମାଆ-ଭଉଣୀର ହାତୁ କର-କଙ୍କଣ—

ଯିଏ କଲା ଚୂନା ତାର ପରିଚୟ ତମେ ଭଲକରି ଜାଣ ।

 

ନିରୀହା-ନାରୀରେ କଲା ପୁଣି ଯିଏ, କଲା ଆଜି ବିବସନା,

କୁହ କେଉଁଦିନ ଶୁଝିବ ଶୁଝିବ ଏ ଅପମାନର ଦେ’ଣା ?

 

ଦୁଃଶାସନର ରକ୍ତେ କରିବ ହସ୍ତିନା କେବେ ଲାଲ ?

ଏଇ କଥା ଆଜି ପଚାରେ ରକ୍ତ-ତୀର୍ଥ-ଢେଙ୍କାନାଳ ।

 

ପଚାରଇ ତାର କପିଳାସ ବଣ, ପଚାରଇ ମହାନଦୀ

ଏକଇ ପ୍ରଶ୍ନ ପଚାରଇ ଆଜି ମଣିଷର ବୁନିଆଦି ।

 

ରାଉରକେଲାର ଇସ୍ପାତ-ବୁକୁ ତାତିଉଠେ ବିଦ୍ରୋହେ

ସେହି ବିଦ୍ରୋହ କୋଳାହଳ ଶୁଭେ କଟକ ନଗରୀ ଦେହେ ।

 

ଯେ ଝଡ଼ ଉଠିଲା ଢେଙ୍କାନାଳରୁ, ତାହାରି ଧୂସର ଜଟା—

ଫିଟି ଫିଟି ପଡ଼େ ସାରା ଓଡ଼ିଶାରେ ଜାଗୃତି ଘନଘଟା ।

 

ନିଭିଥିବା ବାଜିରାଉତର ଚିତା ପୁଉଣି ଉଠିଛି ଜଳି ।

ଶହୀଦ ଚିତାର ପାଉଁଶକୁ ଆଜି ଆପଣା ଛାତିରେ ବୋଳି—

 

ନରନାରୀ ଶିଶୁ ଝାସ ଦେଉ ଏହି ପବିତ୍ର ସଂଗ୍ରାମେ

ଏଇ ଡାକ ଆଜି ଦିଅରେ ଯୁଆନ, ଓଡ଼ିଶାର ଗ୍ରାମେ ଗ୍ରାମେ ।

 

ଜଳୁ ଚାରିଦିଗେ ବିଦ୍ରୋହ ଦାବାନଳ

ବନ୍ଧନହରା ଅଗ୍ନିଯୁଗର ଯେତେ ପୁରୋହିତ ଦଳ ।

 

ତମେଇ ଆଣିବ ଡାକି ଅବହେଳେ ରକ୍ତର ଭାଗୀରଥି

ତମେଇ ପୋଛିବ ଜାତିର ଜୀବନୁ ରାଜନୈତିକ-ଭୀତି ।

 

ସେହି ସେ ଲଗନ ଏଯେ ଉପଗତ, ତରୁଣ ନୃତ୍ୟଭୋଳା,

ଚିନ୍ତା ନାହିଁରେ, ‘‘ଭୁଲ୍’’ କରିବାର ଏ ଯେ ମାହେନ୍ଦ୍ର ବେଳା ।

 

୧୯୬୯ ସାଲର ମଧ୍ୟଭାଗରେ ଢେଙ୍କାନାଳରେ ସ୍ୱତନ୍ତ୍ର-ଜନକଂଗ୍ରେସ ସରକାରର ପୁଲିସ ବାହିନୀ ନିଝୁମ୍ ରାତିରେ ଗୃହସ୍ଥର କବାଟ ଭାଙ୍ଗି ଲାଠିମାଡ଼ରେ ଗୋଟିଏ ଅବୋଧଶିଶୁର ମୁଣ୍ଡ ଖପୁରୀକୁ ଫଟାଇଥିଲେ ଓ ବହୁ ନିରୀହା ଝିଅବୋହୂଙ୍କ ହାତର ଚୁଡ଼ିକୁ ବାଡ଼େଇ ଚୂନା କରିଥିଲେ ବୋଲି ସମ୍ବାଦ ପ୍ରକାଶ ପାଇଥିଲା । - ରବି ସିଂ

 

କଟକ

୨୧, ଅଗଷ୍ଟ, ୧୯୬୯

***

 

।। ସେଦିନ ।।

 

ତମକୁ ଭଲପାଇ ମୁଁ ଶେଷେ

ଜଳିତ ଗଲି ନିଜେ

ଅଗ୍ନି ସମ ତମରି ସ୍ମୃତି

ହୃଦୟେ ମୋର ବିଜେ ।

 

ଅନେକ ଦିନୁ ତମେତ ଦୂରେ

ବଂଶୀ ମୋର ତମରି ସୁରେ

ବାଜେ ଗୋ ବାଜେ ରାତ୍ରି-ଦିବା

ତୁମକୁ ପ୍ରିୟେ ଝୁରେ !

 

ଖୋଜିବି ସଖି, ଜୀବନଭରି

ସବୁରିଠାରେ ପଶି,

ହେ ମୋର ରାଣୀ, ଚକ୍ରବାକୀ

ଚାନ୍ଦ ଚତୁର୍ଦ୍ଦଶୀ !

 

କରିବି ନାହିଁ ଅସମ୍ମାନ

ହୃଦୟେ ତବ ସିଂହାସନ

 

 

ଆଜିବି ଖାଲି ପଡ଼ିଛି ପ୍ରିୟେ

ନାହିଁତ କେହି ବସି ।

 

ଧମନୀ ପଥେ, ରକ୍ତସ୍ରୋତେ,

ମାନବଲୋକେ, ହୃଦେ

ରାତ୍ରିଦିବା ତମରି ଛବି

ହୁଏ ଗୋ ଯେବେ ଉଦେ ।

 

ତଳେଇ ଯାଇ ଅତଳ-ତଳେ

ସ୍ୱପ୍ନେ ନିଏ ତମକୁ କୋଳେ

ନିଦ୍ରା ତୁଟେ—କେହିତ ନାହିଁ

ଶଯ୍ୟା-ସରହଦେ !

 

ଶୂନ୍ୟ ଆଜି ଶଯ୍ୟା ମୋର

ଅନ୍ତରରେ ଝଡ଼

ସଂଗ୍ରାମୀର ଜୀବନେ ଆସି

ଦୁଃଖ ଦେଲ ବଡ଼ !

 

କାନ୍ଦେ ମୋର ପବିତ୍ରତା

ହେ ମୋର ଫୁଲ, ହେ ମୋର ଲତା,

 

 

ବିରହ ତବ କରିବ ମୋତେ

ନିକଟେ ମୂକ, ଜଡ଼ ।

 

ରହିବ ନାହିଁ କଣ୍ଠେ ଭାଷା

ନୀରବେ ଥିବି ଚାହିଁ,

କଲମୁ ଆଉ ବବିତା-ଫୁଲ

ଝରିବ ନାହିଁ ନାହିଁ ।

 

ସେତିକି ବେଳେ ଦେଖିବ ଆସି

ହେ ମୋର ପ୍ରିୟା, ଅସ୍ତ-ଶଶୀ,

ଢାଳିବ ଲୁହ ଦୁଃଖେ ବସି

ସେଦିନ ମୋହ ପାଇଁ ।

 

ହୁଏତ ମୋର ଜୀବନ-ଦୀପ

ଯାଇବି ପାରେ ନିଭି !

ତାପରେ ତମେ ବସିବ ଖୋଜି

କେଉଁଠି ତମ କବି ?

 

ମୋହରି ଚିତା ଭସ୍ମପାଶେ

ହୁଏତ ସେବେ ଦୀର୍ଘଶ୍ୱାସେ

ମୁହୁର୍ମୁହୁଃ ଚୁମ୍ୱିବ ମୋ

ଯୌବନର ଛବି ।

 

୩ ଡିସେମ୍ୱର, ୧୯୬୮

ଅପରାହ୍ନ ।

***

 

।। ସଂଧାନ ।।

 

କ୍ଷମତାର ପୂଜା, ଉପାସନା ଯେବେ ଚିରତରେ ହେବ ବଂଦ

ମଣିଷ ଭିତରୁ ଶେଷହେବ ସେବେ ଗ୍ଲାନିକର ହଣାହଣି,

‘ଆକାଂକ୍ଷା’ ଯେବେ ନରହିବ, ତେବେ ରହିବନି ପୁଣି ଦ୍ୱନ୍ଦ୍ୱ

ମନ ହେବ ନାହିଁ କେଭେଁ ଅଶାନ୍ତ, ନଥିବ କ୍ଷୁବ୍ଧ ବାଣୀ ।

 

ନିର୍ଦୟ ଅତି ଏଇ ଯେ ଆକାଶ, ଏଇ ଯେ ମଳିନ ମାଟି

ମାଟି ଓ ଆକାଶ ଭିତରେ ଏ ଯେଉଁ ସୁବିଶାଳ ମହାଶୂନ୍ୟ,

ଏହାକୁ ନଷ୍ଟ କରିହୁଏ ନାହିଁ, ୟେ ନିଜର ପରିପାଟୀ

ଆମେ ସବୁ ପିଉ ମହାଶୂନ୍ୟ ଓ ମଳିନ ମାଟିର ସ୍ତନ୍ୟ ।

 

ଉପତ୍ୟକାର ଆତ୍ମା ଅମର, ପରମାତ୍ମାର ପ୍ରତୀକ ଉପତ୍ୟକା

ଇଏ ସେହି ନାରୀ ପ୍ରକୃତି, ଯାହା ଚିର ରହସ୍ୟମୟୀ,

ସ୍ୱର୍ଗ-ମର୍ତ୍ତ୍ୟ ପ୍ରବେଶ ଦୁଆର, ୟାର ବୁନିଆଦ ଏକା–

ବିରାମବିହୀନ କ୍ରିୟାଟି ଏହାର ବହୁତ ଗଭୀରେ ଯାଇ ।

 

ଅନନ୍ତ ଏଇ ବ୍ୟାପ୍ତ ଆକାଶ, ମାଟି ତ ଚିରନ୍ତନ

ଆକାଶ ଅସୀମ, କାଳଜୟୀ ଏଇ ବିପୁଳା ପୃଥ୍ୱୀ ସିନା,

 

 

ଏ ଦୁହେଁ କେଉଁଠୁ ପାଇଲେ ଏ ସବୁ ବିସ୍ମୟକର ଗୁଣ ?

ମାନସମୁଲକେ ଅବିରତ ବାଜେ ଏଇ ଦ୍ୱନ୍ଦ୍ୱର ବୀଣା ।

 

ଏମାନେ ବଞ୍ଚିରହି ନାହାନ୍ତି ଆପଣାର ପାଇଁ ଖାଲି,

ଏମାନଙ୍କର କାମ୍ୟ ନୁହଇ ନୂତନ ସ୍ୱର୍ଗ-ମର୍ତ୍ତ୍ୟ,

ସେ ପାଇଁ ଏମାନେ ସକ୍ଷମ ପୁଣି ଅତି ସକ୍ଷମ ବୋଲି

ମୌନ ନୀରବ ବିରାଜିତ ପୁଣି ବାସ୍ତବ ଆଉ ସତ୍ୟ ।

 

ତା ୧ ମାର୍ଚ୍ଚ, ୧୯୬୯

ରାତି ୧୦ଟା ।

***

 

।। ତମେ ଅପରାଧୀ ।।

 

ଶୁଣ, ଶୁଣ, ଶୁଣ, ଶୁଣ !

ତମେ ଯିଏକର ଆଜି ଏ ଦେଶରେ ଦୁର୍ନୀତି ନିବାରଣ !

 

ମୋଟା ଖଦଡ଼ର ପଞ୍ଜାବୀ ତଳେ ହୋଇ ଯେ ଆବିର୍ଭୂତ,

ସଭାମଞ୍ଚରେ ଭାଷଣ ଅଜାଡ଼ ହଲାଇ ମୁଣ୍ଡ, ହାତ ।

 

ପତିତ, ପଙ୍ଗୁ ଜାତିର ତମେ ଯେ ‘ନେତା’,

ତମକୁ ଆଜି ମୋ କଲମ ପଚାରେ କେବଳ ଗୋଟିଏ କଥା :

 

ମନେ ପ୍ରାଣେ କାମେ ତମେ କି କରୁନ ଦୁର୍ନୀତି ଆରାଧନା ?

ତମେକି କରୁନ ସାରା ଦେଶଟାକୁ ଦିବସରେ ବାଟବଣା ?

 

ତମରି ଶତ୍ରୁ ପାଖରେକି ତମେ ରାତିରେ ପାତୁନ ହାତ ?

ରାତାରାତି କହେ ପଡ଼ିନି ତମର ଦୋତାଲା କୋଠାର ଛାତ ?

 

ବିଧାନସଭାର ବିରୋଧ ଆସନେ ତମକୁ ଦେଖିଛି କାଲି,

ଆଜି ଦେଖେଁ ତମେ ‘ମନ୍ତ୍ରୀ’ ହେଲଣି, କେଉଁପରି ଗଲ ଗଳି ?

 

 

 

କାଲି ତେଜୁଥିଲା ଧର୍ମଘଟକୁ, ଦେଉଥିଲ ବିବୃତି,

ଆଜି ପୁଣି ତାକୁ ନିନ୍ଦା କରୁଛ, କା’ର ବିକୃତ ମତି ?

 

କେତେଦିନ ତଳେ ନଥିଲା ଛପର, ବୁଲି ମାଗୁଥିଲ ଚାନ୍ଦା,

ବିଶାଳ ସୌଧ କେଉଁଠୁ ଆସିଲା ? ଅଭିନବ ତମ ଧନ୍ଦା !

 

ତମେକି ରୋଧିବ ଦେଶୁଁ ଦୁର୍ନୀତି, ନିଜେ ଦୁର୍ନୀତିଖୋର,

ଯେତେକ ଜାଦୁଆ, ତମେତ ଜାଦୁର ମଲମ ବିକ୍ରିକର !

 

ତମେ ମହା ମହା ବିଶାଳ ଗୋଦର ଏ ଜାତି ପାଦରେ ଭାଇ,

‘ରାଜନୀତି’ ନାମେ ତମ ଟାଉଟରି ଦେଶଟାକୁ ଦେଲା ଖାଇ ।

 

ସ୍ୱାର୍ଥ-ଦେଉଳେ ଦୁର୍ନୀତି-ଦିଅଁ ଗୋପନରେ ତମେ ପୂଜ

‘ନୀତି’ର ପତାକା ଉଡ଼ାଅ ସକାଳୁ ତମେ ଯେତେ ନିର୍ଲଜ୍ଜ ।

 

ସବୁଠାରୁ ବଡ଼ ଅପରାଧୀ ତମେ, ତମରି ବିଚାର ଆଗେ

ଆଜି ଏ ଜାତିର ପୀଡ଼ିତ-ଆତ୍ମା ତମରି ରକ୍ତ ମାଗେ ।

 

୨୬ ସେପ୍ଟେମ୍ୱର, ୧୯୬୭

***

 

।। ସିଂହାବଲୋକନ ।।

 

ଯେଉଁ ପଦାଘାତ ଦିନେ ବାଜିଥିଲା ଦୁଃଶାସନ ବୁକେ

ହୋଇଥିଲା ଜର୍ଜରିତ ଯେ ମଣିଷ, ନାଗରିକ ଶୋକେ ।

ଯାହାକୁ ଭାଙ୍ଗିବା ପାଇଁ ଗତକାଲି ଜଳୁଥିଲା ତରୁଣ ଅନ୍ତର

ଯେ ପଙ୍କିଳ-ରାଜନୀତି, ସ୍ୱୈରାଚାର ଯେତେ ଅମଙ୍ଗଳ

ଯାହାର ବିରୁଦ୍ଧେ କାଲି ଏ ଜାତିର ଛାତ୍ର ଓ ତରୁଣ

ସୂର୍ଯ୍ୟାଲୋକେ ସୂର୍ଯ୍ୟଠାରୁ ହୋଇଥିଲା କ୍ରୁଦ୍ଧ ବହ୍ନିମାନ

ସେ’ତ ନାହିଁ ଆଜି ହାୟ, ନାହିଁ ତାର ଶାସନ କ୍ଷମତା

‘ବିରୋଧୀ’ ଆସନେ ସିଏ ଭାବେ ବସି ହେବ ‘ଜନନେତା’ !

 

ଯାହା କାଲି ଭାବିଥିଲା ନିଷ୍ପେଷିତ ମଣିଷର ମନ,

ପୁରାତନ ଧ୍ୱଂସ-ସୌଧେ ଗଢ଼ିବ ସେ ନୂତନ ଜୀବନ ।

ସେ ଅସୀମ ସମ୍ଭାବନା

ଯୁଗର ଜଠରେ କାଲି ଥିଲା ଲୁକ୍କାୟିତ,

ଆଜି ତ ନିଶ୍ଚିହ୍ନ ତାହା, ଗର୍ଜିଉଠେ ରାତିର ପ୍ରପାତ ।

ଉଣାଇଁଶ ସତ୍‍ଚାଳିଶି ସାଲେ,

ଭୂ-ଲୁଣ୍ଠିତ ହୋଇଥିଲା ଯେ ମୁକୁଟ ଜାଲିମ୍ ରାଜାର,

ମଣିଷର ପଦାଘାତେ ଭାଙ୍ଗିଥିଲା ସିଂହାସନ ଯା’ର;

ସେହି ସିଂହାସନ ଆଜି ହସେ ପୁଣି ଧରି ନବ ରୂପ,

ଅତୀତର ସେ ପିଶାଚ-ଚାହାଣି ଲୋଲୁପ

ସବୁ ଆଜି ପୁନର୍ଜନ୍ମ ଘେନେ,

ଦୁର୍ନୀତିର ଏ ଅବାଧ ନବ-ବୃନ୍ଦାବନେ !

ତେଣୁ ଆଜି

ବାଜିରାଉତର ଚିତା, ଶହୀଦର ରକ୍ତ ଉତ୍ତରୀୟ

ଅନ୍ତରେ ମୋ ଗାଇଉଠେ ପୁନର୍ବାର ବିଦ୍ରୋହର ଜୟ ।

 

ମୁଁ ଆଜି ପଚାରେ ବସି ମୋ ନିଜକୁ,

ମୋ ଦେଶର ମଣିଷକୁ ଡାକି,

କି ଦ୍ରୂତ ପଶ୍ଚାତଗତି, ‘ପ୍ରଗତି’ର ନାମେ ହାୟ ଏକି !

ଗଣତନ୍ତ୍ର ଫଣତନ୍ତ୍ର ସବୁ ଆଜି ମିଥ୍ୟା ହେଲା ପୁଣି,

ମିଥ୍ୟା ହେଲା ଗାନ୍ଧୀବାଦ, ଜନସ୍ରୋତ ଫେରିଲା ଉଜାଣି !

ବହୁବର୍ଷ ପରେ,

ସାମନ୍ତବାଦର ସେହି ଜୀର୍ଣ୍ଣ-ସୌଧ

ଅଭିନବ ଚୂନାକାମେ ନୂଆ ରୂପ, ନୂଆବେଶ ଧରେ ।

କିଛି ତ ବଦଳି ନାହିଁ, ହାୟ ହାୟ ବଦଳିତ ନାହିଁ,

ଯେ ନାସ୍ତିବାଚକ ରାୟ ମଣିଷର

ଶାସନିକ-ସ୍ୱୈରାଚାର ପାଇଁ,

ସମୟର ଅଦାଲତେ

ଯେଉଁ ତୀବ୍ର ଘୃଣାର ଦଲିଲ୍

ନେଇଥିଲା ଜନ୍ମ ପୁଣି ପ୍ରଖର ମଧ୍ୟାହ୍ନେ,

ତାକୁ ଯିଏ ପାଠକରି ଶୁଣାଇଲା

ଭଗ୍ନଜାନୁ ଗାନ୍ଧୀର ସନ୍ତାନେ,

ସେ ନୁହେଁ ଦେବତା ଅବା ନୁହେଁ ଦେବଦୂତ,

ଏ ଦେଶର ମଣିଷ ସେ ଚିର ନିପୀଡ଼ିତ ।

ନୁହେ ସିଏ ସଚେତନ, ଘୃଣାରେ ତା ମନ-ପ୍ରାଣ ଜଳେ,

ଅଜଣା ନୈରାଜ୍ୟବାଦ ଜମେ ତାର ମନର ମହଲେ ।

 

ଫେବୃଆରୀ, ୧୯୬୭

***

 

।। ପୂଜାରିଣୀ ।।

 

[‘‘Mayakovasky of my people’ ଏବଂ ତାଙ୍କର ମହନୀୟ, ସ୍ମରଣୀୟ ପୂତ ଜନ୍ମତିଥିକୁ ମୋର ବିନମ୍ର ପ୍ରଣାମ ଜ୍ଞାପନ କରୁଛି । ସ୍ରଷ୍ଟା, ତମେ ‘ରବି’ ମୁଁ ଏକଥା ବିଶ୍ୱାସକରେ, ତମେ ‘ସିଂହ’ ଏକଥା ମୁଁ ଅନୁଭବ କରୁଛି । ମୋର ପ୍ରଣାମ ଗ୍ରହଣ କରନ୍ତୁ ।

 

ଗଣସାହିତ୍ୟିକଙ୍କର ଅଗଣିତ ପାଠକ ମଧ୍ୟରୁ ଜନୈକା ବିନୀତା ପାଠିକା’’

 

୧୯୬୮ ମସିହାର ଜାନୁଆରୀ ତା୨୨ରିଖ ବସନ୍ତ ପଞ୍ଚମୀ – ମୋର ଜନ୍ମତିଥି ଉପଲକ୍ଷେ ଉପରୋକ୍ତ ଉଦ୍ଧୃତ ପତ୍ରଟି ଜଣେ ଅପରିଚିତା ପାଠିକାଙ୍କଠାରୁ ପାଇଲାପରେ ଏ କବିତାଟିର ରଚନା – ରବି ସିଂ]

***

 

Unknown

। ୧ ।

 

କିଏ ତମେ କହ ହେ ଅପରିଚିତା,

କେଉଁଠାରେ ତମ ବାସସ୍ଥାନ ?

ଚିଠିରେ ତ ନାହିଁ ତମରି ଠିକଣା

ନାହିଁ ନାମ, ଧାମ – ଭରିଛି ପ୍ରାଣ !

 

ନିଜକୁ ଲୁଚାଇ ବାଢ଼ିଛ ପ୍ରଣତି

ଦୂରଦେଶୁଁ ସ୍ମରି ମୋ ଜନମତିଥି

କେ ତମେ ବାଳିକା ? କେ ତମେ ରମଣୀ ?

କେ ତମେ ପାଠିକା, ଦରଦୀ ନାରୀ ?

ଆଗୋ ସୁଦୂରିକା ତମେ କି ଜାଣନା

ଏ ଦିବସେ ଲୁହେ ଭାସେ ମୋ ତରୀ !

***

 

। ୨ ।

 

ଏଇ ବସନ୍ତ- ପଞ୍ଚମୀ ତିଥି

ହୃଦୟେ ଦିଏ ମୋ ଗଭୀର ବ୍ୟଥା

ଏ ଦିନଟି ମୋତେ ପ୍ରଥମେ ଦେଖାଇ—

ଥିଲା ଦୁନିଆର ବିଭତ୍ସତା ।

 

ଚାଲି ଶିଖିଥିଲି ପୃଥିବୀର ପଥେ

ଏ ଦିନଟି ଯୋଗୁଁ ଘୂର୍ଣ୍ଣିର ରଥେ

ବସିଅଛି ମୋର କାବ୍ୟପୁରୁଷ

ଏକାକୀତ୍ୱ ମୋ ଜୀବନ ସାଥୀ,

ଭୁଲି ଯାଇଥିଲି ଆଜିର ଦିନଟି

ଏ ହତଭାଗାର ଜନ୍ମତିଥି !

***

 

। ୩ ।

 

ତମ ହାତଲେଖା ମୁଦା ଲଫାଫାଟି

ଖୋଲିଦେଲି ଯେବେ କୌତୁହଳେ,

ଜଳିଉଠିଲା ମୋ ଆଖିର ତାରକା

ବିଦ୍ରୋହ ଆଉ ବେଦନାନଳେ ।

 

ପଡ଼ିଗଲା ମନେ ସବୁ ନିପୀଡ଼ନ

କାନ୍ଦିଉଠିଲା ଭିତରେ ମଦନ

ନିଜକୁ ଦେଲି ମୁଁ ନିଜେ ଅଭିଶାପ

ଠିଆହୋଇ ଲୁହ-ଦରିଆକୂଳେ

ପର ମୁହୂର୍ତ୍ତେ ତମରି ପ୍ରଣତି,

ଶ୍ରଦ୍ଧା, ଅର୍ଘ୍ୟ ଆବେଗଭରେ ।

***

 

। ୪ ।

 

କଲି ମୁଁ ଗ୍ରହଣ ତମରି ମାଲ୍ୟ

ହେ ଅପରିଚିତା, ନୁଆଇଁ ଗଳା !

ମୋ ପାଇଁ ଫୁଟେନି ଯେ ଦେଶେ କୁସୁମ

କେଉଁଠୁ ଆଣିଲ ଏ ଫୁଲମାଳା ?

ନୀରବେ କେଉଁଠି ଗୁନ୍ଥିଲ ବସି ?

ଆଗୋ ପୂଜାରିଣି, ମୋ ଶୁଭ ମନାସୀ

 

ତମରି ଏ ମାଳା ଚିର ଅମଳିନ-

ରଖିବି ରଖିବି ଜୀବନ ଭରି,

ଅନ୍ତରଭରା କୃତଜ୍ଞତାରେ

ସୁଦୂରରୁ ଏବେ ବିଦାୟ ନେଲି ।

 

୨୨ ଜାନୁଆରୀ, ୧୯୬୮

(ବସନ୍ତ ପଞ୍ଚମୀ)

ରାତି ୧୧ଟା ।

***

 

।। ହେ ଗୋଦାବରୀଶ ! ।।

 

ତମେ ତ ଯାଇଛ, ମୁଉଁ ବି ତ ଯିବି

ଆଜି ବା କାଲି,

କହିବ କିଏ ?

ତମେ ତ ନିଭିଛ, ମୁଁ ବି ତ ନିଭିବି

ମରୁଛି ଜଳି,

ଲେଖୁଛି ବହେ ।

 

ତମେ ଚାଲିଗଲ, କଥା-କାରିଗର

ରହିଛି କଥା

ପଢ଼ିବ ଜାତି,

ସତୀଚଉରାରୁ ଚିତା ନିଭିଲାଣି

ରହିଛି ବ୍ୟଥା

ହୃଦୟେ ମାତି ।

 

ଉଦୟେ-ଅସ୍ତେ, ବ୍ୟସ୍ତ ହେଉଛି

ତମରି ପରି

ନୁଆଁଇ ଶିର,

ମୁଣ୍ଡ ଘୂରୁଛି, ଦିନରାତି ଭାବି

କଲମ ଧରି

ମାଡ଼ୁଛି ଡର ।

 

ତମେ ଲେଖିଗଲ ଦି’ ଗାଡ଼ି କାଗଜ

ହୋଇଛି ଜମା

ଏ ଜାତି ବୁକେ,

ତମେ ଦେଖିଗଲ ବହୁ ରାମା ଦାମା

ଅଗାଡ଼ି ଶାମା

ଉଚ୍ଚ ଶିଖେ ।

 

ମାଡ଼ି ଗଲ ‘ନିଆଁ ଖୁଣ୍ଟା’ ତତଲା

କାଟିଲା ନାହିଁ

ଥୁଣ୍ଟା ହେଲ,

ଗଡ଼ିଲ ‘ମରଣ ଦୁଆରେ’ ବନ୍ଧୁ

ଦୁଃଖ ନେଇ

ସାରିଲ ବେଳ ।

 

ଆଜି ତମ କଥା, ତମରି ସ୍ମୃତି

ପଡ଼ୁଛି ମନେ

ତମରି ମୁହଁ,

ଚିତ୍ତେ ଜାଗୁଛି ତମରି ଛନ୍ଦ,

କବିତା ପ୍ରାଣେ

ଆସୁଛି ଲୁହ ।

 

କାହାରି ହାତକୁ ଦେଇ ନ ପତାକା

ଗଲ ତ ଚାଲି

ଫେରିଲ ନାହିଁ,

ତମରି ଜାତିର ଚରଣ ତଳରେ

ମରଣ ବାଲି

ତାତୁଛି ଏଇ !

 

ଗଲା ଟର୍ଣ୍ଣାଡ଼ୋ, ଆସୁଅଛି ଝଡ଼

ଭୂ-କମ୍ପନ

ପ୍ରଳୟ ରାତି,

କିଏ ସେ କରିବ ଏଇ ଦୁର୍ଦ୍ଦିନେ

ଜାତିକୁ ତ୍ରାଣ ?

ହେ ମହାରଥୀ !

 

ପ୍ରଚିଟି କବିର କଲମ କାଳିରେ

ମିଶହେ ଆସି.

ନିମନ୍ତ୍ରଣ,

ମଣିଷପଣିଆ ଆଉ ଚେତନାର

ପୌର୍ଣ୍ଣମାସୀ

କର ହେ ଦାନ !

 

୧୭, ଡିସେମ୍ୱର

।। ୧୯୬୭ ।।

***

 

।। ଦର୍ଶକ ।।

 

ନିରୁପାୟ

ନୀରବ-ଦର୍ଶକ ମୁହିଁ

ତମର ଏ ନରକ ଯାତ୍ରାର ।

କଷ୍ଟ ହୁଏ

ଭାବି ମୁଁ ପାରେନା

ହୃତ୍‍ପିଣ୍ଡେ ଯନ୍ତ୍ରଣା ଜାଗେ ।

 

ଆଖି ଆଗେ

ତ୍ୟାଗ, ପ୍ରେମ, ସମସ୍ତ ତପସ୍ୟା

ଯାହା ଯାହା ଥିଲା ମୋ ଉତ୍ତମ

ସବୁ ଗଲା ଜଳି,

ଦେଲା ଆତ୍ମାହୁତି

ତମ ଲୋଭ, ତମ ସ୍ୱାର୍ଥ, ଛଳନାର ଶିଖାର ଅନଳେ ।।

 

ପଳେ ପଳେ

ଲହୁ-ଲୁହ ମାନ ଓ ସମ୍ମାନ ମୋର

ହେଲା ଭୂଲୁଣ୍ଠିତ

ଅକୁଣ୍ଠିତେ ତମେ ତାର ହୋଇଲ ଦର୍ଶକ !

 

ଆଜି

ଅତୀତ ଯାଇଛି ହଜି

ନିଜ ଦ୍ୱାରା ପ୍ରତାରିତ ତମେ

ବିଗତ-ଯୌବନା,

ବେଳେବେଳେ

ହୃଦୟର ନିଭୃତରେ ମୋର

ସେ ବିଗତ-ଅତୀତର ସ-କରୁଣ ବୀଣା

ବାଜିଉଠି ଥମିଯାଏ

ମନେପଡ଼ି

କ୍ରମାଗତ ତମ ପ୍ରତାରଣା ।।

 

ଆଜି

ତମ ଦୁର୍ଦ୍ଦଶାର

ଆଉ

ନରକଯାତ୍ରାର

ନୀରବ, ନିରୁପାୟ-ଦର୍ଶକ ମୁଁ ନାରୀ,

ଜାଣେ ନାହିଁ

କେଉଁଠାରେ

କେତେବେଳେ

କେଉଁ ଶିଳାଗାତ୍ର ଦେହେ ବାଜି

ହେବ ଚୂର୍ଣ୍ଣୀଭୂତ

ତମରି ସେ କଳୁଷିତ-ଜୀବନର

ଲକ୍ଷ୍ୟହୀନ ତରୀ !

***

 

। ୨ ।

 

ହେ ଜୀବନ୍ତ ଟ୍ରାଜେଡ଼ିର ତରୁ,

ତମରି ବିଭତ୍ସ ଛାୟା

ତମ କବଳରୁ

ମୁକ୍ତ ମୋର ମନ-ପ୍ରାଣ

ମୁକ୍ତ ମୋର ପ୍ରତିଭାର ପ୍ରଜ୍ଜ୍ୱଳିତ ଶିଖା

ହେ ପାଷାଣୀ,

ହେ ସଂପ୍ରତି ନଷ୍ଟ ଉପତ୍ୟକା !

 

ପୁଣି ବାଜେ ତବ ପଦଧ୍ୱନି

ନୀରବେ ଶୁଣେ ମୁଁ ବସି

ଦେଖେ ଆଉ ଭାବେ

ଅତୀତର ତମରି ସେ ନିରୀହା-ମୁଖଶ୍ରୀ

କ୍ଳାନ୍ତ ଆଖିପତା ମୋର ମୁଦି ହୋଇଆସେ

ରୁଦ୍ଧ ଏକ ବ୍ୟର୍ଥତାର ବ୍ୟଥା

ଜାଳେ ମୋର କବିତ୍ୱକୁ

ଆଉ ପୁଣି ପ୍ରେମିକ-ଅନ୍ତର

ଭାସିଯାଏ ହୃଦୟ ମୋ

ଲବଣାକ୍ତ ଅଶ୍ରୁର ଜୁଆରେ ।

 

କିନ୍ତୁ

ମୁଁ ଆଜି ଜାଗ୍ରତ

ଏବଂ

ସତର୍କ ମୋ ଦୁର୍ବାର-ପୌରୁଷ

ତମ ବିଷ

ପାରିବିନି ଆଉ ପାନକରି ।

ସ୍ୱପ୍ନେ ଆସ, ସ୍ୱପ୍ନେ ଯାଅ

ହୁଅନାହିଁ ଭୁଲେ ବାସ୍ତବିକା

ହୋଇ ରୁହ ସ୍ୱପ୍ନ-ସହଚରୀ ।।

***

 

। ୪ ।

 

ତମେ ଆଜି ପ୍ରତାରିତ

ଏ ବିକୃତ-ସମାଜର ରାଜ-ଦରବାରେ

ପୂର୍ବରୁ ମୁଁ ଜାଣିଥିଲି, କହିଥିଲି, କରିଥିଲି ସାବଧାନ

ମାସ ମାସ ବର୍ଷ ବର୍ଷ

ତମ ପାଇଁ ଝଡ଼ ସାଥେ ଲଢ଼ି,

ତମରି ଆଘାତେ ହାୟ ମୋ ସୌନ୍ଦର୍ଯ୍ୟ,

ମୋର ମନୋହର

ଜଳିଗଲା

ମୋର ପ୍ରିୟ ମଦନ-ମନ୍ଦିର ।

‘ପ୍ରେୟସୀ’ର ରୂପେ ଥିଲ

କୁଟୀରେ ମୋ

କୋଷବଦ୍ଧ ତମେ ତରବାରୀ !

 

ସବୁ

ସବୁତ ଯାଇଛି ସରି

ଶେଷ ହୋଇ ଆସେ ତମ

ଅସରନ୍ତି ସୁଖର ସନ୍ଧାନ

ମୋ ବାହୁ-ବନ୍ଧନ ପୁଣି

କିଆଁ ପଡ଼େ ମନେ ?

ଆଜି ତମ ଚାରିଧାରେ

ମାଛିର ବାହିନୀ ହସେ

କାମୁକ, ଲମ୍ପଟ

ଛଦ୍ମବେଶୀ ମାଂସଲୋଭୀ କେଉଁ ଏକ ବୃଦ୍ଧ ନାଟ୍ୟକାର

ନାପିତ, ଶଠ, ଡ୍ରାଇଭର

ବଜାରି-ଲୋଫର୍

ଉପଦଂଶ ରୋଗୀ ପୁଣି ସଂଗୀତଜ୍ଞ, ନଟ ।।

 

ଆଗୋ ଅଶ୍ରୁମତି !

ନିଜ ଦ୍ୱାରା ଆମନ୍ତ୍ରିତ

ଏ ବିଭତ୍ସ ଯେଉଁ କଳାରାତି

ଏ ରାତି ପ୍ରହରହୀନ, ସଦା ଗାଢ଼ତର

ମୁଁ କିନ୍ତୁ ଉପାୟଶୂନ୍ୟ

ଅବିଶ୍ୱାସୀ

ନୀରବଦର୍ଶକ

ତମ ଏଇ ନରକଯାତ୍ରାର ।।

 

୧ ଫେବୃଆରୀ, ୧୯୬୯

***

 

।। ହେ ଅଭାବ ଜ୍ୱାଳା ! ।।

 

କବିତ୍ୱର ଲୌହପିଣ୍ଡ ତମ ଯୋଗୁଁ ଶାଣିତ-ଇସ୍ପାତ

ହେ ଉପେକ୍ଷା, ହେ ବଞ୍ଚନା, ଦାରିଦ୍ର୍ୟ, ସଂଘାତ !

ଅଭାବର ଚିର ମରୁଭୂମି,

ତମେହିଁ କବିରେ କର ଅଗ୍ନିମାନ, ସଦା ମୁକ୍ତିକାମୀ ।

 

ରକ୍ତ-ମାଂସ ଦେହୁଁ ତାର

ସବୁ ରକ୍ତ ତମରି ଶୋଷାରେ

ପ୍ରାଣର ରୋମାଞ୍ଚ ଯେତେ

ଅକାବ୍ୟିକ ତମରି ଭାଷାରେ,

ଯଦିଚ ବିଲୁପ୍ତ ହୁଏ,

ତଥାପି ହେ ରହିଯାଏ ଯାହା

ତାହାହିଁ ମନୀଷା ପୁଣି

ପ୍ରଜ୍ଞା ଆଉ ପ୍ରାଣମୟ ନିଆଁ ।

 

ସେହି ନିଆଁ ଅନିର୍ବାଣ,

ସାରସ୍ୱତ-ସଂପଦ ଧରାର

ତାହାରି ଗରଭୁଁ ଜନ୍ମେ,

ଜନମିଛି ଆଦିମ-ଓଁକାର ।

 

ଏଇ ମହାଭୂଗୋଳର

ଯେତେ ସବୁ ବାଣୀର ପୂଜାରୀ,

ଜୀର୍ଣ୍ଣ ଦେହେ, ଶୀର୍ଣ୍ଣହାତେ

ସୁନ୍ଦରର ବୈଜୟନ୍ତୀ ଧରି,

ନିନ୍ଦାକରି ଅମଙ୍ଗଳେ,

ଅସତ୍ୟକୁ କରି ପଦାଘାତ,

ହେ ଦାରିଦ୍ର୍ୟ, ହେ ବଞ୍ଚନା,

ମୂଲ୍ୟବୋଧ ଅଭାବ, ସଂଘାତ !

 

ତମରି ବିଶୁଷ୍କ-ପୃଥ୍ୱୀ,

ତମରି ସେ ଦଗ୍ଧକୁଞ୍ଜ ତଳୁ—

ଗାଇଛନ୍ତି ସାମଗାନ

କାହିଁ କେଉଁ ଆଦିମ କାଳରୁ !

 

ନାନା ଗଳ୍ପ, ଉପାଖ୍ୟାନ,

ଶ୍ଲୋକ ଆଉ ଏପିକ୍ ଭିତରେ

ଯେ ବାଣୀ ଧ୍ୱନିତ ହୁଏ

ଏଇ ମହାଭୂଗୋଳ ଚିତ୍ତରେ

ଚିନ୍ତାଶୀଳ-ପଶୁ ମଣିଷକୁ—

ଯେ କରିଛି ଶୃଙ୍ଖଳିତ

ଜାଳିଦେଇ ଆପଣାର ବୁକୁ ।

 

ଶୋକର ସାଗର ତୀରେ

ଠିଆହୋଇ କ୍ରୌଞ୍ଚ ବିରହରେ

ଲେଖିଲା ଯେ ମହାକାବ୍ୟ

ଆଖିଲୁହ ପୋଛି ବାରେ ବାରେ,

ଚିତ୍ତେ ତାର ଥିଲ ତମେ

ହେ ଉତ୍ତାଳ ଲୁହର ଦରିଆ,

ତମରି ତରଙ୍ଗ-ଭଙ୍ଗେ

ଯେ ଶୋକାର୍ତ-ହାହାକାର ଆହା !

 

ଉଠିଥିଲା କବିକଣ୍ଠୁ

ପଶୁତ୍ୱକୁ ଦେଇ ଅଭିଶାପ,

ତମେ ତାର ମୂଳେ ଥିଲ

ହେ ବେଦନା, ଦୁଃଖ, ଆନୁତାପ !

 

ହେ ବ୍ୟର୍ଥତା, ପରାଜୟ,

ମାନବିକ-ମୂଲ୍ୟବୋଧ ଅଭାବର ରାହୁ

ହେ ବିଷାଦ, ଭଗ୍ନପ୍ରେମ,

ହେ ଅସାମ୍ୟ, କ୍ଷତ ମହାବାହୁ !

 

ତମ ଗ୍ରାସେ ଉପହାସେ,

ତମରି ସେ ପ୍ରଚଣ୍ଡ ଦଂଶନେ,

ବାଜିଉଠେ ବିଷବଂଶୀ

କବିଚିତ୍ତେ ଅତି ସଂଗୋପନେ ।

 

ତମେହିଁ ମରାଳ ହ୍ରଦ,

ହେ ଦାରିଦ୍ର୍ୟ, ହେ ଅଭାବ ଜ୍ୱାଳା,

ତମରି ପୀଠରୁ ପଢ଼େ

କବିଚିତ୍ତ ନବ ପଦ୍ମତୋଳା ।

 

ଜଡ଼ରୁ ଚୈତନ୍ୟ ପରି

ଏଯାବତ୍ ତମରି ଜଠରୁ

ଜନ୍ମିଛି ଆମରଶିଳ୍ପ,

ଶିଳ୍ପୀ ପୁଣି ତମରି ସେ ଉତ୍ତପ୍ତ ପୀଠରୁ ।

 

ବାଲିକୀରୁ ଏ ଅଧମ ‘ରବିସିଂ’ ଯାଏଁ,

ସମସ୍ତେ ନେଇଛୁ ଦୀକ୍ଷା ତମଠାରୁ । ସ୍ୱତଃ ଶିର ନୁଏଁ ।

ଆମେ ଯେତେ ବାଣୀର ମରାଳ,

ତମେହିଁ ଆମର ହ୍ରଦ, ତମବୁକେ ସନ୍ତରଣଶୀଳ—

ଆମର ଏ ସାଧନାର ତରୀ,

ଦିବାରାତ୍ରି ଭାସିବୁଲେ ଅସତ୍ୟର ବିଷ ଜୀର୍ଣ୍ଣକରି ।

 

ଆମ ଦେବୀ ଯେ ବିଶ୍ୱଭାରତୀ

ତମରି ଦୁଲାଳୀ ସିଏ ସୁରଧୁନୀ ଚିର ବେଦବତୀ ।

ରିକ୍ତତାର ଦୀପେ ଆମେ କରୁ ନିତି ତାହାରି ଆରତି ।

ନିଖିଳର ଆଖିଲୁହ, ବ୍ୟଥା ଆଉ ଅସନ୍ତୋଷାନଳେ

ସୌନ୍ଦର୍ଯ୍ୟର ପୌର୍ଣ୍ଣମାସୀ, ଅମଳିନ ହସର ଜୁଆରେ

ବିଚ୍ଛେଦ ମିଳନ ପୁଣି ଜନ୍ମ-ମୃତ୍ୟୁ ନାନାବର୍ଣ୍ଣେ ଆମ କାବ୍ୟଲୋକ

ହୋଇଛି, ହୋଇବ ପୁଣି ନବ ନବ ରୂପେ ଅଭିଷେକ ।

ତମେ ଆମ ଅନ୍ତର୍ଦ୍ୱନ୍ଦ୍ୱ, ତମେ ଆମ ବେଣୁ ଆଉ ବୀଣା

ତମେ ଆମ ତରବାରି ହେ ରିକ୍ତତା, ଚିର ଜଣାଶୁଣା !

ତମେହିଁ ତୃତୀୟ ନେତ୍ର, ଜ୍ଞାନେନ୍ଦ୍ରୀୟ ଆମରି ଜାତିର,

ତମେହିଁ ଲୁହାର ଦମ୍ଭ, ତମ ଯୋଗୁଁ ଆମେ ଉଚ୍ଚଶିର ।

ବେସାଲିସୀ-ବିଦ୍ରୋହର କେତୁ,

ତମେହିଁ ଦେଇଛ ହାତେ ଭାଙ୍ଗିବାକୁ ଅମଙ୍ଗଳ ସେତୁ ।

 

ଆମ ରକ୍ତେ ତମ ଶିଳାଲେଖ,

ରହିଛି ଅଙ୍କିତ ସଦା ଆହେ ରୁଦ୍ର, ନିରଶ୍ରୁ-ବୈଶାଖ !

ବଧୂସମ ସୃଷ୍ଟି ସୁଖେ ଆମେ ଯେବେ ହେଉ ଆତ୍ମହରା

ତମେ ତା’ର ମୂଳେ ଥାଅ, ଥାଏ ତମ କଠୋର ଇସାରା ।

ହେ ଅଭାବ, ହେ ଦାରିଦ୍ର୍ୟ, ତାପଦଗ୍ଧ-ସିଂହାସନ ଆମ,

ତମ ଯୋଗୁ

ଆମକୁ ଯେ ଘୃଣାକରେ, ଉପହାସ କରେ ନରାଧମ

ଏ ଧରାର ସେ ନିର୍ମୂଳୀ ଲତା,

ସୁଏ ଏକ ବିକୃତିର କଳଙ୍କିତ ଜୀବନ୍ତ କବିତା ।

 

ଛିନ୍ନକନ୍ଥା-ରାଜଧାନୀ ତଳୁ

ଘେନ ଆମ ପ୍ରଣିପାତ, ପାପଲିପ୍ତ ପୃଥିବୀର କୋଳୁ !

ହେ ଦାରିଦ୍ର୍ୟ, ହେ ଅଭାବ, ହେ ସ୍ୱଚ୍ଛ, ସଂଭ୍ରାନ୍ତ !

ତମେହିଁ ଜନନୀ ଆମ, ଆମେ ତମ ରୂପେଲୀ ପ୍ରପାତ ।

 

୬ ଅକ୍ଟୋବର

।। ୧୯୬୮ ।।

***

 

।। ଆସ ! ।।

 

ମୋ କାବ୍ୟପୁରୁଷ

ତମକୁ ଚୁମ୍ୱନ କରେ

ମୋର ଆଗ୍ନେୟ ଲେଖନୀ

ତମ ପାଇଁ ରଚନା କରେ କବିତା

ମୋର କାବ୍ୟଲୋକ

ତମପାଇଁ ହୁଏ ଉତ୍ସବ ମୁଖରିତ ।

 

ତମେ

ଏକ ଜୀବନ୍ତ

ଏବଂ ଲଳିତ କୋମଳ ପଦାବଳୀ ।

ତମ କେଶର ସୁଗନ୍ଧ

ତମ ଭ୍ରୂଧନୁର ନୀରବ-ଟଙ୍କାର

ମୋର ଦୁର୍ବାର ପୌରୁଷକୁ

ମନ୍ତ୍ର ଦିଏ ଉଜ୍ଜୀବନର ।

ଏକ ଲଳିତ-ଲଗ୍ନର ପ୍ରଚଣ୍ଡ ସମ୍ଭାବନାରେ

ଅଧିର ହୋଇଉଠେ ମୁଁ ।

 

 

 

ମୋର ଚିର ମେଘାଚ୍ଛନ୍ନ ଆକାଶ

ହଠାତ୍ ଆଜି ମେଘମୁକ୍ତ

କାହିଁକି ? ଜାଣେନା !

ମୋର ସୁନୀଳ-ମହାଶନ୍ୟରେ

ମୋର ଦଗ୍ଧ-ଉପତ୍ୟକାରେ

ମୋର ରୌଦ୍ରଦଗ୍ଧ-ଜୀବନ-ଉଦ୍ୟାନରେ

ମୁଁ ଦେଖିବାକୁ ପାଏ

ଗୋଟିଏ ଶୋଡ଼ଷୀ-ଚନ୍ଦ୍ରକୁ ।

ମୋ ଉଦ୍ୟାନରେ

ମୁଁ ଅନୁଭବ କରେ

ଏକ ଦୋଦୁଲ୍ୟମାନ ବନ୍ୟ-ଗୋଲାପର

ଉପସ୍ଥିତି ।

 

ସେ ଚନ୍ଦ୍ର

ସେ ଗୋଲାପ

ତମେ

ମୋ ଜୀବନପଥରେ

ହଠାତ୍

ଏବଂ

ପ୍ରଥମ ଫାଲ୍‍ଗୁନର

ପଦଧ୍ୱନି,

ମୋ ମନର ମଶାଣିରେ

ନିବିଡ଼ ଜନପଦର ଛନ୍ଦ

ତମେ ।

 

ମୋର ରୌଦ୍ର-ଧୂସର ଉଷର ଆକାଶରେ

ଅନାହୂତ-ମୌସୁମୀର

ପ୍ରଥମ ଏବଂ ଅକସ୍ମାତ୍ ଚୁମ୍ୱନ

ତମେ ।

ତମେ ଆସିଛ

ବହୁ ଲଂପଟ, ବିକୃତମସ୍ତିଷ୍କ,

ବ୍ୟାଘ୍ରଚର୍ମାବୃତ ଗର୍ଦଭଙ୍କ ଦୃଷ୍ଟି ଆକର୍ଷଣ କରି ।

ସାଙ୍ଗରେ ଆଣିଛ

ତୋଫାନ୍,

ଝଡ଼, ବନ୍ୟା, ହସ ଏବଂ ଅଶ୍ରୁ ।

ତଥାପି

ତମେ ଏକ ପ୍ରୀତିମୟୀ

ଗୀତି-କବିତାର

ଛନ୍ଦଚପଳ- ରାଜଧାନୀ

ଆସ !

ମୁଁ ତମକୁ ସାଇତି ରଖେଁ

ମୋ ହୃଦୟର ପବିତ୍ର-ପୌରୁଷାଗ୍ନି

ଦାନ କରେଁ ତମକୁ ।

 

।। ଜୁନ୍ ୧୨, ୧୯୬୭ ।।

***

 

।। ବେରସିକ କବି ।।

 

ପାଠକର ଜିଭ ଚାଖିଲାଣି ବହୁ ମିଠା,

ପଢ଼ିଲାଣି ବହୁ ରୋମାଞ୍ଚକର

ରଜତ ପ୍ରେମର ଚିଠା ।

 

ନାରୀଅଙ୍ଗର ନାନା ବର୍ଣ୍ଣନା

କଲାଣି ବହୁତ କବି

କାମଉଦ୍ରେକକାରୀ ନିତମ୍ୱ,

ସ୍ତନ ଆଉ ଶ୍ଳଥ ନୀବି ।

 

ପ୍ରେମ-ବାରିଧିର ମହାମନ୍ଥନ

ଆଉ ଲାଗୁନାହିଁ ଭଲ

ଦୁଃସହ ଭାଇ, ପାନଶାଳା ତଳେ

ସାକୀର ହାସ୍ୟରୋଳ ।

 

ରତି-ସ୍ଖଳିତ ଫୁଲର ପାଖୁଡ଼ା,

‘ସମବୟସୀ’ର ହସ

‘‘ପ୍ରଣୟଗୀତା’’ ର ତଳେ ଚିତା ଜଳେ,

ମାଟିର ଦୀର୍ଘଶ୍ୱାସ ।

 

ବହୁତ ହେଲାଣି ରସିକପଣିଆଁ,

ଥାଉ, ସେତିକିରେ ଥାଉ,

ଆଗ ଅପେକ୍ଷା ଖସିତ ଗଲାଣି

ବହୁତ ପ୍ରେମର ଭାଉ ।

 

ମଦନ ତ ଆଜି ମରଣୋନ୍ମୁଖ

ଅବଶ ପଞ୍ଚଶର

ଆଉ ବେଳନାହିଁ ଚନ୍ଦ୍ର ସହିତ

ପ୍ରିୟା ମୁଖ ତୁଳନାର ।

 

ସେକାରୁଟି ପରି ଚନ୍ଦ୍ର ଝୁଲୁଛି

ସୁନୀଳ ଶୂନ୍ୟ କୋଳେ

ନିମ୍ନେ ଧରାର ଜଠରେ ଅସୀମ-

କ୍ଷୁଧାର ଅଗ୍ନି ଜଳେ ।

 

ସେକାରୁଟି ସେହି ଚନ୍ଦ୍ର ଗୋଟିକୁ

କେ ଆଗ ଖାଇବ ଝୁଣି,

ସେପାଇଁ ଭୀଷଣ ପ୍ରତିଦ୍ୱନ୍ଦ୍ୱୀତା,

ଗ୍ଲାନିକର ଟଣାଟଣି ।

 

 

 

ଯାନ୍ତ୍ରିକତାର ଯନ୍ତ୍ର-ଧୂଆଁରେ

ଆକାଶର ବୁକୁ ଭାରି

ମଣିଷ ଆଖିରେ ରଂଗା ସକାଳ,

ସୂର୍ଯ୍ୟୋଦୟର ନାଲି ।

 

ସେହି ସେ ସୂର୍ଯ୍ୟ କାଶ୍ୟପ ସୁତ,

ନୁହେଁ ତ ‘କୁସୁମ ଜବା’

ବିପ୍ଳବୀ ଜଣେ ଛାତ୍ର, ନତୁବା

ଜଣେ ମଦଦୁର ଯୁବା !

 

ଆଖିର ଆକାଶେ ନିତି ଜାଗିଉଠେ

ଧରି ତା ପତାକା ନାଲି

ଯୁଗଯୁଗାନ୍ତ ଅନ୍ଧକାରକୁ

ସତେ ଅବା ଦବ ଜାଳି !

 

ନିଖିଳର ସବୁ ଜ୍ୱାଳା-ଯନ୍ତ୍ରଣା

କ୍ରୋଧ ଆଉ ପ୍ରତିଶୋଧ

ସେହି ସୂର୍ଯ୍ୟର ଛବିଠାରେ ଠୁଳ

ଅନୀତିର ପ୍ରତିବାଦ ।

 

ସୂର୍ଯ୍ୟାସ୍ତର ଛବି ପୁଣି ହୁଏ ମନେ:

ବୁଲେଟ୍-ବିଦ୍ଧ ସୈନିକ ଜଣେ

ସେ କେଉଁ ରଣାଙ୍ଗନେ !

 

ଛାତିର ରକତେ ଲାଲ୍ କରିଦେଇ

ବାରୁଣୀ ଗଗନ ତଳ

ଆଗାମୀ ସକାଳ ହାତକୁ ବଢ଼ାଇ

 

ସେଇ ତାର ରାଇଫେଲ

ବୁଜିଦିଏ ଆଖି ସୂର୍ଯ୍ୟାସ୍ତର ବନେ,

ଆଗାମୀ ଉଷାର ଆଗମନୀ ଦେଇ

ସାଥୀ ଦୈନିକ ପ୍ରାଣେ ।

 

ମହାଭୂଗୋଳର ତୋରଣ ଦୁଆରେ

ନବଜାଗରଣ ଗୀତି

ବିଗତ ମୂଲ୍ୟବୋଧର ଯେତେ ଯା

ମେଦଭାର, ବିକୃତି,

 

ଭାଜିପଡ଼େ ସତେ ପ୍ରତି ପଦପାତେ

ମଣିଷର ଅଭିଯାନେ

 

 

କବିର କବିତା ମୁଖର ହେବନି

ତାହାର କି ଜୟଗାନେ ?

 

ପଳାୟନବାଦ ଆମ୍ରକାନନେ

କେତେଦିନ ଗଡ଼ାଗଡ଼ି ?

ସମବୟସୀର କରକଙ୍କଣ

ବସିବ ବକ୍ଷପୀଡ଼ି ?

 

ରୋମାଣ୍ଟିକତା ମିଠା ଖାଇ ଖାଇ

ପାଠକର ସବୁ ରୁଚି–

ହୋଇଛି ନଷ୍ଟ, ଦେବାକୁ ପଡ଼ିବ

ତୀବ୍ର-ସତ୍ୟ କିଛି ।

 

ତିକ୍ତ-କାବ୍ୟରସରେ ତାହାର

ରୁଚିର ନିଦ୍ରାଭଙ୍ଗ–

କରିବାକୁ ହେବ ପ୍ରସାରି ତା ଆଗେ

ଜୀବନର ନୂଆ ରଙ୍ଗ ।

 

ଜଡ଼ର ଜଠରୁ ପ୍ରବଳ ଆଘାତେ

ଚେତନାକୁ ଧରିଆଣି–

ପୂଜିବାକୁ ହେବ, ସେହିତ କବିର

ବେଦନାର ବୀଣାପାଣି !

 

ଭୂମିକମ୍ପର ଗର୍ଜନ ହେବ

ହାତରେ ତାହାର ବୀଣା

ଧ୍ୱଂସରୂପରେ ଶୁଝିବାକୁ ହେବ

ଅପସୃଷ୍ଟିର ଦେ’ଣା ।

 

ନିଖିଳର ଏହି ଆହ୍ୱାନ ଆଜି

ବାଜିବାରୁ ବୁକୁତଳେ

ବେରସିକ-କବି ତମକୁ ଡାକେ ମୁଁ

ଝଡ଼ର ଦରିଆ କୂଳେ ।

 

୨୨ ଏପ୍ରିଲ, ୧୯୬୯ ।

***

 

।। ମାନସୀ ।।

 

। ୧ ।

 

ରାତିର ପରଦା ଫେଇ ଯେବେ ଧୀରେ

ସୂର୍ଯ୍ୟ ଉଠଇ ପୂର୍ବନଭେ,

ମୁଁ ସେବେ ବୁଡ଼ଇ ମୋର ନିଜ କାମେ

ଅନ୍ୟ କିଛି ମୁଁ ନାହିଁତ ଭାବେ,

ତା ଭିତରେ ବେଳେ ବେଳେ ତମ କଥା—

ମନେପଡ଼ି ହୃଦେ ଜାଗେ ଗୁରୁବ୍ୟଥା

ହେ ମୋ ଅତୀତର ଗୋପନ-ପ୍ରେୟସୀ

ଚିର-ଚଞ୍ଚଳା ଅଭାଗୀ ନାରୀ,

ତମେ ମନେପଡ଼ ପଡ଼ୁଛ, ପଡ଼ିବ

ପାରିବିନି ମନୁ ତମକୁ ଭୁଲି ।

***

 

। ୨ ।

 

ତମକୁ ମୁଁ ମନେ ରଖିବିରେ ନାରୀ

ଅନ୍ୟ କେଉଁଥି ପାଇଁକି ନୁହେଁ,

ତମେ ଦେଇଥିବା ବ୍ୟଥା ଓ ବେଦନା,

ଅପମାନ କଥା ଭୁଲିକି ହୁଏ ?

 

ଯାହା ମୋର ଥିଲା ସବୁ ଦେଇ ଟେକି

ହେ ଚିର ପାଷାଣୀ, ଆଗୋ ଅବିବେକୀ,

ନିଃସ୍ୱ ଆଜି ମୁଁ ହୋଇ ହତବାକ

ଦେଖୁଛି ନୀରବେ ତମରି ଦଶା

ଉଦୟେ, ଅସ୍ତେ ହୃଦୟ ଜଳୁଛି

ନାହିଁ ମୋ କଣ୍ଠେ ନାହିଁ ଗୋ ଭାଷା ।

***

 

। ୩ ।

 

ଧମନୀ ରୁଧିରେ ତମରି ରୁଧିର

ମଧ୍ୟଜୀବନେ ମିଶାଇ ଦେଇ,

ଚିର ଅନ୍ଧାର ତମରି ଜୀବନ

ମୋ ପଉରୁଷର ଅଗ୍ନି ଦେଇ—

ଆଲୋକିତ କଲି ବରଷ ବରଷ

ପାଇଲି ନିନ୍ଦା, ଖାଲି ଅପଯଶ

ସାଜି ମୋର ‘ବଧୂ’ ଚାଖି ସବୁ ମଧୁ

ଢାଳିଦେଇ ନିଜ ବହଳ ବିଷ,

ତମେ ଆଜି ଘୁର ସୁଖ-ସନ୍ଧାନେ

ପୃଥିବୀର ପଥେ ଅହର୍ନିଶ !

***

 

। ୪ ।

 

ଅନ୍ୟକୁ ଯିଏ ପ୍ରତାରଣା କରେ

ପ୍ରତାରିତ ହୁଏ ସବୁରିଠାରେ,

ପବିତ୍ରତାକୁ ପଦାଘାତ କଲେ

ଶାନ୍ତି ଜୀବନେ ନମିଳି ପାରେ ।

 

ଏଇ କଥା ତମେ ବୁଝିଲଣି କିଛି

ଆହୁରି ବୁଝିବା ପାଇଁ ବାକିଅଛି

ସେଦିନ ବି ଆଉ ନାହିଁ ବେଶୀ ଡେରି

ଆସୁଛି ଝଞ୍ଜା ତୋଫାନ ରାତି,

ମୁଁ ଖାଲି ଦେଖିବି ସେହି ଦୁର୍ଦ୍ଦିନେ

କେ ହେଉଛି ତମ ଜୀବନସାଥୀ !

***

 

। ୫ ।

 

ମୋ ଦୀପଶିଖାକୁ ବିଷ-ଫୁତ୍‍କାରେ

ମଧ୍ୟରାତିରେ ନିଭାଇ ଦେଇ,—

ତମେତ ଯାଇଛ ଆଉ କିଆଁ ପୁଣି

ବସିଛ ମୋ ପାଶେ ଫେରିବା ପାଇଁ ?

 

ଏ ମୋର ମଦନ, ଏ ମୋ ମନୋହର

ତମ ଦଂଶନେ ବିଷ-ଜରଜର

ଥରେ ନିଭିଗଲେ ବିଶ୍ୱାସ-ଦୀପ

ଆଉ କି ତା ଜଳେ ପୂର୍ବପରି ?

ଉପାୟ ନାହିଁ ଗୋ ଚାଲିବାକୁ ହେବ

ଅସରା ଦୁଃଖ-ପସରା ଧରି !

***

 

। ୬ ।

 

ଏ ଜୀବନେ ଆଉ ପୁନର୍ ମିଳନ

ସମ୍ଭବ ନୁହେଁ ତମରି ସାଥେ,

ଆଗୋ ଇନ୍ଦ୍ରାଣୀ ହୃଦୟ ମୋ ଚୂନା

ହୋଇଛି ତମରି ବଜ୍ରପାତେ !

 

ସେହି ହୃଦୟର ଭଗ୍ନାବଶେଷ

ଏଇ କବିତାଟି ଦୀର୍ଘଶୁଆସ

ତମେ ମୋର ମନେ ଥିବ ସର୍ବଦା

ତମରି ଶଠତା, ଛଳନା ପାଇଁ,

ତମକୁ ଭୁଲିନି ଭୁଲି ପାରିବିନି

ଏ ଜୀବନେ କେଭେଁ ଛଳନାମୟୀ !

 

।। ୬ ଅକ୍ଟୋବର, ୧୯୬୮ ।।

***

 

।। କର ନମସ୍କାର ।।

 

। ରାଷ୍ଟ୍ରପତି ଜାକୀର ହୋସେନ୍‍ଙ୍କ ଦେହାନ୍ତରେ ।

 

ଭାରତ-ଭାଗ୍ୟାକାଶରେ ହଠାତ୍ ଏକି ଧୂମକେତୁ ପୁଚ୍ଛ ?

ଭାରତ-ଭାରତୀ ଉଦ୍ୟନୁ ଲୁଟି କଲା କେ ଗୋଲାପ ଗୁଚ୍ଛ ?

ବିନା ମେଘେ ଏକି ବଜ୍ର-ଆଘାତ

ନୟନେ ନୟନେ ଲୁହର ପ୍ରପାତ

ଏ ଜାତିର ନେତ ଅର୍ଧନମିତ କିଆଁ ?

ଚାରିଦିୁଗ ଏକ ନୀରବ ନିଶୂନ୍

ପବନର ପ୍ରତି ରନ୍ଧ୍ରେ କାହାର କ୍ରନ୍ଦନ ବାଜେ ଆହା !

 

ଆଜି ଭାରତର ରାଷ୍ଟ୍ରପ୍ରତୀକ ଶ୍ୱେତ-କାଫନ୍‍ର ତଳେ

ହଠାତ୍ କାହିଁକି ବିଶ୍ରାମ ନେଲା କଫିନ୍ ଅନ୍ତରାଳେ ?

ହଠାତ୍ ଇଏକି ଆଘାତ ଜବର

ଦିଲ୍ଲୀ ଗୋ, କାରେ ଦେବୁତୁ କବର ?

ଆଗୋ ଭାରତର ମହିମାନ୍ୱିତା ଶୋକାର୍ତ-ରାଜଧାନୀ,

ହଠାତ୍ କାହିଁକି ଆଖି-ତୀରେ ତୋର ଲୁହ ଦରିଆର ପାଣି ?

 

 

 

ପ୍ରଦୀପରୁ ଶିଖା ଛିନ୍ନ ହୋଇଛି, ଭିନ୍ନ ତୋ ବୀଣା ତାର

ଦୂର୍‍ଦୈବର ଦୂରଭିସନ୍ଧି, ଦୈବର ଅବିଚାର—

ଆଣି ଦେଇଅଛି ମର୍ସିୟା ପୁଣି ପୁତ୍ରଶୋକର ବ୍ୟଥା,

କବରଖାନାର ଶୀତଳ ପବନ

ଜାତୀୟ-ଜୀବନେ ଭରି ଦେଇଅଛି ଶୋକାର୍ତ-ନୀରବତା ।

 

ଦିଲ୍ଲୀଗୋ, ତୋର ମଳିନ ଗୋଲାପ ବନେ

ଘନୀଭୂତ ଏଯେ ଦୁଃଖର ଛାୟା

ବର୍ଣ୍ଣନାତୀତ କବିର କଲମ ମୁନେ ।

ହେଲେ ବି ଲୁହାର ଧୈର୍ଯ୍ୟ, ଦମ୍ଭ ଛଡ଼ା ନାହିଁ ଆନପଥ

ତୁହାଇ ତୁହାଇ ଡାକେ ସମ୍ମୁଖେ ଦୁର୍ଗମ ଗିରିପଥ ।

ବହୁ ଆଲୋଡ଼ନ କରେ ଅପେକ୍ଷା ବିରାଟ ଅଗ୍ରଗତି,

ବହୁ ଉତ୍‍ଥାନ-ପତନର ପଥ

ପୂର୍ଣ୍ଣିମା ଆଉ ଅମା ଅନ୍ଧାର ରାତି ।

ଆଗାମୀକାଲିର ଅପରିହାର୍ଯ୍ୟ ଡାକ ଶୁଭେ ଘନ ଘନ,

ଦିଲ୍ଲୀଗୋ, ତାର ଜବାବ ଦେବୁତୁ ଖୋଲି ତୋର ବାତାୟନ !

ହରାଇଲୁ ଆଜି ଯାକୁ ଚିରତରେ

ସିଏ ଶିଳାଲେଖ ଏ ଜାତି ଦୁଆରେ

ଚିରାୟତ ଏକ ମହାକାବ୍ୟର ମହାନ୍ ପାଖୁଡ଼ା ସେ’ ତ

ସେ ଏକ ଜାତୀୟ-ତୀର୍ଥ ଗୋ ଆଜି

ଚାରିଧାରେ ତାର ଏଇ ଏ ବିରାଟ ଜାତି ଆଜି ସମବେତ ।

 

ହୃଦୟ-ଜବାର ଗୁଚ୍ଛ ଛିଡ଼ାଇ ଦିଅ ତାରେ ଉପହାର

ଆଗୋ ଶୋକାର୍ତ-ଭାରତ-ଭାରତୀ,

ଲଭି ସାରିଲାଣି ସିଏ ସଦ୍‍ଗତି

ଲୁହର ଦରିଆ କୂଳେ ହୋଇ ଠିଆ

ମୋ ସହିତ ତାରେ କର ଗୋ ନମସ୍କାର !

 

(୧) କାଫନ୍ – ଶବାଚ୍ଛାଦନ ବସ୍ତ୍ର । (୨) କଫିନ୍ – ଶବାଧାର (୩) ମର୍ସିୟାଳ – ଶୋକଗୀତି ।

 

(ଆକାଶବାଣୀରେ ପ୍ରଚାରିତ)

***

 

।। ବିଷକନ୍ୟାକୁ ।।

 

-୧-

 

କାହିଁ କେତେଦିନୁ, ଏଇ ମୋର ମନୁ

ତମେ ତ ଯାଇଛ ହଜି ଗୋ,

ତମରି ଦେହର ଦେଉଳ ପଡ଼ିଛି

ଆଖି ଆଗେ ମୋର ଭାଜି ଗୋ

ଆଉ କିଆଁ ବସି ଭାବ କେଉଁଠାରେ

ମୋର ଅତୀତର ସ୍ମୃତି ବାରେବାରେ ?

ଜୀଇଥିଲେ ବି ତ ମରିଛି ମୁଁ ନାରୀ

ଆଉ କା’ରେ ବସ ଖୋଜି ଗୋ ।

***

 

 

ତମେ ଥିଲ ମୋର ମଧ୍ୟ ଜୀବନେ

ପ୍ରିୟା, ପ୍ରଣୟର ଦେବୀ ଗୋ,

ପ୍ରବଞ୍ଚକର ପ୍ରବଞ୍ଚନାରେ

ଦେଖିଲ ଅପଥ ଛବି ଗୋ,

କଳୁଷିତ ଆଜି ତମ ତନୁ ମନ,

ତମରି ଛଳନା ତମ ଦଂଶନ—

ସବୁ ମନେ ଅଛି; ଭୁଲିନି ମୁଁ କିଛି

ଭୁଲି ପାରିବିନି କବି ଗୋ,

ଯେତେଦିନ ଯାଏଁ ଏ ଜୀବନ-ଦୀପ

ଯାଇନାହିଁ ନାରୀ, ନିଭି ଗୋ !

***

 

 

ଅତିବେଶି ମୂଲ ଦେବାକୁ ପଡ଼ିଲା

ତମରି ପ୍ରଣୟ ପାଇଁକି,

ଆଜି ମୁଁ ଭାବୁଛି, ଏତେ ଭଲପାଇ—

ବସିଲି ତମକୁ କାହିଁକି ?

ମଧ୍ୟଜୀବନେ କି ଭୁଲ୍ ମୁଁ କଲି

ଭାରସାମ୍ୟ ମୋ ହରାଇ ବସିଲି

ଫେରି ପାଇବିନି ଆଉ ଏ ଜୀବନେ

କ୍ଷତି ମୋର ହେଲା ଯାହାକି,

ପାରିବକି ତମେ କରି ଗୋ କଳନା

ନଷ୍ଟ-ଲଳନା, ତାହା କି ?

***

 

 

ଏ ମୋର ମଧ୍ୟ ଜୀବନେ କିଏ ସେ

କିଏ ତମେ ବିଷକନ୍ୟା ?

ମୋ ଜୀବନାକାଶେ ଦୁର୍ଦ୍ଦିନ ଝଡ଼

ଜୀବନ୍ତ ବିଷ-କନ୍ୟା ।

ଆପଣାର ବିଷେ ଆପେ ଗଲ ଜଳି

ଯେଉଁ ହୃଦୟକୁ ଦେଇଥିଲ ଦଳି

ସେ ହୃଦୟ ପାଶେ ପୁଣି କିଆଁ ଆଜି

ହେବାକୁ ବସିଛ ଧନ୍ୟା ?

ତମ ନିର୍ମ୍ମମ ବିଷ-ଦଂଶନେ

ଜଳିଛି ତା ବିଷକନ୍ୟା ।

 

୩୧-୧୦-୬୮

।। ମଧ୍ୟରାତ୍ରି ।।

***

 

।। ଗୋଟିଏ ଉଦବେଗ ।।

 

ଭିକାରି ଭାରତ ଭିକ୍ଷା ମାଗୁଛି ମହାଭୂଗୋଳର ଦ୍ୱାରେ

ଏଇ ଏ ଜାତିର ବନ୍ଧ୍ୟା-ଭୂଭାଗ ଉର୍ଧ୍ୱେ ସୂର୍ଯ୍ୟ ଜଳେ ।

 

କୃଷକ ହେଲାଣି କାରଖାନା କୁଲି, ପଡ଼ିଆ ପଡ଼ିଛି କ୍ଷେତ

ଆଜି ଭାରତର ଗ୍ରାମାଞ୍ଚଳରେ ଯନ୍ତ୍ରର ନହବତ—

 

ବାଜେ ଅବିରତ, ଯନ୍ତ୍ର ଧୂଆଁରେ ଆକାଶ ହେଲାଣି କଳା

ଜଳବତ ଆଜି ତରଳ ମଦ୍ୟ, ଚାରିଦିଗେ ପାନଶାଳା !

 

ପ୍ରବଞ୍ଚନାର ସ୍ତମ୍ଭ ଉପରେ ସମାଜ ହୋଇଛି ଠିଆ,

ପ୍ରେମ, ଅନୁରାଗ, ମଣିଷପଣିଆ, ମାନବତା ଯାହା ଯାହା ।

 

ପାଶବତା ଆଉ ଶଠତାର ଡେଣା ତଳେ

ରୁଦ୍ଧ ଶୁଆସେ ପବିତ୍ରତାର ଲୋଚନୁ ଲୋତକ ଝରେ ।

 

ଯାନ୍ତ୍ରିକତାର ତାନ୍ତ୍ରିକ ଦଳ ସମାଜର ବଡ଼ ନେତା

ପ୍ରତିଟି ମଣିଷ ଆଜି ନିଃସଙ୍ଗ, ଦୁଃସହ ନୀରବତା ।

 

 

 

ଫଗୁଣର ସବୁ ଫୁଲ ଫରମାସ୍ କାନ୍ଦେ ପବନେ ବୁଲି

ଚାରିଦିଗେ ଖାଲି ଅଭାବର ମରୁ ହତାଶାର ଚୋରାବାଲି ।

 

ଆତ୍ମୀୟତାର ଘନ-ଜନପଦ-ବଧୂ ମୁଖେ ନାହିଁ ହସ

ମଣିଷ ଭିତରେ ଲୁହାର ଇସାରା, ଶଠତାର ଅଧିବାସ ।

 

ବିକୃତି ଖାଲି, ବିକୃତି ଚାରିଦିଗେ –

ଚିନ୍ତାଶୀଳ ଏ ପଶୁ ମଣିଷରେ ସ୍ୱୀକୃତି ତା’ର ମାଗେ ।

 

ତେଣୁ ଏ ବିରାଟ ଜାତୀୟ ହତାଶା ତଳେ

ବିଦ୍ରୋହୀ ମୋର ଭୀଷଣ ସତ୍ତା ଦାବାଗ୍ନି ସମ ଜଳେ ।

 

‘ସଭ୍ୟତା’ ବୁକେ ପଦାଘାତ ହାଣି, ଈଶାଣ ସିଂହଦ୍ୱାରେ

ସୁପ୍ତ-ଝଡ଼ର ଆବାହନ ଗାଏ ସର୍ବନାଶର ସୁରେ ।

 

ପ୍ରଚଳିତ ଏଇ ସମାଜ ରୀତିର ଧ୍ୱଂସର ଗୀତିକାର

ମୁଁ ନୁହେଁ ବ୍ୟକ୍ତି, ପ୍ରତିନିଥି ଜଣେ ନିପୀଡ଼ିତ ନିଖିଳର ।

 

ଯାନ୍ତ୍ରିକତାର ଆଘାତେ ଆଘାତେ ମୋର ପ୍ରତି ପରମାଣୁ

ବସ୍ତୁ-ସତ୍ତା ଭିତରୁ ଚେତନା ବଜାଇ ଉଠିଛି ବେଣୁ ।

 

ବଢ଼େ ସୃଷ୍ଟିର ଚିର କଲ୍ୟାଣ କଂସର କାରାଗାରେ

ସେହି ବିପ୍ଳବ, ଉଦିତ ଅରୁଣ, ତରୁଣର ଅନ୍ତରେ ।

 

ପୁରାତନତାର ପୁନାଦୀ ଉପରେ ନୂତନ ଜୀବନ ଠିଆ

ଏଇ ଶୁଭେ ଯେଉଁ ଭୀମ କଳରବ, ନିଭୃତେ ଜଳେ ନିଆଁ ।

 

ସେହି ଅଗ୍ନିର ଅଗ୍ରବାହିନୀ, ସାମାନ୍ୟ ଜଣେ କବି

ସାମରିକ ଏକ ଉଦ୍‍ବେଗ ନେଇ ଦେଖେ ବିପ୍ଳବ ଛବି ।

 

୧୭, ଫେବୃଆରୀ ୧୯୬୯

।। ମଧ୍ୟରାତ୍ରି ।।

***

 

।। ଇଏତ ମହାତୀର୍ଥ ଭୂଇଁ ।।

 

[ସେଦିନ ଥିଲା ୧୯୬୯ ମସିହାର ଅଗଷ୍ଟ ୨୩ ତାରିଖ । ସମୟ ଥିଲା ଅପରାହ୍ନ ୫ଟା । ସ୍ଥାନ ଥିଲା କଟକର ବିଖ୍ୟାତ ଖାନନଗର ‘ମଲାତଣ୍ଡିଆ’ ଶ୍ମଶାନ । ପୂର୍ବଦିନ କଟକ ‌ରେଭେନ୍‍ସା କଲେଜର ହତା ଭିତରେ ପୁଲିସର ଗୁଳିଚୋଟରେ ଟଳି ପଡ଼ିଥିବା ଅଗ୍ନିମାନ ତରୁଣ ଛାତ୍ର ‘ପ୍ରଦୀପ୍ତ’ର ଗୁଳିବିଦ୍ଧ ଶରୀରକୁ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ଭିତରୁ ପ୍ରାୟ ୨୦,୦୦୦ ଛାତ୍ର ତଥା ଜନ-ସାଧାରଣଙ୍କର ଏକ ଅଭୂତପୂର୍ବ ଐତିହାସିକ ନୀରବ ଶୋକ-ପଟୁଆର ସହରର ପ୍ରଧାନ ରାସ୍ତାଦେଇ ବହି ଆଣିଥିଲା ‘ମଲାତଣ୍ଡିଆ’, ଶ୍ମଶାନ ଅଭିମୁଖରେ । ସେହି ପଟୁଆରର ପୁରୋଭାଗରେ ଅନ୍ୟମାନଙ୍କ ସହିତ ପାଦ ମିଳାଇ ଚାଲିବାର ସୌଭାଗ୍ୟ ମୋତେ ମିଳିଥିଲା ।

 

ଶ୍ମଶାନ ଭୂମି—ଶହୀଦ୍ ‘ପ୍ରଦୀପ୍ତ’ର ଗୁଳିବିଦ୍ଧ ତରୁଣ-ତନୁକୁ ଚିତା ଉପରେ ସ୍ଥାପନା କରିଗଲା । ଚିତାରେ ଅଗ୍ନିସଂଯୋଗ ପରେ ଜନ-ସମୁଦ୍ର ସହିତ ଚିତା ଉପରେ କିଛି ଫୁଲ ଏବଂ ଚନ୍ଦନକାଠ ଦେଇ ମୁଁ କିଛି ଦୂରକୁ ଚାଲିଆସି ନୀରବରେ ଦେଖିବାକୁ ଲାଗିଲି ସେହି ଛାତ୍ର ଶହୀଦ୍-ଚିତାଗ୍ନିର ଧୂମ୍ରପୁଚ୍ଛ ଏବଂ ତାର ଜ୍ୱଳମାନ ଶିଖାକୁ । ସେତେବେଳେ ମୋର ମାନସଲୋକରେ ଯେଉଁ ଭାବାନ୍ତର ସୃଷ୍ଟି ହୋଇଥିଲା ତା’ରି ପ୍ରତିକ୍ରିୟା ସ୍ୱରୂପ ଏ କବିତାଟି ସେଇଠି ଠିଆ ଠିଆ ମୁଁ ରଚନା କରିଥିଲି ।— ରବି ସିଂ]

 

ଇଏ ତ ନୁହେଁ ମଶାଣି ମାଟି

ଇଏ ତ ମହାତୀର୍ଥ ଭୂଇଁ

ଯୌବନର ରକ୍ତ-ଘୋଡ଼ା

ଏଇ ଯେ ଏଠି ପଡ଼ିଛି ଶୋଇ ।

 

ହୃଦୟ-ଜବା ଛିନ୍ନ କରି

କଦମେ ୟାର ସଲାମ୍ କର,

ଶୋଇଛି ଏଠି ସୁପ୍ତ ଝଡ଼

ଦୀପ୍ତ ଏକ ବୈଶ୍ୱାନର ।

 

ଜଳିବ ସିଏ ଆପଣା ଛାଏଁ

ଜାଳିବ କିଏ କହରେ ତାକୁ ?

ଉତ୍ତାପେ ତା ଉଠିଛି ତାତି

ଉତ୍କଳର ଶାନ୍ତ-ବୁକୁ ।

 

ବନ୍ଦକର ଅଶ୍ରୁପାତ

ବିପ୍ଳବର ଜନ୍ମ ଦିନେ,

ମେଲାଇ ଶିଖା ଦେବରେ ଦେଖା

ଅଗ୍ନି ନିଜ ବହ୍ନି ଗାନେ ।

 

ମରଣ ଆଜି ଧନ୍ୟ ହେଲା

କନ୍ୟା ତାର ଭାଗ୍ୟବତୀ

 

 

ଅରୁଣ ସମ ତରୁଣ ଜଣେ

ହୋଇଲା ଆଜି ତାହାର ପତି ।

 

ବିପ୍ଳବର ବିବାହ-ବେଦୀ

ବିଦ୍ରୋହର ପୁଣ୍ୟ ପୀଠ

କେ କହେ ୟାକୁ ମଶାଣି ମାଟି

ରୁଦ୍ଧ ଶୋକେ ଫୁଲାଇ ଓଠ ?

 

ଚିତାଗ୍ନି ଏ ନୁହେଁ ତ ନୁହେଁ

ହୋମାଗ୍ନିର ନାଲିଆ ଜିଭ

ତାହାରି କୋଳେ ଦେଖୁଛ ଯା’କୁ

ନୁହେଁ ତ ସାଥୀ, ନୁହେଁ ସେ ଶବ ।

 

କଦମ୍ୱର ରୋମାଞ୍ଚ ସେ

ପ୍ରୀତିରେ ଚିର ସବୁଜ ଚିଠି,

ଚୁମ୍ୱି ତା’ରେ ଶୀତଳ ହେଲା

ଇସ୍ପାତର ବୁଲେଟ୍ ଗୋଟି ।

 

ରୁଦ୍ର ଏକ ବୈଶାଖ ସେ

ତାରୁଣ୍ୟର ଉଦ୍ଦାମତା

ଝଡ଼ର ଏକ ବେହେଲା ସେ ଯେ

ମରଣ-ଜୟୀ ଜୀବନଗୀତା ।

 

ରକ୍ତ ଲାଲ ଅନଳ-ବନେ

ସିଏ ତ ଏକ ଦୀପ୍ତ-ଫୁଲ

ସୁପ୍ତ ଆରେ ପଙ୍ଗୁ ଜାତି

ଲାଲ୍-ସଲାମେ ତାହାକୁ ତୋଳ !

 

ଛିନ୍ନ କରି ଧମନୀ ନିଜ

ଗୁନ୍ଥ ତାକୁ ପରାଣ ଦେଇ,

ଯାହାକୁ ତମେ କହୁଛ ‘ଚିତା’

ତାହାରି ସବୁ ପାଉଁଶ ନେଇ—

 

ବିଛାଇ ଦିଅ ଚତୁର୍ଦ୍ଦିଗେ

ନାହିଁରେ ଆଉ ନାହିଁତ ବେଳ,

ଉଠୁରେ ଲାଠି, ଫୁଟୁରେ ଗୁଳି

ଗର୍ଜିଉଠୁ ଶାସନକଳ ।

 

ଅଛରେ ଯେତେ ଅପଥଗାମୀ

ଶପଥ ଘେନ ଦୀର୍ଘଶ୍ୱାସେ,

 

 

ଏଇ ଯେ ଜଳେ ବହ୍ନିଶିଖା

ଅନାବୃତ ରକ୍ତ-ବେଶେ !

 

ତାତିରେ ତାର ତତାଅ ଛାତି

ଧ୍ୱଂସ କର ଗୁଣ୍ଡାରାଜ,

ପ୍ରତିଟି ହୃଦ-ଯନ୍ତ୍ର ଆଜି

ରୁଦ୍ରତାଳେ ବାଜରେ ବାଜ !

 

ଆକାଶେ କଳା ବାଦଲ ଭାସେ

ବଦଲା ନିଅ ଝଞ୍ଜାବାନ୍

ଧରଣୀ ତଳେ ଡାକଇ ଧାତୁ

ଅଛରେ କିଏ ଅଗ୍ନିମାନ୍ ?

 

ଡାକଇ ଶୁଣ ରାଉରକେଲା

ଛାତିରୁ ଛେଲା ମାଉଁସ କାଟି,

ଓଢ଼ଣା ତଳୁ, ଢେଙ୍କାନାଳୁ

କଲେଜଛକ ରକ୍ତମାଟି ।

 

ଡାକଇ ଝଡ଼ ଈଶାଣକୋଣେ

ପଶ୍ଚିମରେ କ୍ରୁଦ୍ଧମେଘ,

ପାତାଳେ ଡାକେ ଭୂକମ୍ପନ

ଡାକଇ ଶୁଣ ଅଗ୍ରଭାଗ !

 

‘ପ୍ରଦୀପ୍ତ’ର ଆତ୍ମା ଡାକେ

ନାହିଁରେ ଆଉ ନାହିଁ ତ ମାଫ୍

ଧମନୀ ତଳେ ରକ୍ତ ଡାକେ

ପଶୁରେ ଆଜି କରତୁ ସାଫ୍ ।

***

 

।। ପ୍ରହାର କାବ୍ୟ ।।

 

ପ୍ରତିବାଦ ନୁହେଁ, ପ୍ରତିଶୋଧ ନିଅ, ପ୍ରତିରୋଧ କର ଭାଇ,

ଗତିରୋଧ କର ଅତ୍ୟାଚାରର ଅଛ ଯେତେ ବିଦ୍ରୋହୀ ।

 

ରାତ୍ରିର କଳା ଯବନିକା ତଳେ ଜାଗ ସଂତ୍ରାସୀ ଦଳ,

ବୋମା, ବନ୍ଧୁକେ ଏଇ ସମାଜର ଚୂନାକର ପଞ୍ଜରା ।

 

ଏଇ କଳୁଷିତ ମୌନ-ଆକାଶ ଛାତିରେ ଦିଅତୁ ଛାଇ—

ପୋଡ଼ା ବାରୁଦର ଘନ ମେଘମାଳା, ସାମ୍ୟ ମୁକ୍ତି ପାଇଁ ।

 

କଣ୍ଟାରେ ଆଜି କଣ୍ଟାତୁ କାଢ଼ିଶିଖ,

ଧନତନ୍ତ୍ରର ବୁନିଆଦି ଚୂର, ଚୂର ତାର ଶିଳାଲେଖ ।

 

ଭାଙ୍ଗ ତା ମଠ ମନ୍ଦିର ପୀଠ ଧର୍ମ, ଶାସନ ଯାହା,

ବିପୁଳାପୃଥ୍ୱୀ ଗର୍ଭଧାରଣ କରିଛିରେ ଯେତେ ଲୁହା ।

 

ସାଇତି ରଖିଛି ଯେତେ ଗନ୍ଧକ, ପେଟ୍ରୋଲ ଆଉ ସୀସା,

ହୃଦୟେ ହୃଦୟେ ବହୁ ଅଙ୍ଗାର, ବହୁ ବିଦ୍ରୋହ ଭାଷା ।

 

 

 

ସବୁର ଚୂର୍ଣ୍ଣ ଏକତ୍ର କରି ଗଢ଼ ଆଜି ଗୋଲାକାରେ,

ନିଅରେ ତାଲିମ୍, ଗୋପନେ ଜାଲିମ୍ ଶାସନ ଅନ୍ଧକାରେ ।

 

ଭୀଷଣ ବିସ୍ଫୋରଣର ଧୂଆଁରେ

ଚାରିଦିଗ କର କଳା;

 

ଶୋଷଣବାଦର ଛାଞ୍ଚରେ ଯେଉଁ

ସମାଜର ଦେହ ଢଳା;

 

ଗଳାଟିପି ତାର ହୃତ୍‍ପିଣ୍ଡକୁ

କାଢ଼ିଆଣ, ଅଛ କିଏ ?

 

ପ୍ରତିବାଦ କଲେ ମୁକ୍ତି ମିଳେନା,

ମିଳେନାହିଁ ଆଖିଲୁହେ ।

 

ପ୍ରତିବାଦ କରି କୁକୁର ଭୁକେରେ,

ବିଧବା କାନ୍ଦି ମରେ,

 

ଦିଏ ଅଭିଶାପ, ଅଣ୍ଟାରେ ଲୁଗା-

ଗୁଡ଼ାଇ ଝଗଡ଼ା କରେ ।

 

ତମେ କି କୁକୁର, ତମେ କି ବିଧବା,

ଭୀରୁ ତମେ କାପୁରୁଷ ?

 

କେବେ ଦେଖାଦେବ ତମ କ୍ରୋଧାଗ୍ନି

ନବଯଉବନ ବେଶ ?

 

ବୀର ତ ମାନେନା ଆଇନ୍-କାନୁନ୍,

ଶାସନ ତ୍ରାସନ, ବେଡ଼ି,

ଯୋଦ୍ଧା ଦେଖେନି ମାତା-ଭଗିନୀର

ହାତୁ ଚୂନା ହେବା ଚୂଡ଼ି ।

 

ସୈନିକ କେଭେଁ ଦୈନିକେ ତାର

ବିବୃତି ନାହିଁ ଛାପେ,

ପ୍ରତିବାଦ ନୁହେଁ, ପ୍ରତିଶୋଧ ନିଏ

ଭୀଷଣ ହିଂସ୍ର ରୂପେ ।

 

ଅସ୍ତ୍ରହୀନକୁ ଯହିଁ ସଶସ୍ତ୍ର-

ଫଉଜ ମାରଇ ଗୁଳି,

କିଏରେ ଶୁଣିବ ପ୍ରତିବାଦ ସେଠି ?

ଗୁଳିର ଜବାବ ଗୁଳି ।

 

ହଜାରେ ଶାସକ, କୋଟିଏ ଫଉଜ

ମଲେ କିବା ଲୋକସାନ୍ ?

ଗୋଟିଏ ତରୁଣ ମଣିଷ ଜାତିର

ପ୍ରଗତିର ‘କାରାଭାନ୍’ ।

 

ଫଉଜ ଜୀଇଲେ ମଣିଷ ମାରିବ,

ଫଟାଇବ ଶିଶୁ ମଥା

ବେୟନେଟ୍ ତାର ସୃଷ୍ଟି କରିବ

ମୃତ୍ୟୁର ନୀରବତା ।

 

ବୁଲାଇବ ନିଜ ଦୈତ୍ୟ-ରସକା,

ତା ମଦମତ୍ତ-ବୁଟ୍,

ଦଳିଦେବ କେତେ ବିପ୍ଳବୀ ଛାତି,

ଚଳାଇବ ହରିଲୁଟ୍ ।

 

ଗୋଟିଏ ଛାତ୍ର, ଗୋଟିଏ ତରୁଣ

ଅସୀମ ସମ୍ଭାବନା

ଏଇ ଧରଣୀର ମହା ସମ୍ପଦ

ମୁକ୍ତିର ଜଳକଣା ।

 

 

 

ତାହାରି ମେଳରୁ କବି-କଳାକାର

ବିନ୍ଧାଣୀ ଦଳ ଆସେ,

ଆସଇ ଚନ୍ଦ୍ରଜୟୀ-ବିଜ୍ଞାନୀ,

ଦେବଦୁତ ନାନାବେଶେ ।

 

ଏଇ ଶୁଣ ଶୁଣ, କାନ୍ଦୁଛି କା’ର

ଅମଳିନ-ଶଇଶବ !

ଧନତନ୍ତ୍ରର ଘନ-ଅନ୍ଧାରେ

ଖୋଜିବାକୁ ଆଜି ହେବ—

 

ହାତବୋମା, ଗୋଳା-ବାରୁଦ, ବୁଲେଟ,

ଧନୁ-ତୀର, ରାଇଫେଲ

ଆରେ ମୁକ୍ତିର ଅଗ୍ରପଥିକ,

ଝଡ଼-ତୋଫାନର ମେଲ୍ !

 

ଡାକେ ସମ୍ମୁଖ, ଛୁଟିବାକୁ ହେବ

ରାତିର ଗୁପ୍ତପଥେ

ମାଗିଲେ କେଭେଁରେ ମୁକ୍ତି ମିଳେନା,

ହତିଆର ଥିଲେ ହାତେ—

 

ସ୍ୱର୍ଗ ଆସିବ ଓହ୍ଲାଇ ଦିନେ

ମାଟି-ମାତା ପଦତଳେ

ମାଡ଼ରେ ଦେବତା ବର ଦେବାକଥା

ଲେଖାଅଛି ପୁରାଣରେ ।

 

ପ୍ରହାର-ରସଠୁଁ ରସ ଅଛିକିରେ ?

ସବୁଠୁଁ ଶ୍ରେଷ୍ଠ ସେହି

ସେହି ରସେ ଲେଖା ନହେଲେ କାବ୍ୟ

କିଛି ଲାଭ ନାହିଁ ନାହିଁ ।

 

ସଭାରେ ଭାଷଣ ଦେଲେ,

ରାଜନୈତିକ-ଗଲୁ ମେଣ୍ଟଇ, ଭୋଟ୍ କିଛି ମିଳିପାରେ !

ଶହୀଦ୍-ଶବର ଭୀଷଣ ପ୍ରଦର୍ଶନୀ—

ଖୋଲି ଏ ଜାତିର ତୋରଣ ଦୁଆରେ ବହୁ ଭୋଟ୍‍ଜୀବୀ ପ୍ରାଣୀ ।

 

ନିଜକୁ ଢାଙ୍କି ଢିଲା ପଞ୍ଜାବି ତଳେ

ପତିତ, ପଙ୍ଗୁଜାତିଟାକୁ ନେଇ ନରକ-ଅନ୍ଧକାରେ

ରାଜନୈତିକ-ଯୁପକାଷ୍ଠରେ ନିରୀହ ଛାଗଳ ଭଳି—

ବାନ୍ଧି, ତା ପରେ ଚଳାଇଛନ୍ତି ଲାଠି, ଗ୍ୟାସ୍ ଆଉ ଗୁଳି ।

 

 

 

ସମାଜ ବଧିର, ଶାସକ ବଧିର, ବଧିରତା ଗାରିଦିଗେ

କୋଟି କୋଟି ମୂଳା ଚୋବାଇ ବସିଲେ ସମାଜ, ଶାସକ ଆଗେ—

କିଛି ଲାଭ ନାହିଁ, ଶକ୍ତିର ଅପଚୟ

ବଧିର ଦଳକୁ ଯଦି କିଏ କିଛି ଶୁଣାଇବା ପାଇଁ ଚାହଁ ।

 

ରାଜଧାନୀକୁ ତା ବିସ୍ଫୋରଣରେ ଥରାଇ ଦେବାକୁ ହେବ

ଏଇକଥା କହେ ମାନବିକତାର ଦୁର୍ବାର-ଶଇଶବ ।

ତାହେଲେ ଉଠିବ କୁମ୍ଭକର୍ଣ୍ଣ ଗାଇ ଜାଗୃତି-ବେଦ

ଖୋଲିଯିବ ତାର ଆଖି-ଲଫାଫାରୁ ନିଦ୍ରାର ଜଉମୁଦ ।

 

ବ୍ୟାଧ ଶରାଘାତେ କାଲି ଯେ କ୍ରୋଞ୍ଚ ଅକାଳରେ ଗଲା ଝଡ଼ି

ଯେଉଁ ‘ପ୍ରଦୀପ୍ତ’ ତରୁଣ-ତନୁଟି ମଶାଣିରେ ଗଲା ଝଡ଼ି;

ବିରହେ ତାହାର ନେଇ ରୋମାଞ୍ଚ ରଚୁ କିଏ ରାମାୟଣ

ଆଖିର ଲୁହରେ ଲେଖୁ କେ କବିତା, କବିର କଲମ ମୁନ ।

 

କେଉଁ ବାଲ୍ମିକୀ ଦେଖାଦେବ ଦେଉ ଶହୀଦର ଲହୁଧାରୁ

ଭାବପ୍ରବଣତା ଚୁଲିକୁ ଯାଉରେ, ଲୋଡ଼ା ଆଜି କାରାଗାରୁଁ—

ବନ୍ଦୀମୁକ୍ତି, ଶୋଷଣବାଦର କବର ରଚନା, ଭାଇ !

ବାସ୍ତବତାର ଚଶମା କାଚରେ, ଜଡ଼ବାଦୀ ଆଖିନେଇ ।

 

ପୁଞ୍ଜିବାଦର ଦୁର୍ବଳଘାଟି ଉପରେ ମରଣ ମାଡ଼—

ଦେବାକୁ ପଡ଼ିବ, ଚୂରିବାକୁ ହେବ ପଞ୍ଜର ମେରୁହାଡ଼ ।

ଯଉବନ-ବନ-ବିହାରୀ-ତରୁଣ ଅରୁଣ-ଫଉଜ ସେନା,

ପାହିନି ରାତ୍ରି, ହୋଇନି ପ୍ରଭାତ, ଏତ ଅତି ଜଣାଶୁଣା ।

 

ବହୁ ଡେରିଅଛି ସୂର୍ଯ୍ୟଉଦୟ, ଅନ୍ଧାର ଚାରିଦିଗେ

ଶୁଣ, ଭାସିଆସେ ଝଡ଼ ଗାନ୍ଧାର, ଧ୍ୱଂସର ଅନୁରାଗେ !

ଶୋଇ ଶୋଇ ଏଇ ମାନବ ସମାଜ ପାଲଟି ଯାଇଛି ବନ୍ୟ

ପ୍ରହାର-ରସରେ ରସାଣିତ କର ମଣିଷର ଚଇତନ୍ୟ ।

 

ଥିର-ପଲ୍ୱଳେ ଆଣ ହିଲ୍ଲୋଳ, ଆଲୋଡ଼ନ, ଜାଗୃତି,

ସଦ୍ୟ ଶୋଣିତେ ଧୋଇଦିଅ ଯେତେ ପଙ୍କିଳ ରାଜନୀତି ।

 

ଏ କବିତାଟି ସଂପୂର୍ଣ ଅପ୍ରକାଶିତ । ରଚିତ ହେବା ପରେ ପରେ ଏକ ମୁଦ୍ରିତ ପାମ୍ପଲେଟ୍ ରୂପରେ ସମଗ୍ର ଓଡ଼ିଶାର ପ୍ରଧାନ ପ୍ରଧାନ ସହରରେ ଏହା ବିତରିତ ହୋଇଥିଲା ।

 

୧ ସେପ୍ଟେମ୍ୱର, ୧୯୬୯

***

 

।। ଅପେକ୍ଷା ।।

 

[ସେଦିନ ଥିଲା ୧୯୬୮ ସାଲର ଡିସେମ୍ୱର ତା ୨୯ରିଖ । ୧୯୬୮ ସାଲର ‘ସୋଭିଏଟ ଦେଶ ନେହେରୁ ପୁରସ୍କାର’ ଗ୍ରହଣ କରିବାକୁ କଲିକତା ଯାଇ ପ୍ରତିବେଶୀ ବଙ୍ଗ ଦେଶର ବିଶ୍ୱବିଖ୍ୟାତ ବାକ୍‍ରୁଦ୍ଧ ବିଦ୍ରୋହୀ କବି କାଜୀ ନଜ୍‍ରୁଲ୍ ଇସ୍‍ଲାମଙ୍କୁ ଜୀବନରେ ପ୍ରଥମଥର ଲାଗି ସ୍ୱଚକ୍ଷୁରେ ଦେଖିବାର ସୁଯୋଗ ପାଇଥିଲି । ସେଦିନ ଠିକ୍ ଦିନ ୧୨ଟା ବେଳେ ନିଜର କାବ୍ୟଗୁରୁ ନଜ୍‍ରୁଲଙ୍କ ବାସଭବନରେ ପହଞ୍ଚି, ନଜରୁଲଙ୍କ ପ୍ରିୟ ଫୁଲ ରଜନୀଗନ୍ଧାର ଏକ ଗୁଚ୍ଛ ସହିତ ନିଜର ସଦ୍ୟ ପ୍ରକାଶିତ କାବ୍ୟଗ୍ରନ୍ଥ ‘କ୍ଷତ’ ତାଙ୍କୁ ଉପହାର ଦେଇ ତାଙ୍କର ପଦଧୂଳି ଗ୍ରହଣକରି ନୀରବ ଆଶୀର୍ବାଦ ଭିକ୍ଷାକରିବା ବେଳେ ବାକ୍‍ରୁଦ୍ଧ ନଜରୁଲ ମୋ ମୁହଁକୁ ଏକ ଦୁର୍ବୋଧ୍ୟ ଚାହାଣିରେ ଅନାଇଥିଲେ । ସେତେବେଳେ ମୁଁ ନିଜର ଲୋତକ ସମ୍ୱରଣ କରିପାରି ନଥିଲି । ସେଠାରେ ମୋ ପାଖରେ ଥିଲେ, ବଙ୍ଗଳାର ପ୍ରଗତିବାଦୀ କବି ଶ୍ରୀ ସିଦ୍ଧେଶ୍ୱର ସେନ୍ ଓ ‘ସୋଭିଏଟ୍ ଦେଶ’ ପତ୍ରିକାର ସହସଂପାଦକ ଶ୍ରୀ ବୈଷ୍ଣମ ଚରଣ ପରିଡ଼ା ।

 

ନିଜର କାବ୍ୟଗୁରୁଙ୍କୁ ସ୍ୱଚକ୍ଷୁରେ ଦେଖିବି— ଆନନ୍ଦ ମିଶ୍ର ତ ଏଇ ଉତ୍କଣ୍ଠାକୁ ଛାତିତଳେ ଚାପିରଖି ଆସନ୍ନ ସାକ୍ଷାତ ସମୟକୁ କଲିକତାର ସଡ଼ର୍‍ଷ୍ଟ୍ରିଟ୍‍ସ୍ଥ ହୋଟେଲ୍ ଅଷ୍ଟୋରିଆର ୨୩ନମ୍ୱର କୋଠରିରେ ଏକାକୀ ବସି ଅପେକ୍ଷା କରୁ କରୁ ମୋ ମାନସ ରାଜ୍ୟରେ ନଜ୍‍ରୁଲଙ୍କ ପ୍ରବଳ ବ୍ୟକ୍ତିତ୍ୱ ଯେଉଁ ରୂପ ପରିଗ୍ରହ କରିଥିଲା, ଏ କବିତାଟି ତା’ରି ସ୍ୱାକ୍ଷର । — ରବି ସିଂ]

 

‘ସ୍ୱୀକୃତି’ ଆଉ ‘ପୁରସ୍କାର’ର ଲୋଭେ ମୁଁ ଆସିନି ଏଥେ

ତମରି ପାଦର ଆଗ୍ନେୟ-ଧୂଳି ନେବାପାଇଁ ନିଜ ମାଥେ ।

 

ହେ ମୂକ, ମୌନ, ମୃତ ଆଗ୍ନେୟ ଗିରି,

ଚିର ବିଦ୍ରୋହୀ, ମୃତ-ଭାସ୍କର, କ୍ଳାନ୍ତ ହେ ପଥଚାରୀ !

 

‘ଚିର ଦୁର୍ଦ୍ଦଗ’, ‘ଦୁର୍ବିନୀତ’ ହେ, ବୃଦ୍ଧ ପରଶୁରାମ,

ତମେ ମୋର ଗୁରୁ, ଅତି ଆପଣାର, ତମେ ମୋର ପ୍ରିୟତମ ।

 

ତମରି ‘ଅଗ୍ନିବୀଣା’ର ଗୋଟିଏ ଝଙ୍କାର ଉତ୍କଳେ—

ବାଜି ଅବିରତ, ତତାଏ, ମତାଏ ଦିବସ-ରାତ୍ରି ଜଳେ ।

 

ତମରି ଲାଭାର ଅଶ୍ରୁବିନ୍ଦୁ, ତମ ଅଗ୍ନିର କଣା—

ଅନ୍ତରେ ମମ ସଦାଜାଗ୍ରତ ଥିଲା, ଥିବ, ଜଣାଶୁଣା ।

 

ଆହେ ରୁଦ୍ରର ନୀରବ-ଡମ୍ବରୁ, ମହାନ୍ କାବ୍ୟଲୋକ,

ଏ ଆଖି ଦେଖିବ ମରଦେହ ତବ ନିରଶ୍ରୁ-ବୈଶାଖ !

 

ସମ୍ମୁଖେ ତବ ଦଣ୍ଡାୟମାନ ହେବାର ଭାଗ୍ୟ ଆଜି—

ଦେଉଛି ବିଧାତା, ଯାହା ବୁଲୁଥିଲି ଦିବସ ରାତ୍ରି ଖୋଜି ।

 

ଏଇ ଦିବସଟି ଏ ମୋ ଜୀବନର ଇତିହାସେ ଥିବ ଲେଖା,

ମୋ ଜୀବନଦୀପେ ଏଇ ଦିବସଟି ଅଭୁଲା ସ୍ମୃତିର ଶିଖା ।

 

ଦୁର୍‍ଦୈବର ଦୂରଭିସନ୍ଧି, ଶତ୍ରୁର ଫୁତ୍‍କାର

କେହି ତ ନିଭାଇ ପାରିବନି ୟାକୁ, ସତ୍ୟ ୟେ ବାରବାର ।

 

ବିଶ୍ୱମାତାର ଆହେ ଶୋକାଗ୍ନି,

ଆହେ ‘ଦୁର୍ଗମ ଗିରି’,

 

କ୍ଷତଠାରୁ ବଳି ତମେ ଆପଣାର,

ତମରି ଚରଣ ଧୂଳି ।

 

ଆହେ ମୁକ୍ତିର ଲଳିତ-ଲଗ୍ନ,

ମୃତ-ସୂର୍ଯ୍ୟର ଶବ,

ଆପଣାର ହୃତ୍‍ପିଣ୍ଡ ଉପାଡ଼ି

ପଢ଼ିଛି ତମରି ସ୍ତବ ।

 

ଆହେ ଅଭଗ୍ନ-ଈଶାଣ ସିଂହଦ୍ୱାର,

ଦିଅ ମୋ ହାତକୁ ତମ ନିସ୍ତେଜ-

ହତିଆର କ୍ଷୁରଧାର !

 

ତମ କଣ୍ଠର ବିଷ-ଫୁତ୍‍କାର

ତମ ‘ସିନ୍ଧୁ’ର ଢେଉ

‘ଦ୍ୱାଦଶ ରବିର ରାହୁଗ୍ରାସ, ତବ

ଦିଅ ମୋତେ ମହାବାହୁ !

 

ଶୋଷଣ-ବୃନ୍ଦାବନରୁ ନିଭିନି

ଆଜି ବି ଆଲୋକମାଳା

‘ଉତ୍‍ପୀଡ଼ିତର କ୍ରନ୍ଦନରୋଳ’

ଧ୍ୱନୁଛି ଭାରତ ସାରା ।

 

ଅଭାବର ମରୁ-ଖର୍ଜୁରେ ଉଡ଼େ

ଅସମାନତାର ନେତ

ତମେ ତ ଦେଖୁନ, ତମେ ତ ବୁଝୁନ,

କ୍ଳାନ୍ତ, ଜୀବୋନ୍‍ମୃତ !

 

ତମରି ପାଦର ପବିତ୍ର ଧୂଳି ଲଲାଟେ ବୋଳିବି ବୋଲି,

ତମରି ଅସ୍ତାଚଳର ରଙ୍ଗେ ପତାକା ମୋ କରି ନାଲି;

 

ତମରି ରକ୍ତ-ତୀର୍ଥୁ ଟିକିଏ ପବିତ୍ର ମୃତ୍ତିକା—

ମନ-ବନେ ମୋର ତମ ଜ୍ୱଳନ୍ତ ଭୀମ-ଦାବାନଳ ଶିଖା—

 

ଧରି ମୁଁ ଫେରିବି ବୋଲି,

ଦ୍ୱାର ଓଡ଼ିଶାରୁ ଆସିଛି ନୀରବେ ହୃଦୟ-ପାତ୍ର ଧରି ।

 

ଦୟାଳୁ ଭାଗ୍ୟବଳେ,

ନେତ୍ରଭରାଇ ଦେଖିବି ତମକୁ ବ୍ୟଥାର ଦରିଆ କୂଳେ ।

 

ପାଖେଇ ଆସୁଛି ସେହି ସେ ଲଗନ, ତମ ସାଥେ ହେବ ଦେଖା

କରେ ଅପେକ୍ଷା ସମୟ ଦୋଳାରେ ନୀରବେ ବସି ମୁଁ ଏକା ।

***

 

।। ଜଳୁ ମୈତ୍ରୀର ଦୀପ ।।

 

କେଉଁ ଧର୍ମର ଭଗବାନ ୟାକୁ

କ୍ଷମାଦେବ କହ, କହ,

“ଧର୍ମ” ନାମରେ ଏକି ଅଧର୍ମ

ଲୁଂଠନ ଗୃହଦାହ ?

 

କେଉଁ ପିଶାଚର ନିର୍ଦ୍ଦେଶେ ଆଜି

ଜନ-ଜୀବନର ଭିଡ଼େ,

ଏକି ନାରକୀୟ ପାଶବିକତାର

ବିଜୟ କେତନ ଉଡ଼େ ?

 

ମଣିଷ ଭିତରେ କେ ଭରି ଦେଇଛି

ସାଂପ୍ରଦାୟିକ-ବିଷ ?

ଏଇକଥା ଆଜି ନିଜକୁ ପଚାରୁ

ମଣିଷ ଅହର୍ନିଶ ।

 

ରାଜନୈତିକ-ସ୍ୱାର୍ଥସିଦ୍ଧି

କ୍ଷମତା ଦଖଲ ପାଇଁ,

 

 

ମଣିଷ ହାତରେ ଶାଣିତ ଛୁରିକା

ଧରାଇଛି କିଏ ଭାଇ ?

 

ଦେଖ ଦେଖ ନୀଳଚକ୍ରର ନେତ,

ଲଜ୍ଜାରେ ଅବନତ,

ବେଦର ମନ୍ତ୍ରହିନ୍ଦୁ ନଖରା

ଘାତେ କ୍ଷତ ବିକ୍ଷତ ।

 

କାହିଁ ଆଲ୍ଲାର ଚିର ପବିତ୍ର

ପରିଚିତ ଫର୍ମାନ୍ ?

ହିଂସ୍ରତା କା’ରେ ଶିଖାଇନି କେଭେଁ

ପବିତ୍ର ‘କୋର୍ ଆନ୍’ ।

 

ନପଢ଼ି ନିଜର ଧର୍ମଗ୍ରନ୍ତ

ଆମେ ସବୁ ‘ପଣ୍ଡିତ’

ସେଥିପାଇଁ ଆଜି ନିଜ ହାତେ ହେଉ

ଆମେ ସବୁ ଦଣ୍ଡିତ ।

 

ଗୁଣ୍ଡାମି ଆଉ ଅରାଜକତାରେ

ଆପଣା କାପୁରୁଷତା—

 

 

ଢାଙ୍କି ନୀରବେ ସମାଜେ ବୋଲାଉ

ଆମେ ସବୁ ‘ଜନନେତା’ ।

 

ଗୁଣ୍ଡାମି ଆଉ ସ୍ୱେଚ୍ଛାଚାରୀତା

ସଂଖ୍ୟାଗରିଷ୍ଠର—

ମାନିନେଇ ନାହିଁ କେଭେଁ କେଉଁ ଦିନ

ମଣିଷର ଅନ୍ତର ।

 

କାନ୍ଦେ ମଜ୍‍ଲୁମ୍ ଅଗ୍ନି-ଦଗ୍ଧ

କୁଟୀର ଦୁଆରେ ବସି

ଚାରିଧାରେ ତାର ନିରାଶାର ବାଲି

ଦୁଃଖ, ଭସ୍ମରାଶି ।

 

ହୁତୁ ହୁତୁ ଜଳେ ଇସ୍‍ଲାମ ନାମେ

ବିଦ୍ୱେଷ ଆଉ ଘୃଣା,

ଅକାଳେ ହୋଇବ କେତେ ଯେ ଜୀବନ

ମୃତ୍ୟୁର ନଜ୍ରାନା !

 

‘‘ହାୟ ଖୋଦା, ହାୟ ଖୋଦା ।’’

ଦୀର୍ଘଶୁଆସେ ଡାକେ ଇସଲାମ୍-

ରମଣୀ ନିରପରାଧା ।

 

ନମାଜ୍ ବନ୍ଦ୍, ଜବରଦସ୍ତ –

ରଖିବାକୁ ପଡ଼େ “ରୋଜା”

ନଭେମ୍ୱରର ଶୀତରାତି ତଳେ

ଭାବନା ଚିତ୍ତ ହଜା ।

 

ନାହିଁ ବାସ, ଅଛି ଉପବାସ, ରୋଗ,

ଯନ୍ତ୍ରଣା ପୁଣି ଭୀତି

ପାକିସ୍ତାନରେ କିଏ କେଉଁଦିନ

ହିନ୍ଦୁ–ହତ୍ୟା ରାତି—

 

ସୃଜିଥିଲା ବୋଲି ଆଜିଏ କଟକ

ନଗରେ, ଯବନ ଘରେ

ସେଇ କ୍ରୋଧାଗ୍ନି ଜଳିଉଠେ ହାୟ

ଅବାଧେ ନିର୍ବିଚାରେ !

 

ଭିନ୍ନ ଧର୍ମ ଲାଗି,

ରମଜାନ୍ ରାତି ପାହିଯାଏ ଆହା

ଆତଙ୍କେ ଜାଜି ଜାଗି !

 

ଆକାଶର କୋଣେ ଆଗାମୀ ଇଦ୍‍ର

ଚାନ୍ଦ ପୋଛଇ ଲୁହ

ଏକି ଦୁଷ୍ମନୀ ? ଏକି ଖୁନଜୋଶୀ

ଦୁର୍ବହ, ଦୁଃସହ ।

 

ଦୁର୍ବଳ ପରେ ସବଳ ଯେଉଁଠି

କରିଛି ଅତ୍ୟାଚାର,

ଫଳିଛି ସୁଦୂରପ୍ରସାରୀ କୁଫଳ

ଜଳିଛି ବୈଶ୍ୱାନର ।

 

ମଣିଷ ମଣିଷ ଭିତରେ ସୃଷ୍ଟି

ହୋଇଛି ବିଭେଦ-ସେତୁ

ସବୁରି ଶୀର୍ଷେ ଉଠିଛି ନୀରବେ

ଧ୍ୱଂସର ଧୂମକେତୁ ।

 

ଆପଣା ହାତରେ ରୋପିଥିବା

ବିଷ-ବୃକ୍ଷର ବିଷଫଳ,

ଉଭୟ ସଂପ୍ରଦାୟର ବିଧାତା

ଦେଇଅଛି ଉପହାର ।

 

 

 

ସାବଧାନ ଯେତେ

ହିନ୍ଦୁ, ମୁସଲମାନ !

ସୃଷ୍ଟି କରନା ଗ୍ଳାନିକର ନିଜ

ଶ୍ମଶାନ, ଗୋରସ୍ଥାନ ।

 

ଅପାଣା ଭିତରେ ଆଲ୍ଲାକୁ ଖୋଜ

ଖୋଜ ଭାଇ ଭଗବାନେ,

ଆଗେଇ ଆସରେ ସାଂପ୍ରଦାୟିକ-

ଭେଦ-ଭାବ ଅବସାନେ !

 

ହୃଦୟେ ହୃଦୟେ ଜାଗୁ ମନ୍ଦିର

ତୋଳୁ ମସ୍‍ଜିଦ୍ ମଥା,

ମୁସଲମାନର ରକ୍ତ-କେତନୁ

ହିନ୍ଦୁର ଦିଆ ବ୍ୟଥା ।

 

ମୁସଲମାନର ଦତ୍ତ ଆଘାତ

ହିନ୍ଦୁର ହୃଦୟରୁ

ପୋଛିଦିଅ ଆଜି ଉଭୟ ସଂପ୍ର-

ଦାୟର ଧର୍ମଗୁରୁ !

 

ଭଗବାନ ଆଉ ରହ୍‍ମାନ୍ ହେଉ

ସୁନିବିଡ଼େ କୋଳାକୋଳି

ଜଳିଉଠୁ ଏଇ ଅଦିନ ଉଆଁସେ

ମୈତ୍ରୀର ଦୀପାବଳି ।

 

(୧) ପଂରମାନ୍—ନିର୍ଦ୍ଦେଶ । ‘କୋର୍ –ଆନ୍’ – କେରାନ୍ । (୨) ମଜ୍ଲୁମ – ଉତ୍ପୀଡ଼ିତ-। (୩) ନନ୍ରାନା – ଉପହାର । (୪) ଖୁନ୍ଜୋଶୀ – ରକ୍ତ-ପାଗଳାମୀ । (୫) ଗୋରସ୍ଥାନ– କବର । (୬) ରହ୍ମାନ୍ – କରୁଣାମୟ ।

 

୧୯୬୮ ସାଲର ଶେଷଭାଗରେ କଟକ ସହରର ମୁସଲମାନ ସଂପ୍ରାଦୟ ଉପରେ ଅହେତୁକୀ ଆକ୍ରମଣ, ଗୃହଦାହ ଆଦି ଚାଲିବାକୁ ଆରମ୍ଭ କଲା । ଫଳରେ ଏକ ଆତଙ୍କରାଜ ବ୍ୟାପି ଯାଇଥିଲା । ତା’ରି ପଟ୍ଟଭୂମିରେ ରଚିତ ଏ କବିତା ।

 

।। ୨୯ ନଭେମ୍ୱର, ୧୯୬୮ ।।

***

 

।। ମଥା ନତକର ।।

 

ଏଠି ନିଭାଇଲେ ସେଠି ସେ ଜଳିବ, ସେଠି ନିଭାଇଲେ ଏଠି

ନିଆଁକୁ ନିଭାଇ ପାରିଲାଣି କାହିଁ ଗୁଳି, ଗ୍ୟାସ୍ ଆଉ ଲାଠି ?

 

ଏ ନିଆଁ ତ ଦାବାନଳ,

ଏ ନିଆଁ ମାନେନା ଆଇନ-କାନୁନ୍, ମାନେନା ଶାସନକଳ ।

 

ଅରୁଣବର୍ଣ୍ଣା-ତରୁଣ ଛାତିରୁ ଏ ନିଆଁ ଉଠିଛି ଜଳି

ଦୀନ ଓଡ଼ିଶାର ତୋରଣ ଦୁଆରେ ଠିଆ ଯେ ମଶାଲଧାରୀ ।

 

ଇସ୍ପାତ-ଛାତି ସହିପାରେ ତାର ବେୟନେଟ୍-ଚୁମ୍ୱନ

ସହିପାରେ ପିଠି ପୁଲିସର ଲାଠି, ତଥାପି ସେ ଅମଳିନ ।

 

ତମେକି ଜାଣିନ ? ତମେକି ଦେଖିନ ତାକୁ ସାମନ୍ତବାଦୀ ?

ଅତ୍ୟାଚାରରେ ଗଢ଼ା ତମ ଭିଟା, ଗଢ଼ା ତମ ବୁନିଆଦି ।

 

ମୁକ୍ତିର ସ୍ୱାଦ ତମେକି ବୁଝିବ ହାୟ,

ତମରି ଆଖିରେ ସାରା ଓଡ଼ିଶାଟା ସଦା ଗଡ଼ଜାତମୟ ।

 

 

 

ସେ ପାଇଁ ଶିଶୁର ଫାଟୁଛି ଖପୁରି, ମାଆ ଭଉଣୀର ଜାତି—

ହରାଇଛି ନିଜ କର-କଙ୍କଣ, ରାଜକୀୟ-ବିକୃତି ।

 

କ୍ଷମତା-କାମଳ ରୋଗ ଛଡ଼ା ଏହା ଆଉ କିବା ପାରେ ହୋଇ ?

ମୃତ-ସାମନ୍ତବାଦ ପ୍ରେତାତ୍ମା ମାରୁଛ ରୁଗ୍‍ଣ ହାଇ ।

 

ଦେଖାଉଛ କରାମତି,

ଭୁଲି ଯାଇଅଛ ଅତ୍ୟାଚାରର କି ଭୀଷଣ ପରିଣତି !

 

ଯେ ନିଆଁର ଶିଖା ସାରା ଓଡ଼ିଶାରେ ଏଠୁ ନିଭି ସେଠି ଜଳେ

ସେ ନିଆଁ ଜାଳିଛି, ଜାଳିବ, ପୋଡ଼ିବ ସବୁକିଛି ଅବହେଳେ ।

 

ସେ ନିଆଁ ସର୍ବଗ୍ରାସୀ,

ସେ ନିଆଁ ଭିତରୁ ଫୁଲିଉଠେ କେତେ ତରୁଣ-ମାଂସପେଶୀ !

 

ଶହୀଦ୍ ଜାତିର ଲାଲ ଲହୁଧାରେ ହୋଇଛି ସେ ଅଭିଷେକ

ଶାଣିତ ଚେତନା-ହତିଆର ତାର ଦିବାରାତି ଝକମକ ।

 

ତରୁଣ ଛାତ୍ରଜାତି,

ଦୁର୍ଦ୍ଦମନୀୟ, ଅଜେୟ ଶକ୍ତି ପ୍ରଗତି ଯାହାର ନୀତି ।

 

କରିକେ ପାରିବ ପଥରୋଧ ତାର ଦମନ-ଯନ୍ତ୍ର ବଳେ ?

ତାହାରି ମେଳରୁ ଗୋଟେ ଧରାହେଲେ, କୋଟିଏତ ଅବହେଳେ ।

 

ଉଗ୍ର-ବିଷର ଉତ୍‍ଫଣ-ଫଣା ଦୋହଲାଇ ଦେବେ ଦେଖା

ଏହିଯେ ତାହାର ଶ୍ରେଣୀଚରିତ୍ର, ପରିଚୟ ଏହି ଏକା ।

 

ଛାତ୍ର ଦମନ ମାନେ,

ଜୀବନ୍ତ ଏକ ଧ୍ୱଂସକୁ ସଦା ଦେଶେ ଦେଶେ ଡାକିଆଣେ ।

 

ଆଜି ଓଡ଼ିଶାର ସରକାର, ତମେ ତାହାରି ନିମନ୍ତ୍ରଣ—

କରୁଛ ନୀରବେ ଦେଖାଇ ନିଜର ଶାସକ ପାରିଲାପଣ ।

 

ଘେନ ସମୟର ନିର୍ଦେଶନାମା ଅନ୍ଧ, ଏତିକିବେଳେ,

ମଥା ନତକର ରାଜ ସରକାର ତାରୁଣ୍ୟ ପଦତଳେ !

 

କବିତାଟି ୧୯୬୯ ଛାତ୍ର ଆନ୍ଦୋଳନର ପୃଷ୍ଠଭୂମିରେ ରଚିତ ପ୍ରଥମ ପ୍ରକାଶିତ କବିତା । ଏହା ତା୨୪-୮-୬୯ରିଖ ଦୈନିକ ‘ମାତୃଭୂମି’ରେ ପ୍ରକାଶିତ ହୋଇଥିଲା ।

 

ତା ୨୦-୮-୬୯

***

 

।। କବିବନ୍ଧୁ ହେ ! ।।

 

ଗ୍ରାମାଞ୍ଚଳର କବିବନ୍ଧୁ ହେ, ଏ ସହରେ କେଭେଁ ଆସନା ଭୁଲେ

ଏ ସହରେ ମୋର ଶିରେ ଦିବାରାତି ନିନ୍ଦାବାଦର ଖଡ଼୍‍ଗ ଝୁଲେ ।

 

ଏଇ ସହରକୁ ଯେବେ ତମେ ଆସ

ମୋ କଥା କାହାକୁ ପଚାରି ନ ବସ ।

 

ପଚାରିଲେ ପ୍ରତିଭାର ପରିଚୟ ପାଇବନି ମୋର, ଶୁଣିବ ଖାଲି—

ମୁଁ ଏକ ‘ଲୋଫର୍’ ନାହିଁ ଚୁଲି ଚାଳ, ଦିବାରାତି ଏଥେ ମରୁଛି ବୁଲି ।

 

ମୁଁ ଏକ ରୁକ୍ଷ, ନାହିଁ ରୋମାଞ୍ଚ, ଚେହେରାରେ ମୋର ଆକର୍ଷଣ

ଶିକ୍ଷାଗତ ମୋ ନାହିଁ ଯୋଗ୍ୟତା—ଏହି ହେଲା ମୋର ମୂଲ୍ୟାୟନ !

 

‘ଇତିହାସେ’ ଲେଖା ହୋଇଛି ସେଦିନ:

କବି ରବି ସିଂ ‘ରୁଗ୍‍ଣ’ ଓ ‘ଦୀନ’ ।

 

ଯେହେତୁ ପୃଥୁଳକାୟ ନୁହେଁ ମୁହିଁ, ଯେହେତୁ ମୋହର ନାହିଁହେ ଧନ,

ସେହେତୁ ମୋଠାରେ ଆସିବ କେଉଁଠୁ କବି-ପ୍ରତିଭାର ଗୁପ୍ତଧନ ?

 

 

 

ଯହିଁ ପ୍ରତିଭାର ମାପଚୁପ ଚାଲେ ଏହିପରି ହୀନ ଦୃଷ୍ଟିକୋଣେ;

ସେହିଠାରେ ସଖା, ଚିରଦିନ ଏକା ଆହତ ବ୍ୟଥିତ କ୍ଷୁବ୍ଧ ପ୍ରାଣେ—

 

ଗଢ଼ିଛି ମୁଁ ଏକ ଜ୍ୱାଳାର ଜଗତ

ପ୍ରତି ପଦପାତେ ଭେଟି ଗିରିପଥ ।

 

ବାନ୍ଧବହୀନ ପ୍ରତିଭାର ମରୁ, ଚିର ନିରଶ୍ରୁ ଆକାଶ ତଳେ—

ଚାଲିଛି, ଚାଲିବି ଚିର ଗତିବାନ୍ ଅଗଣିତ ଜନ, ତରୁଣ ମେଳେ ।

 

ଅଗ୍ନିର ମୁହିଁ ଚିର ଉପାସକ, ଅଗ୍ନି କେବଳ ସତ୍ୟ ସିନା

ଯାହାଟା ସତ୍ୟ, ତାହା ଅପ୍ରିୟ, ତାହାହିଁ ତିକ୍ତ ଏ ଜଣାଶୁଣା ।

 

ସେହି ସତ୍ୟ ମୋ ଦେବୀ ବୀଣାପାଣି

ପୂଜେ ମୁହିଁ ତାକୁ ନିତି ଜାଣିଶୁଣି ।

 

ଲକ୍ଷ୍ମୀଛଡ଼ା ମୁଁ କବିଟିଏ ଭାଇ, ଛବିଟି ମୋହର ମଳିନ ସଦା,

ନିନ୍ଦାର ଏଇ ବୃନ୍ଦାବନରେ ପ୍ରିୟା ମୋର ନୁହେଁ ଲୁପିନୀ-ରାଧା ।

 

ଗ୍ରାମାଞ୍ଚଳର କବି ବନ୍ଧୁ ହେ, ଭୁଲେ କେଭେଁ ଏଇ ସହରେ ଆସି

ପଚାରି ବସନା ପରିଚୟ ମୋର, ଶୁଣିବ ନିନ୍ଦା, କୁତ୍ସା ରାଶି ।

 

ଯାହାବା ଟିକିଏ ଶ୍ରଦ୍ଧା ମୋ ପରେ—

ରହିଛି ତମର, ଯିବ ସେତିକିରେ ।

 

ଦୂରତ୍ୱ ଭାଇ ଚିର ସୁନ୍ଦର, ହେଉ ହେଉ ତାହା ଦୀର୍ଘଜୀବୀ

ମୁଁ ଚାହେଁନା ତମ ଶ୍ରଦ୍ଧାର ଦୀପ ନିକଟକୁ ଆସି ଯାଉହେ ନିଭି ।

 

ଡକ୍ଟର ମାୟାଧର ମାନସିଂହଙ୍କ History of Oriya Literatureର ୨୬୬ପୃଷ୍ଠାରେ ମୋ ସମ୍ପର୍କରେ ଯେଉଁ ପାରାଗ୍ରାଫଟି ରହିଛି ସେଥିରେ ମୋର ପରିଚୟ ଦିଆଯାଇଚି, ମୁଁ ‘Sick’ ଏବଂ ‘Poor’ ।-

ରବି ସିଂ

 

ଲୁପିନୀ – ରାଧା – ଲୁପ୍‍ନେବା ଅର୍ଥରେ ।

 

ଅଗଷ୍ଟ : ୧୯୬୯

***